ଏପଟେ ବୃକ୍ଷରୋପଣ, ସେପଟେ ପ୍ରଦୂଷଣ

Advertisment
ଏପଟେ ବୃକ୍ଷରୋପଣ, ସେପଟେ ପ୍ରଦୂଷଣ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଇଁ ବୃକ୍ଷରୋପଣ ଅଭିଯାନ ଅପରିହାର୍ଯ୍ୟ ହୋଇପଡ଼ିଛି। ଜିଲ୍ଲାରେ ଯେଉଁ ହିସାବରେ ପାଣିପାଗ ଗଡ଼ବଡ଼ ହେଉଛି, ତାହା ପରିବେଶବିତ୍‌ଙ୍କୁ ବିଚଳିତ କରିଛି। ଜିଲ୍ଲାର ବାର୍ଷିକ ବୃଷ୍ଟିପାତ ହାର ୧୨୧୫.୬ ମିମି ରହିବା କଥା। କିନ୍ତୁ ଗୋଟିଏ ଦଶନ୍ଧିର ପରିସଂଖ୍ୟାନ ଅନୁସାରେ ଏହି ହାର ୧୧ଶହ ମିମି ତଳକୁ ଖସି ଆସିଛି। ସେହିପରି ଗତ ତିନି ଦଶନ୍ଧି ହେଲା ଜିଲ୍ଲାର ତାପମାତ୍ରା ଆଶ୍ଚର୍ଯ୍ୟଜନକ ଭାବେ ୮ ଡିଗ୍ରି ବୃଦ୍ଧି ପାଇଛି। ଶ୍ରାବଣରେ ପାଣି ବଦଳରେ ଅଗ୍ନିବର୍ଷା ହେଉଛି। ଏସବୁ ସମସ୍ୟା ଲୋକଙ୍କୁ ସଚେତନ ହେବାକୁ ବାଧ୍ୟ କରିଛି। ଉଭୟ ସରକାରୀ ଏବଂ ବେସରକାରୀସ୍ତରରେ ଜିଲ୍ଲାରେ ବନୀକରଣ ଅଭିଯାନ ଆଗେଇ ଚାଲିଛି। କିନ୍ତୁ ବର୍ଦ୍ଧିତ ପ୍ରଦୂଷଣ କାରଣରୁ ଏହି ଅଭିଯାନ ପାଣିଚିଆ ହେବା ଭଳି ମନେ ହେଉଛି। ବଲାଙ୍ଗୀର ସହର କଥା ଉଦାହରଣ ଭାବେ ନିଆଯାଇପାରେ। ସହରରେ ଜୁଲାଇ ମାସରେ କ୍ରମାଗତ ଭାବେ ତାପମାତ୍ରା ୪୫ ଡିଗ୍ରି ଉପରେ ରହୁଛି।

ତେଣୁ ସହର ଆଖପାଖରେ ବ୍ୟାପକ ବୃକ୍ଷରୋପଣ ଚାଲିଛି। କିନ୍ତୁ ଯେଉଁଠି ବୃକ୍ଷରୋପଣ କରାଯାଉଛି, ସେଠାରେ ପରିବେଶକୁ ସୁହାଉନଥିବା କଠିନ ବର୍ଜ୍ୟବସ୍ତୁ ପକାଇ ଦିଆଯାଉଛି। ବଲାଙ୍ଗୀର-ସମ୍ବଲପୁର ରାଜପଥ କଡ଼େ ବନ ବିଭାଗ ଓ ବିଭିନ୍ନ ସଂସ୍ଥା ପକ୍ଷରୁ ବୃକ୍ଷରୋପଣ ହୋଇଛି। କିନ୍ତୁ ଚାରା କଡ଼ରେ ପଲିଥିନ୍‌ ଓ ଅନ୍ୟ ବର୍ଜ୍ୟ ପକାଯାଉଛି। ମୋଟାମୋଟି ଭାବେ କହିବାକୁ ଗଲେ, ରାଜପଥ କଡ଼ ଡମ୍ପିଂୟାର୍ଡ ପାଲଟିଛି। ବର୍ଜ୍ୟବସ୍ତୁ ଗଚ୍ଛିତ ରହୁଥିବାରୁ ଅଧିକାଂଶ ସ୍ଥାନରେ ଚାରା ମରିବାକୁ ଲାଗିଛି। ବଲାଙ୍ଗୀରରୁ ଟିଟିଲାଗଡ଼କୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାର୍ଶ୍ବରେ ସଂରକ୍ଷିତ ଜଙ୍ଗଲ ରହିଛି। ଯାହା ଇକୋ ସେନ୍ସିଟିଭ୍‌ ଜୋନ୍‌ ମଧ୍ୟରେ ଯାଉଛି। କିନ୍ତୁ ଏହି ରାସ୍ତା କଡ଼ ଜଙ୍ଗଲରେ ଦୈନିକ ଶହ ଶହ ଟନ୍‌ ବର୍ଜ୍ୟବସ୍ତୁ ପଡ଼ୁଛି। ବଲାଙ୍ଗୀର ସହରରେ ଦିନକୁ ଦିନ ପଲିଥିନ୍‌ ତଥା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ମାତ୍ରା ବଢ଼ିବାରେ ଲାଗିଛି। ବ୍ୟାପକ ବନୀକରଣ ଓ ବୃକ୍ଷରୋପଣ ସତ୍ତ୍ବେ ମାତ୍ରାତିରିକ୍ତ ପ୍ରଦୂଷଣ ବର୍ତ୍ତମାନ ଚିନ୍ତାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe