କେନ୍ଦ୍ରମନ୍ତ୍ରୀମାନଙ୍କ ପ୍ରତିଶ୍ରୁତି ଫମ୍ପା ମାଠିଆର ଶବ୍ଦ: ବିଜେଡି

Advertisment
ଏପ୍ରିଲ ୧୯ରେ ବିଜେପି ଏବଂ ଭିଏଚପିର ବନ୍ଦ ଡାକରା, ଶାନ୍ତି ପାଇଁ ପଦଯାତ୍ରା କରିବ ବିଜେଡି

ଭୁବନେଶ୍ୱର: ଓଡ଼ିଶାକୁ କେନ୍ଦ୍ରମନ୍ତ୍ରୀମାନେ ଆସିବେ। ବଡ ବଡ ପ୍ରକଳ୍ପ ଓ ଶତାଧିକ କୋଟି ଟଙ୍କାର କଥା କହିବେ। ହେଲେ ଟଙ୍କାଟିଏର ମଧ୍ୟ କାର୍ଯ୍ୟ ହେବ ନାହିଁ। ସେମାନଙ୍କ କଥା ଠିକ୍‍ ଫମ୍ପା ମାଠିଆର ଶବ୍ଦ ଭଳି। ସାଢେ ୪ କୋଟି ଓଡ଼ିଶାବାସୀ ବିଜେପି ନେତାଙ୍କ ଏଭଳି କଥା ସହ ଅଭ୍ୟସ୍ତ ହୋଇଗଲେଣି ବୋଲି ଏଠାରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ବିଜେଡ଼ି ନେତାମାନେ ଅଭିଯୋଗ କରିଛନ୍ତି।

ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ ଓ ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର କହିଛନ୍ତି ଯେ ଗତ ୯ ବର୍ଷ ହେଲାଣି କୋଷ୍ଟାଲ ହାଇୱେ କଥା କେନ୍ଦ୍ର ମନ୍ତ୍ରୀମାନେ ପ୍ରତିଶ୍ରୁତି ଦେଇଥିଲେ। ତାହା ଆଜି ଫାଇଲ ଭିତରେ ରହିଯାଇଛି। ପଦ୍ମପୁର ରେଲୱେ ଲାଇନ୍‌, ସମ୍ବଲପୁର-କଟକ ଜାତୀୟ ରାଜପଥ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନେଇ ଓଡ଼ିଶାବାସୀଙ୍କୁ ଏଭଳି ମିଥ୍ୟା ପ୍ରତିଶ୍ରୁତି ଦିଆଯାଇଛି। ଭୁବନେଶ୍ୱର ରେଲୱେ ଷ୍ଟେସନକୁ ବିଶ୍ବସ୍ତରୀୟ କରିବା ପାଇଁ ୨୦୧୫ରେ ରେଳମନ୍ତ୍ରୀ ଘୋଷଣା କରିଥିଲେ। ଏପର୍ଯ୍ୟନ୍ତ ଓଡ଼ିଶାର ଜନସାଧାରଣ କ’ଣ ପାଇଲେ?

କଟକ ରେଳ ଷ୍ଟେସନ ପାଇଁ ରାଜ୍ୟ ସରକାର ଜମି ପ୍ରଦାନ କରିସାରିଛନ୍ତି ଏବଂ ଉନ୍ନତୀକରଣ ପାଇଁ ରାଜପଥ ପାର୍ଶ୍ବରୁ ଷ୍ଟେସନ୍‌କୁ ଦ୍ୱିତୀୟ ପ୍ରବେଶ ପଥ ପାଇଁ ଜାଗା ଦେଉଛନ୍ତି। ତା’ହେଲେ କେନ୍ଦ୍ର ସରକାର ଏବଂ ରେଳ ମନ୍ତ୍ରାଳୟ କ’ଣ କରୁଛି? ହରିଦାସପୁର-ପାରାଦୀପ ରେଳ ଲାଇନରେ ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ଗତ ୫ ବର୍ଷ ଧରି କେନ୍ଦ୍ରାପଡ଼ାବାସୀ ଲଗାତାର ଭାବେ ଦାବି କରୁଛନ୍ତି। ଏହି ଲାଇନ ପାଇଁ ଲୋକେ ୧୨୦୦ ଏକରରୁ ଅଧିକ ଜମି ଦେଲେ, ରେଳବାଇ ବିଭାଗ ତୁଳନାରେ ଓଡିଶା ସରକାର ଅଧିକ ଅର୍ଥ ଦେଲେ।

ଏଯାଏଁ କାହିଁକି ଯାତ୍ରୀବାହୀ ଟ୍ରେନ୍ ଚାଲିନି? ଅନୁଗୁଳ-ସୁକିନ୍ଦା ରେଳ ଲାଇନରେ ମଧ୍ୟ ସମାନ ଅବସ୍ଥା। ରେଳବାଇ ଓଡ଼ିଶାରୁ ବାର୍ଷିକ ୨୫ ହଜାର କୋଟି ଟଙ୍କାର ରାଜସ୍ୱ ନିଏ, ହେଲେ ବାର୍ଷିକ ମାତ୍ର ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରେ। ଯେତେବେଳେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୧୦ ହଜାର କୋଟିର ଅନୁଦାନ କଥା କୁହନ୍ତି ଏହି ଗଣିତ କେବଳ ସେମାନଙ୍କୁ ହିଁ ଜଣାଥାଏ ବୋଲି ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି। କେନ୍ଦ୍ର ଏବଂ କେନ୍ଦ୍ରମନ୍ତ୍ରୀମାନଙ୍କ ଏଭଳି ଛଳନା ଓ ପ୍ରତାରଣା ପାଇଁ ଓଡ଼ିଶାବାସୀ ଗତ ଦୁଇ ଦଶନ୍ଧି ଧରି ବିଜେପିକୁ ଉଚିତ ଜବାବ ଦେଇଆସିଛନ୍ତି। ଆଗକୁ ମଧ୍ୟ ଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତାମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe