କରୋନା ମୁକାବିଲା : ଫୋକସ୍‌ରେ ଗଞ୍ଜାମ, ଆଜିଠାରୁ ପ୍ଲାଜ୍‌ମା ଥେରାପି

Advertisment

ଆଉ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ

ଆଉ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ

ୟୁପିର କେଜିଏମ୍‌ୟୁରେ ଖୋଲିଲା ଦେଶର ସବୁଠାରୁ ବଡ଼ ପ୍ଲାଜ୍‌ମା ବ୍ୟାଙ୍କ

news.utexas.edu

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର
ସର୍ଭେ କରୁଥିବା ଆଶା, ଅଙ୍ଗନବାଡି କର୍ମୀଙ୍କୁ ମାସକୁ ହଜାରେ ଟଙ୍କା ପ୍ରୋତ୍ସାହନ
କୋଭିଡ ହସ୍‌ପିଟାଲର ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କୁ ଦୈନିକ ସ୍ବତନ୍ତ୍ର ଭତ୍ତା

ଭୁବନେଶ୍ୱର : ଆଜିଠାରୁ ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍ ହସ୍‌ପିଟାଲରେ ପ୍ଲାଜ୍‌ମା ଥେରାପି ଆରମ୍ଭ କରାଯିବ। ୧୬ଟି ଆଇସିୟୁ ବେଡ୍‌ ସହିତ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍‌ପିଟାଲ ପ୍ରତିଷ୍ଠା ଲାଗି ମଧ୍ୟ ଏମ୍ଓୟୁ ସ୍ବାକ୍ଷରିତ ହୋଇଛି। କେବଳ ସେତିକି ନୁହେଁ, ଗଞ୍ଜାମ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଜିଲ୍ଲାରେ ଆମ୍ବୁଲାନ୍‌ସ ସେବାକୁ ଆହୁରି ଦକ୍ଷ ଓ ସୁଦୃଢ କରାଯାଇ ରୋଗୀ ମାନଙ୍କୁ ଯେପରି ଠିକ୍‌ ସମୟରେ ସେବା ଯୋଗାଇ ଦେବା ପ୍ରକ୍ରିୟାକୁ କିଭଳି ସୁନିଶ୍ଚିତ କରାଯିବ ତା ଉପରେ ସରକାର ଗୁରୁତ୍ବ ଦେଇଛନ୍ତି। ଏଥିସହିତ ଆବଶ୍ୟକତା ଅନୁଯାୟୀ ୧୦୦ଟି ଆମ୍ବୁଲାନ୍‌ସ ନିୟୋଜିତ କରିବା ପାଇଁ ଜିଲ୍ଲାପାଳଙ୍କୁ ସରକାର ଆଜି କ୍ଷମତା ଦେଇଛନ୍ତି।

publive-image Sambad English

ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଅଧିକରୁ ଅଧିକ ସଂକ୍ରମିତ ଠାବ ହେବା ତଥା କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା ଲକ୍ଷ୍ୟ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଏଭଳି କିଛି ବଡ଼ ନିଷ୍ପତ୍ତି ନେବା ସହିତ ସମୁଦାୟ ସ୍ଥିତିର ସମୀକ୍ଷା କରିଛନ୍ତି। ଯେ କୌଣସି ପରିସ୍ଥିତିରେ ବି ଗଞ୍ଜାମରେ ସ୍ଥିତି ନିୟନ୍ତ୍ରଣ କରାଯିବା ଉପରେ ନବୀନ ଠୋସ୍ ପଦକ୍ଷେପ ନେବା ଲାଗି ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ସାରା ରାଜ୍ୟରେ କୋଭିଡ୍ ମୁକାବିଲା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ସରକାର ଆଜି ବିଭିନ୍ନ ବର୍ଗକୁ ଖୁସି କରିବା ଭଳି କିଛି ନିଷ୍ପତ୍ତି ବି ଶୁଣାଇଛନ୍ତି। ଏହି କ୍ରମରେ କୋଭିଡ ରୋଗୀଙ୍କୁ ଚିକିତ୍ସା କରୁଥିବା ଦିନ ମାନଙ୍କରେ ଡାକ୍ତରମାନେ ଦୈନିକ ୧୦୦୦ ଟଙ୍କା, ପାରା ମେଡିକାଲ କର୍ମଚାରୀମାନେ ୫୦୦ ଟଙ୍କା ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ୨୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପାଇବେ।

publive-image

ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର କୋଭିଡ୍ ସ୍ଥିତି ସମୀକ୍ଷା କରିବା ପରେ ସରକାରଙ୍କ ପକ୍ଷରୁ ଏକାଧିକ ଘୋଷଣା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ତାଙ୍କ ନିଷ୍ପତ୍ତି ଶୁଣାଇ କହିଥିଲେ ଯେ ଆସନ୍ତାକାଲିଠାରୁ ଗଞ୍ଜାମରେ ପ୍ଲାଜ୍‌ମା ଥେରାପି ଆରମ୍ଭ କରାଗଲେ ସଂପୃକ୍ତ ଜିଲ୍ଲା ବ୍ୟତୀତ ଆଖପାଖ ଜିଲ୍ଲାର ଗୁରୁତର କୋଭିଡ ରୋଗୀ ଉପକୃତ ହେବେ। ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇବ। ଯେହେତୁ ସମ୍ ଓ ଅଶ୍ବିନୀରେ ସଫଳତା ମିଳିଛି, ଏଣୁ ଏଭଳି ଆଶା ରଖି ସରକାର ଏଠାରେ ମଧ୍ୟ ପ୍ଲାଜ୍‌ମା ଥେରାପି ଗୁରୁତର ଆକ୍ରାନ୍ତଙ୍କ କ୍ଷେତ୍ରରେ ପ୍ରୟୋଗ ଲାଗି ନିଷ୍ପତ୍ତି ନେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବ୍ରହ୍ମପୁରର ଅମିତ ହସ୍‌ପିଟାଲରେ ୧୬ଟି ଆଇସିୟୁ ବେଡ୍‌ ସହିତ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ପ୍ରତିଷ୍ଠା କରାଯିବ। ଏହାକୁ କଟକର ଅଶ୍ବିନୀ ହସ୍‌ପିଟାଲ ପରିଚାଳନା କରିବେ। ଏଥିପାଇଁ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଅଶ୍ବିନୀ ହସ୍‌ପିଟାଲ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି।

ପୂର୍ବରୁ ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା ପାଇଁ ଅତିରିକ୍ତ ଭାବେ ୨ ଜଣ ଆଇଏଏସ୍‌ ଅଫିସର, ୨୫ ଜଣ ଓଏଏସ୍‌ ଅଫିସର, ୧୦୫ ଜଣ ଓଆରଏସ୍ ଅଫିସର, ୩୦ ଜଣ ଏମବିବିଏସ୍ ଡାକ୍ତର, ୧୦୦ ଜଣ ଆୟୁଷ ଡାକ୍ତର ଏବଂ ୨୭ ଜଣ ଲାବୋରେଟୋରି ଟେକ୍‌ନିସିଆନଙ୍କୁ ନିୟୋଜିତ ହୋଇଥିଲେ। ଆଜି ଆଉ ୩ ଜଣ ଡିଏସ୍‌ପିଙ୍କ ସମେତ ବିଭିନ୍ନ ପାହ୍ୟାର ଅଫିସର ଏବଂ ୧୦ ପ୍ଲାଟୁନ ପୁଲିସ ପଠାଯିବାକୁ ନିଷ୍ପତ୍ତି ହୋଇଛି। କୋଭିଡ୍ ସମୟରେ ଲୋକଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ସ୍ବତନ୍ତ୍ର ଫୋକ୍‌ସ କରାଯାଇ କାଉନସେଲିଂ ପାଇଁ ପ୍ରଫେସନାଲ୍‌ମାନଙ୍କୁ ଦାୟିତ୍ବ ଦିଆଯିବାକୁ ସ୍ଥିର ହୋଇଛି।

ଏହି ଅବସରରେ ନବୀନ ସାରା ରାଜ୍ୟର ବିଭିନ୍ନ କୋଭିଡ ହସ୍‌ପିଟାଲ, କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର କିମ୍ବା କୋଭିଡ କେୟାର କେନ୍ଦ୍ରରେ କାମ କରୁଥିବା ଡାକ୍ତର, ପାରା ମେଡିକାଲ କର୍ମଚାରୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ପାଇଁ ଦୈନିକ ପ୍ରୋତ୍ସାହନ ରାଶି ଘୋଷଣା କଥା କହିଥିଲେ। ସେହିଭଳି ଏକଥା ବି ଶୁଣାଇଥିଲେ େଯ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପର୍ଯ୍ୟବେକ୍ଷଣ କରୁଥିବା ଆଶାକର୍ମୀଙ୍କୁ ୨୦୨୦ ଜୁଲାଇ ମାସରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ସର୍ଭେ ଓ ସ୍ବତନ୍ତ୍ର ସର୍ଭେ ପାଇଁ ମାସକୁ ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ। ଘରକୁ ଘର ବୁଲି ସ୍ବାସ୍ଥ୍ୟ ପର୍ଯ୍ୟବେକ୍ଷଣ କରୁଥିବା ତଥା ସ୍ବତନ୍ତ୍ର ସର୍ଭେ କରୁଥିବା ଅଙ୍ଗନବାଡି କର୍ମୀମାନେ ଏହି ସର୍ଭେ ସମୟ ମଧ୍ୟରେ ମାସକୁ ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପାଇବେ।

ଆଜିର ବୈଠକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ମଧ୍ୟ ଭିଡିଓ କନ୍‌ଫରେନ୍‌ସିଂରେ ଯୋଗ ଦେଇ ସୁଚିନ୍ତିତ ମତାମତ ଦେଇଥିଲେ। ବାଚସ୍ପତି ଶ୍ରୀ ପାତ୍ର ସହରାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳ ଉପରେ ଅଧିକ ଫୋକ୍‌ସ କରିବା ପାଇଁ ପରାମର୍ଶ ଦେଇଥିଲେ। ଗ୍ରାମାଞ୍ଚଳରେ ଯେଉଁ ମାନଙ୍କର ସୁବିଧା ଅଛି, ସେମାନଙ୍କ ପାଇଁ ଗୃହରେ ସଙ୍ଗରୋଧ ସୁବିଧା ପ୍ରଦାନ ଲାଗି ମନ୍ତ୍ରୀ ଶ୍ରୀ ଆରୁଖ ପରାମର୍ଶ ଦେଇଥିଲେ।

ପ୍ରାରମ୍ଭରେ ଗଞ୍ଜାମ ଜିଲ୍ଲାପାଳ କୋଭିଡ ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ପୁଲିସ ମହାନିର୍ଦ୍ଦେଶକ, ଉନ୍ନୟନ କମିସନର, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିସନର ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe