ସମ୍ବଲପୁରରେ ଚାଞ୍ଚଲ୍ୟ, ବଜାରରେ ବିଷାକ୍ତ ପ୍ଲାଷ୍ଟିକ ଚାଉଳ !

ଏହି ଚାଉଳର ଭାତ ଖାଇ ଜଣେ ହସ୍ପିଟାଲରେ ଭର୍ତ୍ତି, ଅଭିଯୋଗ ପରେ ପୁଲିସର ତଦନ୍ତ ଜାରି

ସମ୍ବଲପୁରରେ ଚାଞ୍ଚଲ୍ୟ, ବଜାରରେ ବିଷାକ୍ତ ପ୍ଲାଷ୍ଟିକ ଚାଉଳ !

ସମ୍ବଲପୁର: କିଛି ମାସ ତଳେ ପ୍ଲାଷ୍ଟିକ ଅଣ୍ଡାକୁ ନେଇ ରାଜ୍ୟରେ ଅନେକ ତର୍କ-ବିତର୍କ ହୋଇଥିବା ବେଳେ ଏବେ ବଜାରକୁ ଅାସିଛି ପ୍ଲାଷ୍ଟିକ ଚାଉଳ। ପ୍ଲାଷ୍ଟିକ ଅଣ୍ଡାକୁ ନେଇ ଅାଲୋଚନା ଥମି ନ ଥିବା ବେଳେ, ପ୍ଲାଷ୍ଟିକ ଚାଉଳ ଘଟଣା ଏବେ ସତ ହୋଇଛି। ସମ୍ବଲପୁର ସହରର କ୍ଷେତରାଜପୁର ଅଞ୍ଚଳରେ ଦେଖାଯାଇଛି ଏଭଳି ଅଭାବନୀୟ ଘଟଣା। ବିଷାକ୍ତ ପ୍ଲାଷ୍ଟିକ ଚାଉଳର ଭାତ ଖାଇ ଜଣେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

କ୍ଷେତରାଜପୁର ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ସ୍ଥାନୀୟ ଅଞ୍ଚଳର କମଲ କର୍ମକାରଙ୍କ ମା’ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଘଟଣା ଲୋକଲୋଚନକୁ ଆସିଛି। କମଲ କର୍ମକାର ଗତ ଅକ୍ଟୋବର ୪ରେ କ୍ଷେତରାଜପୁରସ୍ଥିତ ଏକ ଗୋଦାମରୁ ‘ବଂଶୀବାଲା ବ୍ରାଣ୍ଡ’ର ଏକ ବସ୍ତା ଚାଉଳ କିଣି ଆଣିଥିଲେ। ଗୋଦାମରୁ ଅଣାଯାଇଥିବା ଚାଉଳରୁ ସେଦିନ ଭାତ ରୋଷେଇ କରାଯାଇଥିଲା। ପରିବାରର ସମସ୍ତ ସଦସ୍ୟ ରାତ୍ରି ଭୋଜନ ପରେ ଶୋଇ ଯାଇଥିଲେ। କିନ୍ତୁ ରାତିରେ କିଛି ସଦସ୍ୟଙ୍କର ପେଟ କାଟିଥିଲା।

ପ୍ରଥମ ଦିନ ସେମାନେ ପ୍ଲାଷ୍ଟିକ ଚାଉଳ ସମ୍ପର୍କରେ ଅବଗତ ହୋଇ ପାରି ନ ଥିଲେ। ଗୋଦାମରୁ ଅଣାଯାଇଥିବା ଚାଉଳରୁ ଗୁରୁବାର ପୁଣି ଥରେ ରୋଷେଇ ହୋଇଥିଲା। ଏଥର କମଲର ମା’ ହିଁ ଶିକାର ହୋଇଥିଲେ। ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ।  ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରୋଷେଇ ଖାଦ୍ୟ ଖାଇ ଗତ ଦୁଇ ଦିନ ଧରି ପରିବାର ଲୋକେ ଭାରି ହଟହଟା ହେଉଥିବା ବେଳେ, ସେମାନେ ଚାଉଳ ଉପରେ ସନ୍ଦେହ କରିଥିଲେ। ଚାଉଳ ପ୍ୟାକେଟକୁ ଠିକ୍‌ ଭାବରେ ଦେଖିବାରୁ ମନରେ ସନ୍ଦେହ ଜାତ ହୋଇଥିଲା। ପରେ କ୍ଷେତରାଜପୁର ପୁଲିସ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ।

ପୁଲିସର ତଦନ୍ତ ଜାରି
କ୍ଷେତରାଜପୁର ଥାନାକୁ ଅଭିଯୋଗ ଆସିବା ପରେ ପୁଲିସ କମଲ କର୍ମାକରଙ୍କ ଘରକୁ ଆସି ବିଷାକ୍ତ ପ୍ଲାଷ୍ଟିକ ଚାଉଳ ବସ୍ତାକୁ ଜବତ କରିଛି। ଏଥି ସହିତ ଚାଉଳ ବସ୍ତା ଉପରେ ଥିବା ଠିକଣା ଓ କ୍ଷେତରାଜପୁର ଅଞ୍ଚଳର ଚାଉଳ ବ୍ୟବସାୟୀଙ୍କ ଠିକଣାକୁ ଆଧାର କରି ପୁଲିସ ଘଟଣା ତଦନ୍ତ କରୁଛି।

ରାୟପୁରରୁ ଆସୁଛି ଚାଉଳ
ବସ୍ତା ଉପରେ ଲେଖାଯାଇ ଥିବା ବ୍ରାଣ୍ଡରୁ ମିଳିଥିବା ସୂଚନା ଅନୁସାରେ କ୍ଷେତରାଜପୁରରେ ଥିବା ଚାଉଳ ଗୋଦାମର ମାଲିକ ଏହି ଚାଉଳକୁ ରାୟପୁର ଅଞ୍ଚଳର ଏକ ବ୍ୟବସାୟୀଙ୍କ ଠାରୁ ଆଣିଥିଲେ।  ଏହି ଚାଉଳ ଛତିଶଗଡ଼ର ରାୟପୁର ଜିଲ୍ଲା ଷ୍ଟେସନ ରୋଡ଼-ନଓ୍ଵାପରା ଅଞ୍ଚଳରୁ ଆସିଛି। ଚାଉଳ କେବେ ପ୍ୟାକିଂ ହୋଇଥିଲା ଓ ଏହାର ମୂଲ୍ୟ କେତେ ଟଙ୍କା କିଛି ଉଲ୍ଲେଖ ହୋଇ ନାହିଁ।

ଉତ୍ପାଦନ କମ୍ପାନିକୁ ନେଇ ସନ୍ଦେହ!
ଚାଉଳ ପ୍ୟାକେଟ ଉପରେ ଲେଖାଯାଇଥିବା କମ୍ପାନି ବ୍ରାଣ୍ଡ ‘ବଂଶୀବାଲା’ ମିଛ ହୋଇ ପାରିଥାଏ ବୋଲି ସନ୍ଦେହ ହେଉଛି। ଏହାରି ଉପରେ ଉଲ୍ଲେଖ ଥିବା ଠିକଣା ଉପରେ ମଧ୍ୟ ସନ୍ଦେହ ରହିଛି। କାରଣ ଏହି ଚାଉଳ ଆଉ କେଉଁଠାରେ ଉତ୍ପାଦନ ହୋଇ ‘ବଂଶୀବାଲା’ ଲେଖାଯାଇ ଥାଇପାରେ। ପୋଲିସର ତଦନ୍ତ ପରେ ଘଟଣା ସ୍ପଷ୍ଟ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe