ପୁଣି ୫-ଟି ସ୍କୁଲ ଛାତରୁ ଖସିଲା ପ୍ଳାଷ୍ଟର, ଜୀବନ ବଞ୍ଚାଇବାକୁ ବାହାରକୁ ଦୌଡି ପଳାଇଲେ ୨ ଶିକ୍ଷକ

Advertisment
ପୁଣି ୫-ଟି ସ୍କୁଲ ଛାତରୁ ଖସିଲା ପ୍ଳାଷ୍ଟର, ଜୀବନ ବଞ୍ଚାଇବାକୁ ବାହାରକୁ ଦୌଡି ପଳାଇଲେ ୨ ଶିକ୍ଷକ

ଘଟଗାଁ: ସରକାର ୫-ଟି ଯୋଜନାରେ ବିଦ୍ୟାଳୟ ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଏହା ଅନେକ କ୍ଷେତ୍ରରେ ଧର୍ମକୁ ଆଖିଠାର ସଦୃଶ ହୋଇଛି। ‌କେନ୍ଦୁଝର ଜିଲ୍ଲା ଏହାର ଉତ୍କୃଷ୍ଟ ଉଦାହରଣ। ଜିଲ୍ଲାର କେତେକ ସ୍କୁଲରେ ନମ୍ନମାନର କାମ ଯୋଗୁଁ ବିପଦକୁ ବରଣ କରିଛି। ଗତ ମାସ ଅର୍ଜୁନବିଲା ସ୍କୁଲ ଛାତରୁ ପ୍ଲାଷ୍ଟର ଖସି ୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଆଜି ଢ଼େଙ୍କିକୋଟ ସତ୍ୟନାରୟଣ ବିଦ୍ୟାପୀଠ କମନରୁମ୍ ଛାତରୁ ପ୍ଲାଷ୍ଟର ଖସିଛି। କମନ ରୁମରେ ଶିକ୍ଷକ ମଦନ ମୋହନ ମହାନ୍ତ ଓ ମଧୁସ୍ମିତା ମହାପାତ୍ର ବସିଥିଲେ। ହଠାତ୍‌ ଶବ୍ଦ ହେବାରୁ ଦୁହେଁ ଜୀବନ ବଞ୍ଚାଇବାକୁ ବାହାରକୁ ଦୌଡି ପଳାଇବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ବିଦ୍ୟାଳୟଟି ଦୀର୍ଘ ୫୦ ତଳୁ ପ୍ରତିଷ୍ଠା ହୋଇଥିଲା। ୫-ଟି ଯୋଜନାରେ କୌଣସି ନୂତନ ଗୃହ ନିର୍ମାଣ କରା ନଥିବା ବେଳେ କିଛି ପୁରାତନ ଗୃହର ମରାମତି କରାଯାଇଥିଲା। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଘଟଗାଁ ପଞ୍ଚାୟତ ସମିତି ପକ୍ଷରୁ ଏହି କାର୍ଯ୍ୟକୁ ୫୫ ଲକ୍ଷ ଟଙ୍କା ଅଟକଳରେ ୨୦୨୧-୨୨ ମସିହାରେ ମରାମତି କରାଯାଇଥିଲା। ଏହି କାର୍ଯ୍ୟକୁ କରିଥିଲେ ଘଟଗାଁ ବ୍ଲକ୍ ଅଞ୍ଚଳର କିଛି ଆଗ ଧାଡ଼ିର ଠିକାଦାର, ଯାହାର ପରିଣାମ ଓ କାମର ଫଳାଫଳ ଆଜି ଦେଖିବାକୁ ମିଳିଛି।

ମୋ ସରକାରରେ ଅନ୍ତର୍ଭୁକ୍ତ ହେବାପରେ ବିଦ୍ୟାଳୟ ସୌନ୍ଦର୍ଯ୍ୟୀକରଣ, ବିଜ୍ଞାନଗୃହ, ପରିସ୍ରାଗାର, ଖେଳପଡ଼ିଆ, ଇ-ଲାଇବ୍ରେରି, ଇ-କ୍ଲାସ୍ ରୁମ ହୋଇ ପାରିନାହିଁ। ଧର୍ମକୁ ଆଖିଠାର ସଦୃଶ ରଠ କାମକରି ବିଲ୍ ଉଠାଇ ନେଇଛନ୍ତି ପ୍ରଭାବଶାଳୀ ଠିକାଦାର। ବର୍ତ୍ତମାନ ବିଦ୍ୟାଳୟର ପୂର୍ବ ଗୌରବ ନାହିଁ କି ରାଜ୍ୟ ସରକାରଙ୍କ ନୂତନ ନବକଳେବରର କୌଣସି ଗନ୍ଧବାସ୍ନା  ନାହିଁ l ଯେଉଥି ପାଇଁ ଆଜି ଅଳ୍ପକେ ଦୁଇ ଦୁଇଟି ଜୀବନ ବଞ୍ଚିଯାଇଛି। ଏତେ ସବୁ ପରେ ବି ଏହି ବିଦ୍ୟାଳୟ ଉପରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡ଼ୁ ନାହିଁ।

ସୂଚନାଯୋଗ୍ୟ, ଗତ ମାସ ଅର୍ଜୁନବିଲା ସ୍କୁଲରେ ଛାତରୁ ପ୍ଲାଷ୍ଟର ଖସି ୫ ଜଣ ଛାତ୍ରଛତ୍ରୀ ଆହତ ହୋଇ ଘଟଗାଁ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ଏହି ଘଟଣାରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀକୁ ବଦଳି କରି ଘଟଣାକୁ ଏକପ୍ରକାର ଚପାଇ ଦିଆଯାଇଥିଲା। ମାତ୍ର ଆଜିର ଘଟଣା ୫-ଟି ଯୋଜନାରେ ୫୫ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା କାର୍ଯ୍ୟ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କେବଳ ମରାମତି ଓ ରଙ୍ଗ ମରାରେ କାମ ଶେଷ ହୋଇଛି। ଏନେଇ ଖୋଦ ମୋ ବିଦ୍ୟାଳୟ ଶିକ୍ଷା କମିଟିର ସଭାପତି ସଞ୍ଜୟ  ସାହୁ ଗଭୀର ଉଦ୍‌ବେଗ ପ୍ରକାଶ ସହ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe