ଆସନ୍ତାକାଲି ଠାରୁ ଗଞ୍ଜାମରେ ପ୍ଲାଜ୍‌ମା ଥେରାପି; ଗଞ୍ଜାମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର 

Advertisment
କରୋନା ମୁକାବିଲା: ଡାକ୍ତରଙ୍କ ଅବସର ବୟସ ୬୫କୁ ବୃଦ୍ଧି, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ କୋଟି ମଞ୍ଜୁର

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନମ୍ନୋକ୍ତ ଘୋଷଣା କରିଛନ୍ତି।

୧- ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ ହସ୍‌ପିଟାଲରେ ପ୍ଲାଜ୍‌ମା ଥେରାପି ଆରମ୍ଭ କରାଯିବ। ଏହାଦ୍ବାରା ଗଞ୍ଜାମ ଓ ଆଖପାଖ ଜିଲ୍ଲାର ଗୁରୁତର କୋଭିଡ ରୋଗୀମାନେ ପ୍ଲାଜ୍‌ମା ଥେରାପି ସୁବିଧା ପାଇପାରିବେ ଏବଂ କୋଭିଡ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ ଭୁବନେଶ୍ବରର ସମ୍‌ କୋଭିଡ ହସ୍‌ପିଟାଲ ଓ କଟକର ଅଶ୍ବିନୀ କୋଭିଡ ହସ୍‌ପିଟାଲରେ ଗତ ୧୮ ତାରିଖ ଠାରୁ ପ୍ଲାଜ୍‌ମା ଥେରାପି ଆରମ୍ଭ ହୋଇଛି ଏବଂ ଏହା ସୁଫଳ ମଧ୍ୟ ଦେଇଛି। ସମୁଦାୟ ୬ ଜଣ ରୋଗୀଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇଛନ୍ତି ଓ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସ୍ଥିର ଅଛି ।

୨- ବ୍ରହ୍ମପୁରର ଅମିତ ହସ୍‌ପିଟାଲରେ ୧୬ଟି ଆଇ.ସି.ୟୁ ବେଡ୍‌ ସହିତ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ପ୍ରତିଷ୍ଠା କରାଯିବ। ଏହାକୁ କଟକର ଅଶ୍ବିନୀ ହସ୍‌ପିଟାଲ ପରିଚାଳନା କରିବ। ଏଥିପାଇଁ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଅଶ୍ବିନୀ ହସ୍‌ପିଟାଲ ମଧ୍ୟରେ ରାଜିନାମା ସ୍ବାକ୍ଷରିତ ହୋଇଛି।

publive-image

୩- ଗଞ୍ଜାମରେ କୋଭିଡ ମୁକାବିଲାକୁ ଆହୁରି ସୁଦୃଢ କରିବା ପାଇଁ ୨ ଜଣ ଆଇ.ଏ.ଏସ୍‌ ଅଫିସର, ୨୫ ଜଣ ଓ.ଏ.ଏସ୍‌ ଅଫିସର, ୧୦୫ ଜଣ ଓଆରଏସ୍ ଅଫିସର, ୩୦ ଜଣ ଏମବିବିଏସ୍ ଡାକ୍ତର, ୧୦୦ ଜଣ ଆୟୁଷ ଡାକ୍ତର ଏବଂ ୨୭ ଜଣ ଲାବୋରେଟୋରୀ ଟେକ୍‌ନିସିଆନଙ୍କୁ ନିୟୋଜିତ କରାଯାଇଛି। ଏହାସହିତ ୩ ଜଣ ଡି.ଏସ୍‌.ପିଙ୍କ ସମେତ ବିଭିନ୍ନ ପାହ୍ୟାର ଅଫିସର ଏବଂ ୧୦ ପ୍ଲାଟୁନ ପୋଲିସ ମଧ୍ୟ ପଠାଯିବା ପାଇଁ ନିଷ୍ପତ୍ତି ହୋଇଛି।

୪- ଗଞ୍ଜାମ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି।

୫- ଗଞ୍ଜାମ ଜିଲ୍ଲାରେ ଆମ୍ବୁଲାନ୍‌ସ ସେବାକୁ ଆହୁରି ଦକ୍ଷ ଓ ସୁଦୃଢ କରାଯାଇ ରୋଗୀମାନଙ୍କୁ ଯେପରି ଠିକ୍‌ ସମୟରେ ସେବା ଯୋଗାଇ ଦେଇପାରିବେ, ତାକୁ ସୁନିଶ୍ଚିତ କରାଯିବ। ଆବଶ୍ୟକତା ଅନୁଯାୟୀ ୧୦୦ଟି ଆମ୍ବୁଲାନ୍‌ସ ନିୟୋଜିତ କରିବା ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଗଲା ।

୬-କୋଭିଡ ସମୟରେ ଲୋକଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ସ୍ବତନ୍ତ୍ର ଫୋକ୍‌ସ କରାଯାଇ କାଉନସେଲିଂ ପାଇଁ ପ୍ରଫେସନାଲ୍‌ ମାନଙ୍କୁ ଦାୟିତ୍ବ ଦିଆଯିବ।

ଗଞ୍ଜାମରେ କୋଭିଡ ନିୟନ୍ତ୍ରଣ ପାଇଁ ସମୟୋଚିତ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ। ଆଗକୁ ମଧ୍ୟ ଏହିପରି ଭାବେ ଉତ୍ସର୍ଗୀକୃତ ସେବା ଜାରି ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ।

ଏହି ସମୀକ୍ଷା ବୈଠକରେ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ ମଧ୍ୟ ଭିଡିଓ କନ୍‌ଫରେନ୍‌ସିଂରେ ଯୋଗ ଦେଇ ସୁଚିନ୍ତିତ ମତାମତ ଦେଇଥିଲେ।

ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲାପାଳ କୋଭିଡ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ପୋଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିଶନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe