ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ : ମୟୂରଭଞ୍ଜରେ ପାସ୍‌ହାର ୭୦.୯୮ ପ୍ରତିଶତ, ବଢ଼ିଲା ପାସ୍‌ହାର

୯୦ ପ୍ରତିଶତ ଉପରେ ଲିଜା ଓ ସାଇମା

ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ : ମୟୂରଭଞ୍ଜରେ ପାସ୍‌ହାର ୭୦.୯୮ ପ୍ରତିଶତ, ବଢ଼ିଲା ପାସ୍‌ହାର

ସାଇମା ସ୍ମୃତି ସାହୁ

ବାରିପଦା : ଆଜି ପ୍ରକାଶ ପାଇଥିବା +୨ ବାଣିଜ୍ୟ ପରୀକ୍ଷା ଫଳରେ ମୟୂରଭଞ୍ଜରେ ପାସ୍‌ହାର ୭୦.୯୮ ପ୍ରତିଶତ ରହିଛି। ଜିଲ୍ଲାରେ ମାତ୍ର ଦୁଇଜଣ ୯୦ପ୍ରତିଶତରୁ ଊର୍ଧ୍ବ ମାର୍କ ରଖି ଗୌରବ ଆଣିଛନ୍ତି। ଧୀରଜଲାଲ ହାୟର ସେକେଣ୍ଡାରୀ ସ୍କୁଲ୍, ବହଳଦାର ଛାତ୍ରୀ ଲିଜା ଅଗରୱାଲ ୫୪୮ ନମ୍ବର ସହିତ ଜିଲ୍ଲାରେ ଟପ୍ପର ହୋଇଛନ୍ତି। ସେହିପରି ଏମ୍ପିସିର ହାୟର ସେକେଣ୍ଡାରୀ ସ୍କୁଲ୍, ବାରିପଦାର ଛାତ୍ରୀ ସାଇମା ସ୍ମୃତି ସାହୁ ୫୪୩ ନମ୍ବର ରଖିଛନ୍ତି। ଚଳିତ ବର୍ଷ ଜିଲ୍ଲାର ୯୬ ମହାବିଦ୍ୟାଳୟରୁ ୯୩୪ ଜଣ ପରୀକ୍ଷାର୍ଥୀ ୭୭ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୭୦.୯୮ ପ୍ରତିଶତ ହାରରେ ୬୬୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୧୩୫ ଜଣ କୃତକାର୍ଯ୍ୟ ହୋଇଥିବାବେଳେ ୨ୟ ଶ୍ରେଣୀରେ ୧୫୧, ୩ୟ ଶ୍ରେଣୀରେ ୩୭୬ ଜଣ ଏବଂ କମ୍ପାର୍ଟମେଣ୍ଟାଲରେ ଜଣେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଜିଲ୍ଲାର ବାଣିଜ୍ୟ ଫଳ ଅପେକ୍ଷାକୃତ ଉନ୍ନତ ହୋଇଛି।

ଜିଲ୍ଲାର ପ୍ରମୁଖ ସରକାରୀ ଶିକ୍ଷାନୁଷ୍ଠାନ ଏମ୍ପିସି ହାୟର ସେକେଣ୍ଡାରୀ ସ୍କୁଲର ପାସ୍‌ହାର ୮୬.୭୪ ପ୍ରତିଶତ ହୋଇଛି। ମୋଟ ୧୬୬ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୩ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୩୦ଜଣ ୨ୟ, ୫୦ଜଣ ୩ୟ ଏବଂ ଜଣେ କମ୍ପାର୍ଟମେଣ୍ଟାଲ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୨ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ଅନୁଷ୍ଠାନର ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଗତବର୍ଷ +୨ ବାଣିଜ୍ୟ ବିଭାଗରେ ଜିଲ୍ଲାରେ ପାସ୍‌ହାର ୬୩.୪୩ ପ୍ରତିଶତ ଥିଲା। ଜିଲ୍ଲାରୁ ୧,୦୦୪ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବାବେଳେ ୯୬୦ ଜଣ ପରୀକ୍ଷାରେ ବସିଥିଲେ। ୧ମ ଶ୍ରେଣୀରେ ୧୦୧, ୨ୟ ଶେଣୀରେ ୧୦୬ ଓ ୩ୟ ଶ୍ରେଣୀରେ ୪୦୧ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ। କମ୍ପାଟମେଣ୍ଟାଲ୍‌ରେ ଜଣଙ୍କୁ ମିଶାଇ ମୋଟ ୬୦୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିଲେ। ମାତ୍ର ଚଳିତ ବର୍ଷ ପାସ୍‌ହାର ବଢ଼ିଥିବାବେଳେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe