photo by : newindianexpress.com
ଭୁବନେଶ୍ୱର : ଜୁନ୍ ୧୭ରେ ସରିବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା। ଛାତ୍ରଛାତ୍ରୀ ‘www.samsodisha.gov.in’ ମାଧ୍ୟମରେ ୧୭ ତାରିଖ ରାତି ୧୧ଟା ୪୫ ଯାଏ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ହାତରେ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମାତ୍ର ୩୩ ହଜାର ୭୪୯ ଜଣ ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ଫି’ ଦାଖଲ କରିଛନ୍ତି।
ବିଭାଗୀୟ ଓ୍ଵବସାଇଟ୍ରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୮-୧୯ ଶିକ୍ଷାବର୍ଷରେ ୧,୯୯୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ନାମଲେଖା ଅନୁଷ୍ଠିତ ହେଉଛି। ଏବେ ସୁଦ୍ଧା ୩ ଲକ୍ଷ ୬୮ ହଜାର ୧୮୯ ଜଣ ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ଆବେଦନ କରିଛନ୍ତି। ୨ ଲକ୍ଷ ୬୭ ହଜାର ୫୩୬ ଜଣଙ୍କ ଆବେଦନପତ୍ର ଗ୍ରହଣ କରାଯାଇଛି। ସେମାନଙ୍କ ମଧ୍ୟରୁ ମାତ୍ର ୩୩ ହଜାର ୭୪୯ ଜଣ ଅନ୍ଲାଇନ୍ରେ ଫି’ ଦାଖଲ କରିଥିବା ଜଣାପଡ଼ିଛି। ହାତରେ ଆଉ କମ୍ ସମୟ ରହିଥିବାରୁ ଛାତ୍ରଛାତ୍ରୀ ତୁରନ୍ତ ଆବେଦନ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ କୁହାଯାଇଛି।
ଜୁନ୍ ୨୩ରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଜୁନ୍ ୨୫ରୁ ୨୮ ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ଜୁଲାଇ ୩ରେ ପ୍ରକାଶ ପାଇବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟର ନାମଲେଖା ଜୁଲାଇ ୪ରୁ ୬ ମଧ୍ୟରେ ହେବ। ଜୁଲାଇ ୧୧ରେ ବଳକା ସିଟ୍ ପାଇଁ ତାଲିକା ବାହାରିବ। ତାଲିକାରେ ଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୫ରୁ ୧୭ ତାରିଖ ମଧ୍ୟରେ ଶେଷ ହେବ। ଜୁଲାଇ ୧୯ରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ।
Follow Us