ପଶ୍ଚିମ ଓଡ଼ିଶାରେ ପ୍ରଭାବିତ ହେବ ପ୍ଲାଜମା ଚିକିତ୍ସା

Advertisment
ପଶ୍ଚିମ ଓଡ଼ିଶାରେ ପ୍ରଭାବିତ ହେବ ପ୍ଲାଜମା ଚିକିତ୍ସା

plazam theraphy

ସମ୍ବଲପୁର : ଉଦ୍‌ଘାଟନର ମାତ୍ର ଅଢେଇ ମାସ ମଧ୍ୟରେ ଖରାପ ହୋଇଗଲା ବୁର୍ଲା ରକ୍ତଭଣ୍ଡାର ପ୍ଲାଜମା ଷ୍ଟୋରେଜ ଫ୍ରିଜ। ଏହାର ମରାମତି ପାଇଁ ୨ ଦିନ ହେଲା ବୁର୍ଲା ରକ୍ତଭଣ୍ଡାର କର୍ତ୍ତୃପକ୍ଷ ଭୁବନେଶ୍ବର କାର୍ଯ୍ୟାଳୟକୁ ସୂଚନା ଦେଇଛନ୍ତି। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ମରାମତି ପାଇଁ କେହି ଆସିନାହାନ୍ତି। ଅନ୍ୟଦିଗରେ ପ୍ଲାଜମା ନେବା ପାଇଁ ଆବଶ୍ୟକ କିଟ୍‌ର ଅଭାବ ପଡ଼ିଲାଣି। ପୂଜା ଛୁଟି ମଧ୍ୟରେ ଫ୍ରିଜ ମରାମତି ସହିତ ରକ୍ତଭଣ୍ଡାରକୁ ଆବଶ୍ୟକ କିଟ୍‌ ଯୋଗାଇ ଦିଆ ନ ଗଲେ ଆଗାମୀ ଦିନରେ କୋଭିଡ ମୁକାବିଲାବେଳେ ପ୍ଲାଜମା ଚିକିତ୍ସା ଗୁରୁତର ପ୍ରଭାବିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ବୁର୍ଲା ରକ୍ତଭଣ୍ଡାର ମୁଖ୍ୟ ଅଧିକାରୀ ଡ.ଚିତ୍ତରଞ୍ଜନ ପ୍ରସାଦଙ୍କ ସୂଚନା ଅନୁଯାୟୀ, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା ଏବଂ ରାଉରକେଲାସ୍ଥିତ ଉଭୟ ସରକାରୀ ଏବଂ ଘରୋଇ ଡାକ୍ତରଖାନା ପ୍ଲାଜମା ପାଇଁ ବୁର୍ଲା ରକ୍ତଭଣ୍ଡାର ଉପରେ ନିର୍ଭରଶୀଳ। ଏଠାରୁ ମାସକୁ ହାରାହାରି ୧୫୦ ୟୁନିଟ୍‌ ପ୍ଲାଜମା ଏହି ଡାକ୍ତରଖାନାମାନଙ୍କୁ ପଠାଯାଏ। କୋଭିଡ୍‌ମୁକ୍ତ ବୁର୍ଲା ରକ୍ତଭଣ୍ଡାରରେ ପ୍ଲାଜ୍‌ମା ସଂଗ୍ରହ ପରେ ଏଠାରେ ଥିବା ସ୍ବତନ୍ତ୍ର ପ୍ଲାଜମା ଷ୍ଟୋରେଜ ଫ୍ରିଜରେ ରଖାଯାଏ। ମାତ୍ର ୨ ଦିନ ହେଲା ଫ୍ରିଜ୍‌ ଅଚଳ ହେବା ଯୋଗୁଁ ସାଧାରଣ ପ୍ଲାଜମା ଷ୍ଟୋରେଜ ଫ୍ରିଜ୍‌ରେ କୋଭିଡ୍‌ ପ୍ଲାଜମା ରଖାଯାଉଛି। ଏଥିସହ ପ୍ଲାଜ୍‌ମା ସଂଗ୍ରହ ପାଇଁ ଆବଶ୍ୟକ କିଟ୍‌ର ମଧ୍ୟ ଅଭାବ ରହିଛି। ୧୫ ଦିନ ପୂର୍ବରୁ ଭୁବନେଶ୍ବରରୁ ଆସିଥିବା କିଟ୍‌ ମଧ୍ୟରୁ କେବଳ ୨୦ଟି ରହିଛି। ପୂଜା ପାଇଁ ବର୍ତ୍ତମାନ କର୍ମଚାରୀ ଛୁଟିରେ ଥିବାରୁ ପ୍ଲାଜମା ନିଆଯିବ ନାହିଁ। ଏହାପରେ କିଟ୍‌ ନଆସିଲେ ସମସ୍ୟା ସୃଷ୍ଟି ହେବ। ଏଥିସଂକ୍ରାନ୍ତରେ ଭୁବନେଶ୍ବର ରକ୍ତଭଣ୍ଡାରକୁ ସୂଚନା ଦିଆଯାଇଛି ବୋଲି ଡ. ପ୍ରସାଦ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe