‘ସମ୍ବାଦ-ସାହିତ୍ୟଘର’ ଓ ‘ଯାଜ୍ଞସେନୀ’ର ବୃକ୍ଷରୋପଣ କାର୍ଯ୍ୟକ୍ରମ: ସାମିଲ ହେଲେ ମହିଳା ଅନୁଷ୍ଠାନ

‘ସମ୍ବାଦ-ସାହିତ୍ୟଘର’ ଓ ‘ଯାଜ୍ଞସେନୀ’ର ବୃକ୍ଷରୋପଣ କାର୍ଯ୍ୟକ୍ରମ: ସାମିଲ ହେଲେ ମହିଳା ଅନୁଷ୍ଠାନ

ରାଉରକେଲା: ‘ସମ୍ବାଦ-ସାହିତ୍ୟଘର’ ଓ ମହିଳା ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଯାଜ୍ଞସେନୀ’ର ମିଳିତ ଆନୁକୁଲ୍ୟରେ ସେକ୍ଟର-୧୬ ତାରିଣୀ ମନ୍ଦିର ପରିସରରେ ଆଜି ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହିଅବସରରେ ବିଭିନ୍ନ ଧରଣର ଔଷଧୀୟ ତଥା ଫଳଫୁଲ ଜାତୀୟ, ଯଥା- ବଉଳ, ଅଶୋକ, ନିମ୍ବ, ଅଁଳା, କାଞ୍ଚନ, ମନ୍ଦାର ଆଦି ବିଭିନ୍ନି ଧରଣର ବହୁସଂଖ୍ୟକ ଚାରାରୋପଣ କରାଯାଇଥିଲା।

ମୁଖ୍ୟଅତିଥି ‘ଯାଜ୍ଞସେନୀ’ର ସଭାନେତ୍ରୀ ତଥା ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ଅବସରପ୍ରାପ୍ତ ପ୍ରଫେସର ପ୍ରମିଳା ପଣ୍ଡା ଉଦ୍‌ବୋଧନରେ ସାଂପ୍ରତିକ ସ୍ଥିତିରେ ବୃକ୍ଷରୋପଣର ଆବଶ୍ୟକତା ଓ ଗୁରୁତ୍ବ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। କହିଲେ, ଗଛ ହେଉଛି ଜଣେ ଋଷିମୁନି ସଦୃଶ। ଆମଠାରୁ କିଛି ଆଶାନକରି କେବଳ ଦେଇଚାଲିଥିବା ନିସ୍ବାର୍ଥ ଭାବ କେବଳ ଗଛ ନିକଟରେ ପରିଲକ୍ଷିତ ହୋଇଥାଏ। ଏହି ଆଦର୍ଶକୁ ପ୍ରତ୍ୟେକ ବ୍ୟକ୍ତିବିଶେଷ ଅବଲମ୍ବନ କରି ସମାଜ ପ୍ରତି ନିଜର ଦାୟିତ୍ବ ପାଳନ କରିବା ଆବଶ୍ୟକ। ସଂପ୍ରତି ଜଳବାୟୂ ପରିବର୍ତ୍ତନ ଏକ ବଡ଼ ଆହ୍ବାନ। ଏଭଳି ସମୟରେ ଅଧିକରୁ ଅଧିକ ବୃକ୍ଷରୋପଣର ଆବଶ୍ୟକତା ରହିଛି। ଏ ଦିଗରେ ସମାଜର ପ୍ରତ୍ୟେକ ବ୍ୟକ୍ତି ସ୍ବେଚ୍ଛାକୃତଭାବେ ଆଗେଇ ଆସି ନିଜେ ବୃକ୍ଷରୋପଣ କରିବାସହ ଅନ୍ୟକୁ ସଚେତନ କରିବା ଶ୍ରେୟସ୍କରବୋଲି କହିଥିଲେ। ପରେ ଅନୁଷ୍ଠାନର ସଦସ୍ୟାମାନେ ଉତ୍ସାହଉଦ୍ଦୀପନାର ସହ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

publive-image

କାର୍ଯ୍ୟକ୍ରମ ଆୟୋଜନରେ ‘ଯାଜ୍ଞସେନୀ’ର ଉପସଭାପତି ଡ. ଜ୍ୟୋତ୍ସ୍ନା ପଟ୍ଟନାୟକ, ମଞ୍ଜୁଳା ରଥ, ରଶ୍ମୀବାଳା ରାଉତରାୟ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ସାଧଶରଣ ସମ୍ପାଦିକା ନୀନାରାଣୀ ଜେନା, ଜୟଶ୍ରୀ ସାବତ, ସବିନା ମହାନ୍ତ, ଆଭାରାଣୀ ଜେନା, ତୃପ୍ତୀ ପଟ୍ଟନାୟକ, ରୀନା ସ୍ବାଇଁ ପ୍ରମୁଖ ଭୂମିକା ତୁଲାଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ‘ସମ୍ବାଦ’ର କର୍ମଚାରୀଙ୍କ ସମେତ ମନ୍ଦିର ପରିଚାଳନା କମିଟିର ପ୍ରଦୀପ୍ତ ସାହୁ, ପ୍ରଶାନ୍ତ ଦାସ, ରଶ୍ମୀ ରଞ୍ଜନ ପତି, ନାରାୟଣ ବେହେରା, ଅରବିନ୍ଦ ଜଗଦେବ, ପ୍ରଭାତ ଜେନା, ବି.ମୁରଲୀ ରାଓ, ମାନସ ମହାପାତ୍ର, ନରେଶ ଚନ୍ଦ୍ର ରାଉତ, ଧନଞ୍ଜୟ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe