Telegraph India
କଟକ : ଏସ୍ସିବିରେ ରହିଛି ରାଜ୍ୟର ଏକମାତ୍ର ହେପାଟୋଲୋଜି ବା ଯକୃତ ରୋଗ ବିଭାଗ। ବିଭାଗକୁ ପ୍ରତି ସପ୍ତାହରେ ହାରାହାରି ଭାବେ ୩ ଶହ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ସେଥିରୁ ୫୦ରୁ ଅଧିକ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୁଅନ୍ତି। ସେମାନଙ୍କ ମଧ୍ୟରୁ ୫/୬ ଗୁରୁତର ରୋଗୀଙ୍କୁ ଆଇସିୟୁର ଆବଶ୍ୟକତା ପଡିଥାଏ। କିନ୍ତୁ ବିଭାଗରେ ଆଇସିୟୁ ନଥିବାରୁ ସେଣ୍ଟ୍ରାଲ ଆଇସିୟୁ ଭରସାରେ ଚାଲିଛି ହେପାଟୋଲୋଜି ବିଭାଗ। ବିଭାଗ ଖୋଲିବାର ୧୫ବର୍ଷ ପରେ ସରକାର ବିଭାଗ ପାଇଁ ୪ଟି ଆଇସିୟୁ ଓ ଭିତ୍ତିଭୂମି ପାଇଁ ମଂଜୁରୀ ପ୍ରଦାନ କରିଥିଲେ ବି ଏସ୍ସିବି ସଂପ୍ରସାରଣ ଏମ୍ସ ପ୍ଲସ୍ ଯୋଜନା ଆଳରେ ସବୁ କିଛି ଅଟକି ରହିଛି।
ହେପାଟୋଲୋଜି ବା ଲିଭର ବିଭାଗ ୨୦୦୬ରେ ବିଧିବଦ୍ଧଭାବେ କଟକ ବଡ଼ ଡାକ୍ତରଖାନାରେ ଆରମ୍ଭ ହୋଇଥିଲା। ସ୍ବତନ୍ତ୍ର ହେପାଟୋଲୋଜି ବା ଲିଭର ବିଭାଗ ଦେଶର ୬/୭ଟି ସ୍ଥାନରେ ରହିଥିବାବେଳେ ସେଥିରୁ ଏସ୍ସିବି ହେଉଛି ଅନ୍ୟତମ। ବିଭାଗରେ ସପ୍ତାହକୁ ଦୁଇ ଦିନ ଅର୍ଥାତ୍ ବୁଧବାର ଓ ଶନିବାର ଆଉଟ୍ଡୋର ରହିଥାଏ। ସାରା ରାଜ୍ୟରୁ ଏପରିକି ରାଜ୍ୟ ବାହାରୁ ବି ରୋଗୀ ଚିକିତ୍ସା ଓ ପରାମର୍ଶ ପାଇଁ ଆସନ୍ତି। କଟକ ବଡ଼ ଡାକ୍ତରଖାନା ହେପାଟୋଲୋଜି ବା ଯକୃତ ବିଭାଗରେ ସବୁ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ରହିଛି। ଲିଭର ସୋରାସିସ୍, ଭାଇରାଲ ହେପାଟାଇଟିସ୍, ମଦ୍ୟପାନ ଜନିତ ହେପାଟାଇଟିସ୍, ଲିଭର କ୍ୟାନ୍ସର, ପିତ୍ତ କୋଷରେ ପଥର ବା କର୍କଟ ରୋଗ ଓ ସଂକ୍ରମଣ ଭଳି ସମସ୍ତ ଲିଭର ଜନିତ ରୋଗର ଚିକିତ୍ସା କରାଯାଏ ଏହି ବିଭାଗରେ। ବିଭାଗରେ ଶଯ୍ୟା ସଂଖ୍ୟା ୩୬ ରହିଥିବାବେଳେ ତାହା କିନ୍ତୁ ରୋଗୀଙ୍କୁ ପର୍ଯ୍ୟାପ୍ତ ହେଉନି। ଶଯ୍ୟା ସଂଖ୍ୟା ୬୦କୁ ବୃଦ୍ଧି କରାଯିବା ପାଇଁ ମଧ୍ୟ ଦୀର୍ଘଦିନ ଧରି ପ୍ରସ୍ତାବ ରହିଛି। ବିଭାଗରେ ବିଶେଷଜ୍ଞ ଡାକ୍ତର ୫ ଜଣ ରହିବା ପାଇଁ ମଂଜୁରୀ ଥିଲେ ବି ଅଛନ୍ତି ୪ ଜଣ। ପ୍ରଫେସର ଜଣେ, ଆସୋସିଏଟ୍ ପ୍ରଫେସର ଜଣେ, ଆସିଷ୍ଟାଣ୍ଟ ପ୍ରଫେସର ଦୁଇ ଜଣ ରହିଛନ୍ତି। ୨୦୧୯ରୁ ବିଭାଗରେ ଡିଏମ୍ ପାଠ୍ୟକ୍ରମ ଖୋଲିଥିବା ବେଳେ ୨ଟି ସିଟ୍ ରହିଛି। ବିଭାଗରେ ରୋଗୀଙ୍କ ସଂଖ୍ୟା ଅନୁଯାୟୀ ବେଡ ନ ଥିବାରୁ ତଳେ ଶୋଉଛନ୍ତି ରୋଗୀ। କିନ୍ତୁ ଆବଶ୍ୟକତା ଅନୁଯାୟୀ ବିଭାଗର ଭିତ୍ତିଭୂମି ବିକାଶ ନ ହେବା, ମଂଜୁରୀ ମିଳି ଥିଲେ ବି ତାହା କାର୍ଯ୍ୟକାରୀ ନ ହେବା ଘଟଣା ଏବେ ଅସନ୍ତୋଷର କାରଣ ହୋଇଛି।
Follow Us