ଆଜିଠାରୁ ସବୁ ସହରରେ ପ୍ଲାଷ୍ଟିକ୍ ନିଷିଦ୍ଧ, ସଚେତନତା, ଚଢ଼ଉ, ଦଣ୍ଡବିଧାନ ଏକା ସଙ୍ଗେ ଚାଲିବ

ପ୍ଲାଷ୍ଟିକ ମୁକ୍ତ ଭାରତର ସ୍ୱପ୍ନ

news.kuwaittimes.net

ଭୁବନେଶ୍ବର: ପୂର୍ବ ଘୋଷଣା ଅନୁଯାୟୀ ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ‘ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍’ ନିଷିଦ୍ଧ କରାଯିବ। ଗତକାଲି ଏ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ବିଜ୍ଞପ୍ତି ଜାରି କଲା ପରେ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ମହାନଗର ନିଗମ, ପୌରପାଳିକା ଓ ଏନ୍‌ଏସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ଲାଷ୍ଟିକ୍ ବ୍ୟବହାର ସମ୍ପର୍କରେ ସଚେତନତା, ଚଢ଼ଉ ଓ ଦଣ୍ଡବିଧାନ ଉପରେ ସରକାର ଗୁରୁତ୍ବ ଦେଇଛନ୍ତି। ସହରାଞ୍ଚଳ ପରେ ସାରା ରାଜ୍ୟରେ ପ୍ଲାଷ୍ଟିକ୍ ନିଷିଦ୍ଧ କରିବା ପାଇଁ ଯୋଜନା ରହିଛି।

ସିଙ୍ଗଲ୍‌ ୟୁଜ୍‌ଡ୍‌ ବା ଗୋଟିଏ ଥର ବ୍ୟବହାର କରି ଫୋପଡ଼ା ଯାଉଥିବା ପ୍ଲାଷ୍ଟିକ୍ ବୋତଲ ଓ ବ୍ୟାଗ ବ୍ୟବହାର ବନ୍ଦ କରିବା ଲାଗି ସରକାର ନିଷ୍ପତ୍ତି ନେଲା ପରେ ଗତ ୧୨ ତାରିଖରେ ଜନସାଧାରଣଙ୍କ ଆପତ୍ତି, ଅଭିଯୋଗ ଆହ୍ବାନ କରାଯାଇଥିଲା। ଏଥିପାଇଁ ୧୫ ଦିନ ସମୟ ଦିଆଯାଇଥିଲା। ଲୋକଙ୍କ ଠାରୁ ମତାମତ ମିଳିଲା ପରେ ଗତ ୩୦ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞପ୍ତି ଅନୁଯାୟୀ ପ୍ଲାଷ୍ଟିକ୍‌ରୁ ନିର୍ମିତ ଚାମଚ, କପ୍, ପ୍ଲେଟ୍‌, ଗ୍ଲାସ୍, ପାଉଚ୍ ଆଦି ବ୍ୟବହାର ଉପରେ କଟକଣା ଲଗାଯାଇଛି। ଆଧ୍ୟାତ୍ମିକସ୍ଥଳୀ, ହୋଟେଲ୍‌, ରେସ୍ତୋଁରା, ଭ୍ରାମ୍ୟମାଣ ଖାଦ୍ୟ କାଉଣ୍ଟର୍‌, ବିବାହ ଉତ୍ସବ, ଅନୁଷ୍ଠାନ, କାର୍ଯ୍ୟାଳୟରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାର ହେଲେ ସଂପୃକ୍ତ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଏ ସମ୍ପର୍କରେ ଦାୟୀ ରହିବେ। ପ୍ଲାଷ୍ଟିକ୍‌ର ବ୍ୟବହାର ବନ୍ଦ ହେବା ସହ ଏହାର ଉଚିତ ପରିଚାଳନା ଓ ପୁନଃଚକ୍ରଣ ନେଇ ପୌର ସଂସ୍ଥାଗୁଡ଼ିକ ପଦକ୍ଷେପ ନେବେ। ପ୍ରତି ଜିଲ୍ଲାରେ ଜିଲ୍ଲାପାଳମାନେ ଅତିରିକ୍ତ ଜିଲ୍ଲାପାଳ, ଏସ୍‌ପି, ବନ ବିଭାଗ ଅଧିକାରୀ, ତହସିଲ୍‌ଦାର୍, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଓ ପୌର ସଂସ୍ଥାର ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରିବେ। ଏହି ଟିମ୍ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ପଲିଥିନ୍ ବ୍ୟବହାରକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଗତ ବର୍ଷ ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ପାଞ୍ଚଟି ମହାନଗର ନିଗମ ଓ ପୁରୀ ସହରରେ ପ୍ଲାଷ୍ଟିକ୍ ନିଷିଦ୍ଧ କରାଯାଇଥିଲା। ଏହା ମଧ୍ୟରେ ପାଖାପାଖି ଏକ ବର୍ଷ ବିତିଯାଇଥିଲେ ବି ୬ଟି ସହରରୁ ପ୍ଲାଷ୍ଟିକ୍ ନିଷିଦ୍ଧ କରିବାକୁ ପ୍ରଶାସନ ସମ୍ପୂର୍ଣ୍ଣ ସଫଳ ‌େହାଇ ନାହିଁ। ତେଣୁ ସବୁ ସହରାଞ୍ଚଳରେ ପ୍ଲାଷ୍ଟିକ୍ ବ୍ୟବହାର ନିଷିଦ୍ଧ କେବଳ ଘୋଷଣାରେ ରହିବ ନା ବାସ୍ତବରେ କାର୍ଯ୍ୟକାରୀ ହେବ, ତାହା ଆଗାମୀ ଦିନରେ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe