ରାଜ୍ୟରେ ସଫଳ ହୋଇଛି ପ୍ଲାଜ୍‌ମା ଥେରାପି : ସୁସ୍ଥ ହୋଇ ଫେରିଲେ ପ୍ରଥମ ‌ରୋଗୀ

Advertisment

ପରିବାରର ଅନ୍ୟ ୩ ସଂକ୍ରମିତ, ପ୍ଲାଜ୍‌ମା ଦେଇଥିବା ବ୍ୟକ୍ତି ମୋ’ ପାଇଁ ଭଗବାନ: ମମତା

ପରିବାରର ଅନ୍ୟ ୩ ସଂକ୍ରମିତ, ପ୍ଲାଜ୍‌ମା ଦେଇଥିବା ବ୍ୟକ୍ତି ମୋ’ ପାଇଁ ଭଗବାନ: ମମତା

ରାଜ୍ୟରେ ସଫଳ ହୋଇଛି ପ୍ଲାଜ୍‌ମା ଥେରାପି : ସୁସ୍ଥ ହୋଇ ଫେରିଲେ ପ୍ରଥମ ‌ରୋଗୀ

କଟକ : ରାଜ୍ୟରେ ସଫଳ ହୋଇଛି ପ୍ଲାଜ୍‌ମା ଥେରାପି। ଯେଉଁ ମହିଳା ରୋଗୀଙ୍କ ଦେହରେ ପ୍ରଥମ ପ୍ଲାଜ୍‌ମା ବ୍ୟବହାର କରାଯାଇଥିଲା, ସେ ଆଜି ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ମହିଳା ହେଉଛନ୍ତି କଟକର ପୁରୁଣା ରାଉସାପାଟଣା ଅଞ୍ଚଳର ମମତା ସେନ୍ (୪୮ବର୍ଷ)। ଅଶ୍ବିନୀ କୋଭିଡ୍‌ ହସ୍ପିଟାଲରୁ ସେ ଆଜି ଘରକୁ ଫେରିବା ବେଳେ ଡାକ୍ତର ଓ ନର୍ସଙ୍କୁ ନିଜର କୃତଜ୍ଞତ‌ା ଜଣାଇଛନ୍ତି। ଯେଉଁ ବ୍ୟକ୍ତିଙ୍କ ପ୍ଲାଜ୍‌ମା ଦାନରେ ସେ ଆଜି ସୁସ୍ଥ ହୋଇ ଫେରିଛନ୍ତି, ସେ ତାଙ୍କ ପାଇଁ ଭଗବାନ ବୋଲି କହିଛନ୍ତି।

ଗଲା ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବ‌ଡ଼ ମେଡିକାଲରେ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟନ କରିଥିବା ବେଳେ ସେହିଦିନ ସଂଗ୍ରହ ହୋଇଥିବା ପ୍ରଥମ ପ୍ଲାଜ୍‌ମା ମମତାଙ୍କ ଶରୀରରେ ବ୍ୟବହାର କରାଯାଇଥିଲା। ଉଦ୍‌ଘାଟନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ୧୪ ତାରିଖ ଦିନ ମମତା କରୋନାରେ ସଂକ୍ରମିତ ହୋଇଥିଲେ।

ତାଙ୍କ ସହ ପରିବାରର ଦୁଇ ପୁଅ ଓ ପୁତୁରାଙ୍କ ସମେତ ୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ମମତାଙ୍କୁ ପ୍ରଥମେ ଆଠଗଡ଼ ବ୍ଲକ୍‌ ମାଧପୁରସ୍ଥିତ ଜିଏମ୍‌ସାର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ଶ୍ବାସ ନେବାରେ ସମସ୍ୟା ଦେଖାଦେବ‌ା ସହ ସେ ଧଇଁସଇଁ ହୋଇଥିଲେ। ଫଳରେ ତାଙ୍କୁ ତୁରନ୍ତ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଅଶ୍ବିନୀରେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ହେବାରେ ଲାଗିଥିଲା। ଏପରିକି ସେ ବେଡ୍‌ରୁ ଉଠି ପାରୁନଥିଲେ ଓ ତାଙ୍କ ଶରୀରରୁ ଅମ୍ଳଜାନ‌ କମି କମି ଆସୁଥିଲା। ଫଳରେ ହସ୍ପିଟାଲ କର୍ତ୍ତୃପକ୍ଷ ତଥା ଚିକିତ୍ସା କରୁଥିବା ଡାକ୍ତର ପ୍ଲାଜ୍‌ମା ଥେରାପି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ।

publive-image plazam theraphy

୧୫ ତାରିଖ ରାତି ୧୦ଟାରେ ରାଜ୍ୟର ପ୍ରଥମ ରୋଗୀ ଭାବେ ମମତାଙ୍କ ଶରୀରରେ ପ୍ଲାଜ୍‌ମା ଥେରାପି ଆରମ୍ଭ ହୋଇଥିଲା। ପ୍ଲାଜ୍‌ମା ଦେବା ପରେ ସେ ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିବା ସହ ୪ ଦିନପରେ ତାଙ୍କୁ ଆଇସିୟୁରୁ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ୬ ଦିନ ସେ ଆଇସିୟୁରେ ଚିକିତ୍ସିତ ହୋଇଥିବା‌ବେଳେ ପ୍ଲାଜ୍‌ମା ଚିକିତ୍ସା ପରେ ତାଙ୍କୁ ଆଉ ଅମ୍ଳଜାନର ସେଭଳି ଆବଶ୍ୟକତା ପଡ଼ିନଥିଲା। ଏପରିକି ବେଡ୍‌ରୁ ଉଠିପାରୁନଥିବା ଓ ନିଜର ନିତ୍ୟକର୍ମ କରିପାରୁନଥିବା ମମତା ସବୁକିଛି ସ୍ବାଭାବିକ ଭାବେ କରିଥିଲେ। ତାଙ୍କୁ ୪ଦିନ ନିରୀକ୍ଷଣରେ ରଖାଯିବା ପରେ ଆଜି ସକାଳେ ତାଙ୍କୁ ଘରକୁ ପଠାଇ ଦିଆଯାଇଛି।

ମମତା କହିଛନ୍ତି, ସେ ଏତେ ଗୁରୁତର ହୋଇ ପଡ଼ିଥିଲେ ଯେ ଆଉ ସୁସ୍ଥ ହେବେ ବୋଲି ଭାବି ନଥିଲେ। କିନ୍ତୁ ପ୍ଲାଜ୍‌ମା ଚିକିତ୍ସା ଓ ପ୍ଲାଜ୍‌ମା ଦେଇଥିବା ବ୍ୟକ୍ତି ତାଙ୍କୁ ନୂଆ ଜୀବନ ଦେଇଛନ୍ତି। ଅଶ୍ବିନୀ କୋଭିଡ୍‌ ହସ୍ପିଟାଲର ଡାକ୍ତର ସମ୍ପଦ ଦାଶ କହିଛନ୍ତି, ମମତାଙ୍କ କ୍ଷେତ୍ରରେ ପ୍ଲାଜ୍‌ମା ଥେରାପିର ସଫଳତା ଆଗାମୀ ଦିନରେ ଗୁରୁତର କରୋନା ରୋଗୀଙ୍କ ପାଇଁ ବରଦାନ ହୋଇପାରିବ।

ଅନ୍ୟପଟେ ମମତାଙ୍କ ଦୁଇ ପୁଅ ଓ ପୁତୁରା ଏବେ ବି କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଘରେ ସାନପୁଅ ସହିତ ମମତା ରହିଛନ୍ତି। ପୁରୁଣା ରାଉସ୍‌ପାଟଣା ଅଞ୍ଚଳରୁ ଏଯାଏ ମୋଟ ୩୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ମମତା ଓ ତାଙ୍କ ପରିବାର ସଂକ୍ରମିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe