ଯୁକ୍ତ ୩ରେ ପଢ଼ାଯିବ ‘ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା’

ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକ

ଯୁକ୍ତ ୩ରେ ପଢ଼ାଯିବ ‘ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା’

Kolkata: NDRF personnel work to clear an uprooted tree from a road, in the aftermath of Cyclone Amphan, in Kolkata, Tuesday, May 26, 2020. (PTI Photo/Swapan Mahapatra)(PTI26-05-2020_000113A)

ଭୁବନେଶ୍ବର : ଯୁକ୍ତ ୩ ତଥା ସ୍ନାତକସ୍ତରରେ ଛାତ୍ରଛାତ୍ରୀଙ୍କୁ ‘ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା’ ବିଷୟରେ ଶିକ୍ଷା ପ୍ରଦାନ କରାଯିବ। ମେ’ ୨୯ରେ ରାଜ୍ୟ କ୍ୟାବିନେଟ୍‌ରେ ଏନେଇ ନିଷ୍ପତ୍ତି ହୋଇଥିବା ବେଳେ ଆଜି ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଦ୍ବାରା ଏହାକୁ ଆନୁଷ୍ଠାନିକ ଭାବେ ପ୍ରଚଳନ କରାଯାଇଛି। ଏହି ପରିବର୍ତ୍ତିତ ସିଲାବସ୍‍ଟି ଏକ ବାଧ୍ୟତାମୂଳକ ପାଠ୍ୟକ୍ରମ, ଯାହାକି କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପ୍ରଥମ ବର୍ଷର ପ୍ରଥମ ସେମିଷ୍ଟର୍‌ରେ ପଢ଼ାଯିବ। ଏହି ପାଠ୍ୟକ୍ରମକୁ ବାଧ୍ୟତାମୂଳକ ବିଷୟ ଭାବେ ପ୍ରଚଳନ କରାଯିବା ଦ୍ବାରା ରାଜ୍ୟର ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା କ୍ଷେତ୍ର ଅଧିକ ମଜଭୁତ ହେବ। ଛାତ୍ରଛାତ୍ରୀ ଅଧିକ ଜ୍ଞାନ ଅର୍ଜନ କରିବା ସହ ଦକ୍ଷତାର ସହିତ ମୁକାବିଲା କରିପାରିବେ ବୋଲି ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଚତୁର୍ଥ ବୈଠକରେ ଅଧ୍ୟକ୍ଷତା କରି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି।

ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ସାହୁ କହିଲେ, ଉଚ୍ଚଶିକ୍ଷା ପରିଷଦ ଦ୍ବାରା ରାଜ୍ୟରେ ମଡେଲ ସିଲାବସ୍‍ ପ୍ରଚଳନ ସହ ପରୀକ୍ଷାରେ ସଂସ୍କାର ଆଣିବା ଏକ ଉଲ୍ଲେଖନୀୟ ପଦକ୍ଷେପ। ଏଥିସହ ଏକକ ପିଜି ପ୍ରବେଶିକା ପରୀକ୍ଷା, ପରୀକ୍ଷା ପରିଚାଳନାରେ ସଂସ୍କାର ଓ ପ୍ରଶ୍ନବ୍ୟାଙ୍କ ପ୍ରସ୍ତୁତି ଛାତ୍ରଛାତ୍ରୀ ତଥା ଅଧ୍ୟାପକଙ୍କ ପରୀକ୍ଷା ପ୍ରସ୍ତୁତିରେ ସହାୟକ ହେବ। ଉଚ୍ଚଶିକ୍ଷା କ୍ଷେତ୍ରରେ ଗବେଷଣାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ‘ଓଡ଼ିଶା ବିଶ୍ବବିଦ୍ୟାଳୟ ଅନୁସନ୍ଧାନ ଓ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା’ କାର୍ଯ୍ୟକାରୀ ହୋଇଛି। ଯେଉଁଥିରେ ଦୁଇଟି ବ୍ୟାଚ୍‍ର ୭୭ଜଣ ଯୁବ ଅଧ୍ୟାପକ ଓ ୩୦ଜଣ ରିସର୍ଚ୍ଚ ଫେଲୋ କାର୍ଯ୍ୟ କରୁଛନ୍ତି। ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ଯେପରି ନାକ୍‍ ମାନ୍ୟତା ଓ ଏନଆଇଆରଏଫ୍‌ ର‍୍ୟାଙ୍କ ସହଜରେ ପାଇପାରିବେ, ସେ ଦିଗରେ ପଦକ୍ଷେପ ନିଆଯାଉଛି। ଏଥିସହ ପରିଷଦ ଦ୍ବାରା ଏକାଡେମିକ ଅଡିଟ୍‍, ଦୀର୍ଘକାଳୀନ ସୂତ୍ରରେ ଶିକ୍ଷାନୁଷ୍ଠାନର ଉନ୍ନତି କରିବା ଦିଗରେ ଯୋଜନା ପ୍ରସ୍ତୁତ ଓ ପ୍ରଣୟନ ଆଦି ବିଷୟରେ ପଦକ୍ଷେପ ନିଆଯାଉଛି। ସମୟର ଆବଶ୍ୟକତା ଅନୁଯାୟୀ, ୟୁଜି ଓ ପିଜି ପାଠ୍ୟକ୍ରମ, ପରୀକ୍ଷା ପରିଚାଳନାରେ ନିରନ୍ତର ସଂସ୍କାର ଅଣାଯାଉଥିବା ସେ କହିଥିଲେ। ବୈଠକରେ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର, ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ, ପରିଷଦର ସଦସ୍ୟ ସଚିବ ସିଦ୍ଧାର୍ଥ ଧଳ ଓ କୁଳପତିମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe