ପ୍ଲାଷ୍ଟିକ୍‌ ବ୍ୟାନ୍‌, ଆରମ୍ଭରୁ ଝୁଣ୍ଟିଲା: ରାଉରକେଲା, କଲୁଙ୍ଗା ଶିଳ୍ପାଞ୍ଚଳରେ ଡଜନେରୁ ଅଧିକ ଫ୍ୟାକ୍ଟ୍ରି

Advertisment

ମନଇଚ୍ଛା ଉତ୍ପାଦନ କରୁଛନ୍ତି ନିଷିଦ୍ଧ ପ୍ଲାଷ୍ଟିକ୍‌ଯୁକ୍ତ ସାମଗ୍ରୀ

ମନଇଚ୍ଛା ଉତ୍ପାଦନ କରୁଛନ୍ତି ନିଷିଦ୍ଧ ପ୍ଲାଷ୍ଟିକ୍‌ଯୁକ୍ତ ସାମଗ୍ରୀ

ପ୍ଲାଷ୍ଟିକ୍‌ ବ୍ୟାନ୍‌, ଆରମ୍ଭରୁ ଝୁଣ୍ଟିଲା: ରାଉରକେଲା, କଲୁଙ୍ଗା ଶିଳ୍ପାଞ୍ଚଳରେ ଡଜନେରୁ ଅଧିକ ଫ୍ୟାକ୍ଟ୍ରି

ରାଉରକେଲା: ନିଷିଦ୍ଧ ପ୍ଲାଷ୍ଟିକ୍‌ ବ୍ୟବହାର ବର୍ଜନ ପାଇଁ ଏକାଧିକବାର ନିୟମ ‌ପ୍ରଣୟନ ହୋଇଛି। ଏହାର କଡ଼ା ପାଳନ ପାଇଁ ନିର୍ଦ୍ଦେଶାନାମା ବି ଜାରି ହୋଇଛି। ଏମିତିକି ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ ବି ଦିଆଯାଉଛି। ମାତ୍ର ସ୍ଥିତି ‘ଯଥା ପୂର୍ବଂ, ତଥା ପରଂ’। ଏଥିପାଇଁ ଦୋକାନୀ, ଜନସାଧାରଣଙ୍କ ବେପରୁଆ ମନୋଭାବ ଯେତିକି ପରିମାଣରେ ଦାୟୀ, ତା’ଠାରୁ ଅଧିକ ସରକାରୀ କଳର ନିଷ୍କ୍ରିୟତା। ଖାସ୍‌ ଏହି କାରଣରୁ ସଂପ୍ରତି ରାଉରକେଲାରେ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ବ୍ୟବହାର ବଢ଼ିଚାଲିଛି ସିନା, କମିବାର ନାଁ ନେଉନି।

ଗତ ୧ ତାରିଖରୁ ଦେଶରେ ପ୍ଲାଷ୍ଟିକ୍‌ର ଉତ୍ପାଦନ, ଆମଦାନୀ, ବିତରଣ ଓ ବ୍ୟବହାରକୁ କେନ୍ଦ୍ର ସରକାର ନିଷିଦ୍ଧ କରିଛନ୍ତି। ଏହି କ୍ରମରେ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ପକ୍ଷରୁ ସିଙ୍ଗଲ୍‌ ୟୁଜ୍‌ ପଲିଥିନର ବ୍ୟବହାରକୁ ବନ୍ଦ କରିବାକୁ ଆହ୍ବାନ ଦିଆଯାଇଥିଲା। ମାତ୍ର ଏନେଇ ଆବଶ୍ୟକୀୟ ପ୍ରଚାର ପ୍ରସାର ଓ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଅଭାବ ଯୋଗୁଁ, ଏହା ଆରମ୍ଭରୁ ବାଟବଣା ହୋଇଯାଇଛି। ନିୟମିତ ଯାଞ୍ଚ କରାଯାଉନଥିବାରୁ ଦୋକାନୀଙ୍କ ଚେତା ପଶୁନି। ଯଦ୍ବାରା ଏବେ ବି ସହରର ପ୍ରତ୍ୟେକ ଛୋଟବଡ଼ ଦୋକାନଠାରୁ ଆରମ୍ଭକରି ସପିଂ ମଲ୍‌ ପର୍ଯ୍ୟନ୍ତ; ସବୁଠାରେ ନିଷିଦ୍ଧ ପଲିଥିନର ବ୍ୟବହାର ହେଉଛି। କେବଳ ବ୍ୟବହାରକାରୀଙ୍କ ବିରୋଧରେ ନୁହେଁ; ବରଂ ଉତ୍ପାଦନକାରୀ ଉପରେ ମଧ୍ୟ ଅଙ୍କୁଶ ଲାଗିପାରିନି। ରାଉରକେଲା ଓ ସହର ଉପକଣ୍ଠ କଳୁଙ୍ଗା ଶିଳ୍ପାଞ୍ଚଳରେ ଡଜନେରୁ ଅଧିକ ନିଷିଦ୍ଧ ପ୍ଲାଷ୍ଟିକ୍‌ଯୁକ୍ତ ସାମଗ୍ରୀ ଉତ୍ପାଦନକାରୀ ଫ୍ୟାକ୍ଟ୍ରି ରହିଛି। କେବଳ କଳୁଙ୍ଗା ଶିଳ୍ପାଞ୍ଚଳରେ ଏହି ଧରଣର ୫ରୁ ଅଧିକ ଫ୍ୟାକ୍ଟ୍ରି ରହିଛି। ଏଠାରେ ପ୍ଲାଷ୍ଟିକ୍‌ ଗ୍ଲାସ୍‌, ପ୍ଲେଟ୍‌, ଖଲି, ଦନା, ପଲିଥିନ, ପ୍ଲାଷ୍ଟିକ୍‌ ବୋତଲ, ଆଇସକ୍ରିମ୍‌ ଜରି ଆଦି ଉତ୍ପାଦନ ହେଉଛି। ଏମାନେ ବର୍ଷବର୍ଷ ହେଲା ନିରଙ୍କୁଶଭାବେ ଉତ୍ପାଦନ ଜାରି ରଖିଛନ୍ତି।

ଇସ୍ପାତସହରରେ ନିଷିଦ୍ଧ ପ୍ଲାଷ୍ଟିକ୍‌, ପଲିଥିନ୍‌ ବ୍ୟାନ୍‌ ସଂପୂର୍ଣ୍ଣ ବିଫଳ ହେବାର ଇତିହାସ ଢ଼େର୍‌ ପୁରୁଣା। ଗତ ୨୦୧୮ ଅକ୍ଟୋବର ୨ ତାରିଖରେ କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ବର୍ଜ୍ୟ ପ୍ଲାଷ୍ଟିକ ପରିଚାଳନା ନିୟମ-୨୦୧୬ ଏବଂ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପଲିଥିନର ବ୍ୟବହାର ଉପରେ ରୋକ୍‌ ଲଗାଯାଇଥିଲା। ଏହାପରେ ସେତେବେଳେ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ପକ୍ଷରୁ ନିଷିଦ୍ଧ ପ୍ଲାଷ୍ଟିକ, ପଲିଥିନ ବ୍ୟବହାର, ବିକ୍ରି, ଆମଦାନୀ, ଉତ୍ପାଦନ, ଯୋଗାଣ, ଗଚ୍ଛିତ ରଖିବା ଆଦି ଉପରେ ନିଷେଧାଦେଶ ଜାରି ହୋଇଥିଲା। ତଥାପି କୌଣସି ଫରକ୍‌ ନ ପଡ଼ିବାରୁ ଅମାନିଆଙ୍କଠାରୁ ଜରିମାନା ଆଦାୟ ପାଇଁ ଆର୍‌ଏମ୍‌ସି ୨୦୧୯ ଅଗଷ୍ଟ ୮ ତାରିଖରେ ନିର୍ଦ୍ଦେଶାନାମା ଜାରି କରିଥିଲା। ଏହାପରେ ଅବଶ୍ୟ କିଛି ଦିନ ଚଢ଼ଉ କରାଯାଇଥିଲା ସତ; ତା’ପରେ କିନ୍ତୁ ଏ ଦିଗକୁ ଭୁଲିଯାଇଥିଲେ ଆର୍‌ଏମ୍‌ସି କର୍ତ୍ତୃପକ୍ଷ। ପୂର୍ବରୁ ଦୁଇ ଦୁଇଥର ବିଫଳ ହୋଇଥିବାବେଳେ ଏଥର କ’ଣ ହେବ ତାହା ସମୟ କହିବ। କିନ୍ତୁ କର୍ତ୍ତୃପକ୍ଷଙ୍କ ବର୍ତ୍ତମାନର କାର୍ଯ୍ୟକଳାପକୁ ତର୍ଜମା କଲେ, ଏଥର ମଧ୍ୟ ସମାନ ତ୍ରୁଟିର ପୁନରାବୃତ୍ତି ହେବା ଆଶଙ୍କା ସର୍ବାଧିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe