ବାତ୍ୟା ବିଧ୍ବସ୍ତ ସବୁଜିମାର ପୁନରୁଦ୍ଧାର ପ୍ରୟାସ, ଏଥର ଲଗାଯିବ ୧.୩୦ କୋଟି ଗଛ

Advertisment

୧୮୮ କୋଟିରେ ପ୍ରସ୍ତୁତ ହେଲା ୫ ବର୍ଷିଆ କାର୍ଯ୍ୟ ଯୋଜନା

୧୮୮ କୋଟିରେ ପ୍ରସ୍ତୁତ ହେଲା ୫ ବର୍ଷିଆ କାର୍ଯ୍ୟ ଯୋଜନା

ବାତ୍ୟା ବିଧ୍ବସ୍ତ ସବୁଜିମାର ପୁନରୁଦ୍ଧାର ପ୍ରୟାସ, ଏଥର ଲଗାଯିବ ୧.୩୦ କୋଟି ଗଛ

ଭୁବନେଶ୍ବର : ଅତି ପ୍ରଳୟଙ୍କରୀ ବାତ୍ୟା ଫନି ଯୋଗୁଁ ପୁରୀ, ଭୁବନେଶ୍ବର, କଟକ ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ସବୁଜ ବଳୟ ଲୋପପ୍ରାୟ। ଲୋକଙ୍କ ବସବାସ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ସେହି ସବୁଜିମାର ପୁନରୁଦ୍ଧାର ଅପରିହାର୍ଯ୍ୟ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ୨୦୧୯-୨୦ରେ ୧ କୋଟି ୩୦ ଲକ୍ଷ ୫୦ ହଜାର ଗଛ ଚାରା ରୋପଣ କରା‌ଯିବ। ଏଥିପାଇଁ ୧୮୮ କୋଟି ଟଙ୍କା ବ୍ୟୟ‌ ଅଟକଳରେ ଏକ ପାଞ୍ଚବର୍ଷିଆ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହୋଇଛି।

ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏ ଦିଗରେ ଉଭୟ ସ୍ବଳ୍ପ ଓ ଦୀର୍ଘ ମିଆଦୀ ଯୋଜନାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଦୀର୍ଘକାଳୀନ ପ୍ରସ୍ତୁତି ସ୍ବରୂପ ପାଞ୍ଚ ବର୍ଷିଆ କାର୍ଯ୍ୟ ଯୋଜନାର ରୂପରେଖ ଚୂଡ଼ାନ୍ତ ହୋଇଛି। ନିଷ୍ପତ୍ତି ଅନୁଯାୟୀ ସମୁଦ୍ର ଉପକୂଳରେ ସବୁଜ ପ୍ରାଚୀର ସୃଷ୍ଟି କରାଯିବ। ବଞ୍ଚିବା ସମ୍ଭାବନା ଥିବା ଉପୁଡ଼ା ଗଛଗୁଡ଼ିକୁ ପୁନଃରୋପଣ କରାଯିବ। ବୃକ୍ଷ ରୋପଣ ଓ ନୂଆ ସବୁଜିମା ସୃଷ୍ଟି କାର୍ଯ୍ୟରେ ଜନସାଧାରଣ, ଗ୍ରାମବାସୀ, ସ୍ବେଚ୍ଛାସେବୀମାନଙ୍କୁ ସାମିଲ କରାଯିବ। ଏହି ଯୋଜନାକୁ ମିସନ ମୋଡ୍‌ରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟ ସଚିବ କହିଥିଲେ।

କାର୍ଯ୍ୟ ଯୋଜନା ଅନୁଯାୟୀ ଚଳିତ ବର୍ଷ କେବଳ ରୋପଣ କରାଯିବ ୧୩୦.୫୦ ଲକ୍ଷ ଚାରା। ସେଥିମଧ୍ୟରୁ ୮୦.୫୦ ଲକ୍ଷ ଚାରା ବିଭାଗ ମାଧ୍ୟମରେ ଏବଂ ୫୦ ଲକ୍ଷ ବିଭିନ୍ନ ଶିକ୍ଷାନୁଷ୍ଠାନ, ଶିଳ୍ପାଞ୍ଚଳ, ଘରୋଇ ଜମିବାଡ଼ିରେ ରୋପଣ ପାଇଁ ବଣ୍ଟନ କରାଯିବ। ବାଲୁଖଣ୍ଡ ସଂରକ୍ଷିତ ଜଙ୍ଗଲ, ଭୁବ‌େନଶ୍ବର, ପୁରୀ, କଟକ ଆଦି ସହରାଞ୍ଚଳର ପାର୍କ, ରାସ୍ତାକଡ଼ରେ ପ୍ରାୟ ୧ ଲକ୍ଷ ଗଛ ଲଗାଯିବ। ଏଥିପାଇଁ ଅତ୍ୟାଧୁନିକ ବୈଷୟିକ କୌଶଳ ପ୍ରୟୋଗ କରାଯିବ।

କେବଳ ସବୁଜିମା ନୁହେଁ, ପ୍ରାୟ ୨୪୭୮୦ ହେକ୍ଟର ଉଦ୍ୟାନଚାଷ ନଷ୍ଟ ହୋଇଛି। ପୁନଃଚାଷ ପାଇଁ ୧୮ ଲକ୍ଷ ଫଳ ଚାରା ଆବଶ୍ୟକ। ରାଜ୍ୟର ଉଦ୍ୟାନକୃଷି ଓ ନର୍ସରୀମାନଙ୍କରେ ୮୫ ହଜାର ନଡ଼ିଆ ଚାରା ଓ ପର୍ଯ୍ୟାପ୍ତ ଆମ୍ବଗଛ ଚାରା ମହଜୁଦ୍‌ ଅଛି ବୋଲି କୃଷି ବିଭାଗ ସୂଚନା ଦେଇଛି। ସୂଚନାଯୋଗ୍ୟ, ଫନି ଯୋଗୁଁ ପ୍ରାୟ ୨୨ ଲକ୍ଷ ଗଛ ଓ ଭିତ୍ତିୂଭୂମି ନଷ୍ଟ ହେବା ଫଳରେ ପ୍ରାୟ ୫୩୭ କୋଟି ଟଙ୍କାର କ୍ଷତି ହୋଇଛି ବୋଲି ଜଙ୍ଗଲ ବିଭାଗ ଆକଳନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe