ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ : ନାମଲେଖା ପାଇଁ ଜାରି ହେଲା ନିୟମାବଳୀ

Advertisment

୨୪,୫୭୨ ଛାତ୍ରଛାତ୍ରୀ ଯୋଗ୍ୟ, ଆଜିଠୁ ନାମଲେଖା

୨୪,୫୭୨ ଛାତ୍ରଛାତ୍ରୀ ଯୋଗ୍ୟ, ଆଜିଠୁ ନାମଲେଖା

ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ : ନାମଲେଖା ପାଇଁ ଜାରି ହେଲା ନିୟମାବଳୀ

photo by : The Financial Express

ଭୁବନେଶ୍ୱର : ଯୁକ୍ତ୩/ସ୍ୱୟଂଶାସିତ କଲେଜ, ସେଲ୍ଫ ଫାଇନାନ୍ସିଂ(ଡିଗ୍ର୍ରି) କଲେଜ/ସଂସ୍କୃତ(ଶାସ୍ତ୍ରୀ) କଲେଜରେ ଖାଲିଥିବା ସିଟ୍‌ରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ୨୪ ହଜାର ୫୭୨ ଛାତ୍ରଛାତ୍ରୀ ନାମଲେଖା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। କଳା ବିଭାଗରେ ସର୍ବାଧିକ ୧୫ ହଜାର ୧୬୧ ଛାତ୍ରଛାତ୍ରୀ ଥିବା ବେଳେ ବାଣିଜ୍ୟରେ ୧,୫୬୭, ସେଲ୍ଫ ଫାଇନାନ୍ସଂରେ ୩୫୮, ସଂସ୍କୃତରେ ୯୧, ଫିଜିକାଲ ସାଇନ୍ସରେ ୪ ହଜାର ୫୨ ଜଣ ଓ ବାୟୋଲୋଜିକାଲ ସାଇନ୍ସରେ ୩,୩୪୩ ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଡକାଯାଇଛି। ଏଥିରେ ୧୧ ହଜାର ୯୨୦ ଜଣ ଛାତ୍ର ଓ ୧୨ ହଜାର ୬୫୧ ଜଣ ଛାତ୍ରୀ ରହିଛନ୍ତି। ଅନ୍ୟାନ୍ୟ ବର୍ଗରୁ ଜଣେ ରହିଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତଥର ପରି ଏଥର ମଧ୍ୟ ଛୋଟ କଲେଜଗୁଡ଼ିକର କଟ୍‌ ଅଫ୍‌ ମାର୍କ ପ୍ରମୁଖ କଲେଜ ତୁଳନାରେ ଅଧିକ ରହିଛି। ବିଜେବି ସ୍ୱୟଂଶାସିତ କଲେଜ, ରେଭେନ୍ସା କଲେଜର କଟ୍‌ ଅଫ୍‌ ମାର୍କ ଆଗରେ ରହିଥିବା ଜଣାପଡ଼ିଛି।

ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଯୋଗ୍ୟ ଛାତ୍ରଛାତ୍ରୀ ଜୁଲାଇ ୧୨ ଓ ୧୩ରେ ନାମ ଲେଖାଇବେ। ଏହି ପର୍ଯ୍ୟାୟରେ ସ୍ଲାଇଡ୍‌ ଅପ୍‌ କେସ୍‌ଗୁଡ଼ିକ ମଧ୍ୟ ନାମ ଲେଖାଇପାରିବେ। ସ୍ଲାଇଡ୍‌ ଅପ୍‌ରେ ମନୋନୀତ ଛାତ୍ରଛାତ୍ରୀ ତାଙ୍କର ଉପର ପସନ୍ଦର କଲେଜକୁ ଯିବାକୁ ବାଧ୍ୟ,ଏଥର ଅଟୋ ସ୍ଲାଇଡ୍‌ ଅପ୍‌ ଏବଂ ଅଟୋ ଆଡମିସନ୍‌ ବ୍ୟବସ୍ଥା ହୋଇଛି। ୨୦୧୮-୧୯ ଶିକ୍ଷାବର୍ଷର ବଳକା ସିଟ୍‌ଗୁଡ଼ିକରେ ନାମଲେଖା ପାଇଁ ଜୁଲାଇ ୧୬ରୁ ଅଫ୍‌ ଲାଇନ୍‌ରେ କମନ୍‌ ଆପ୍ଲିକେସନ୍‌ ଫର୍ମ(ସିଏଏଫ୍‌)ରେ ନାମଲେଖା ହେବ। କଲେଜଗୁଡ଼ିକରେ ରିଜର୍ଭେସନ କାଟାଗୋରି ଅନୁଯାୟୀ ଆବେଦନ କରିବେ। ଅଫ୍‌ଲାଇନ୍‌ରେ ନାମଲେଖାର କଟ୍‌ ଅଫ୍‌ ମାର୍କ ବିଭିନ୍ନ ବର୍ଗ ଅନୁଯାୟୀ ଦ୍ୱିତୀୟ ଚୟନ ମାର୍କଠାରୁ ୩ ମାର୍କ କମ୍‌ ରହିବ। ଯଦି ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀ ଉପଲବ୍ଧ ନ ହୁଅନ୍ତି ତେବେ ସେହି ବଳକା ସିଟ୍‌ଗୁଡ଼ିକ ସାଧାରଣ ବର୍ଗ ସିଟ୍‌ର କଟ୍‌ ଅଫ୍‌ ମାର୍କ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ। ଛାତ୍ରଛାତ୍ରୀ ଓ ଅଭିଭାବକମାନେ ‘www.samodisha.gov.in’ରେ ନିଜର ମନପସନ୍ଦ କଲେଜ ଓ ଅନର୍ସ ବିଷୟରେ ଖାଲିଥିବା ସିଟ୍‌ ଓ କଟ୍‌ ଅଫ୍‌ ମାର୍କକୁ ଅନୁଧ୍ୟାନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଜୁଲାଇ ୧୬ରୁ ୧୮ ତାରିଖ ମଧ୍ୟରେ ଅଫ୍‌ଲାଇନ୍‌ ମୋଡ୍‌ରେ କଲେଜଗୁଡ଼ିକରେ ଥିବା ବଳକା ସିଟ୍‌ ପାଇଁ ଆବେଦନ କରିହେବ। ଜୁଲାଇ ୧୯ରେ ଚୟନ ତାଲିକା ପ୍ରକାଶ ପାଇବ। ଜୁଲାଇ ୨୧ରେ ନାମଲେଖା ପ୍ରକ୍ରିୟା ଶେଷ ହେବ। ଏହି ସମୟ ମଧ୍ୟରେ ଆବେଦନ କରିପାରି ନ ଥିବା, ନାମ ଲେଖାଇପାରି ନ ଥିବା, ଅନ୍ୟ କୌଣସି ଅନର୍ସକୁ ପରିବର୍ତନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ ସିଏଏଫ୍‌ରେ ଆଉଥରେ ଆବେଦନ କରିବେ। ଯେଉଁମାନେ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ କିନ୍ତୁ କୌଣସି ସ୍ଥାନରେ ଆଡମିସନ୍‌ ପାଇନାହାନ୍ତି ସେମାନଙ୍କୁ କୌଣସି ସିଏଏଫ୍‌ ଫି’ ଦେବାକୁ ପଡ଼ିବ ନାହିଁ। ପ୍ରଥମ ଥର ପାଇଁ ପକାଉଥିଲେ ଫି’ ଦେବାକୁ ହେବ। କଲେଜଗୁଡ଼ିକ ନୋଟିସ୍‌ ବୋର୍ଡରେ ବିଭାଗ, ଅନର୍ସ ଅନୁଯାୟୀ ଏବଂ ପ୍ରତି ଅନର୍ସର ସାଧାରଣ ବର୍ଗ, ଏସ୍‌ସି ଓ ଏସ୍‌ଟି ବର୍ଗ ଅନୁଯାୟୀ ଖାଲି ସିଟ୍‌ ଓ ପ୍ରତି ବର୍ଗର କଟ୍‌ ଅଫ୍‌ ମାର୍କ ପ୍ରଦର୍ଶିତ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe