ଶେଷ ସପ୍ତାହରୁ ଯୁକ୍ତ ୨ ମୂଲ୍ୟାୟନ

Advertisment
ଯୁକ୍ତ୨ ଥିଓରି ପରୀକ୍ଷା: ପ୍ରଶ୍ନପତ୍ର ତଥ୍ୟ ମାଗିଲା ପରିଷଦ

ଦୁଇଟି ପର୍ଯ୍ୟ‌ାୟରେ ଶତାଧିକ ସେଣ୍ଟରରେ ଖାତାଦେଖା
ନିୟୋଜିତ ହେବେ ୧୨ ହଜାରରୁ ଅଧିକ ଅଧ୍ୟାପକ

ଭୁବନେଶ୍ୱର : ଯୁକ୍ତ୨ ପରୀକ୍ଷା ଆସନ୍ତା ୩୧ ତାରିଖରେ ଶେଷ ହେବ। ତା’ ପୂର୍ବରୁ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଥିବା ବିଷୟଗୁଡ଼ିକର ମୂଲ୍ୟାୟନ ମେ’ ଶେଷ ସପ୍ତାହରୁ ଆରମ୍ଭ କରାଯିବ। ପରୀକ୍ଷା ସରିବା ପରେ ସମସ୍ତ ବିଷୟର ଖାତାଗୁଡ଼ିକର ମୂଲ୍ୟାୟନ କରାଯିବ। ସମ୍ପୂର୍ଣ୍ଣ ବିଷୟଗୁଡ଼ିକର ମୂଲ୍ୟାୟନ ଲାଗି ୨୪ରୁ ୨୬ଦିନ ଲାଗିବ। ଅର୍ଥାତ୍‌ ଜୁନ୍‌ ୨୦ ଭିତରେ ଖାତା ଦେଖା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଫଳରେ ପରବର୍ତୀ ସମୟରେ ମୂଲ୍ୟାୟନର ଅନ୍ୟାନ୍ୟ ପ୍ରକ୍ରିୟା ଶେଷ କରି ଜୁଲାଇ ପ୍ରଥମ ସପ୍ତାହରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି।

ପ୍ରତିବର୍ଷ ପରି ଏଥର ମଧ୍ୟ ବିଜ୍ଞାନ ଓ ବାଣିଜ୍ୟର ସମସ୍ତ ଉତ୍ତର ଖାତା ଇ-ମୂଲ୍ୟାୟନ କରାଯିବ। ପରିଷଦର ୪ଟି ଜୋନ୍ ଯଥା ବ୍ରହ୍ମପୁର, ସମ୍ବଲପୁର, ବାରିପଦା ଓ ସେଣ୍ଟ୍ରାଲ ଜୋନରେ ୩୭ରୁ ଅଧିକ ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର କରିବାକୁ ନିଷ୍ପତ୍ତି ହୋଇଛି। କଳା ଓ ଧନ୍ଦାମୂଳକ ବିଭାଗର ମୂଲ୍ୟାୟନ ଅଫ୍‌ଲାଇନ୍‌ରେ ରାଜ୍ୟର ୬୪ଟି କେନ୍ଦ୍ରରେ ହେବ। ମୂଲ୍ୟାୟନ ଲାଗି ୧୨ହଜାରରୁ ଅଧିକ ଅଧ୍ୟାପକଙ୍କୁ ନିଯୁକ୍ତ କରାଯିବ। ମୂଲ୍ୟାୟନରେ ସ୍ୱଚ୍ଛତା ବଜାୟ ରଖିବା ଲାଗି ପ୍ରତି କେନ୍ଦ୍ରରେ ସିସିଟିଭି ଲାଗିବ। ଇ-ମୂଲ୍ୟାୟନ ହେବାକୁ ଥିବା କେନ୍ଦ୍ରରେ ଏସି ଲଗାଇବା ବାଧ୍ୟତାମୂଳକ ହୋଇଛି।

ରସାୟନ ବିଜ୍ଞାନ ବିଷୟ ପରୀକ୍ଷାରେ ସିଲାବସ ବାହାରୁ ପ୍ରଶ୍ନ ଆସିଥିବା ନେଇ ଅଭିଯୋଗ ଉପରେ ପରିଷଦ ବିଚାରବିମର୍ଶ ଜାରି ରଖିଛି। ସିଲାବସ୍‌ ବାହାରୁ କୌଣସି ପ୍ରଶ୍ନ ଆସି ନଥିବା ପରିଷଦ ଯାଞ୍ଚ ବେଳେ ଜାଣିବାକୁ ପାଇଛି। ମୂଲ୍ୟାୟନ ସମୟରେ ବିଷୟ ଏକ୍ସପର୍ଟଙ୍କ ନିଷ୍ପତ୍ତି ଅନୁସାରେ ଛାତ୍ରଛାତ୍ରୀଙ୍କୁ ଗ୍ରେସମାର୍କ ଦିଆଯିବ କି ନାହିଁ ତାହା ନିଷ୍ପତ୍ତି ନିଆଯିବ।

ମୂଲ୍ୟାୟନ ନିମନ୍ତେ ଏଥର ଦୁଇ ପ୍ରକାର ପଦ୍ଧତି ଗ୍ରହଣ କରାଯିବ। ପ୍ରଥମଟି ହେଲା କଲେଜସ୍ତରରେ ହୋଇଥିବା ଇଣ୍ଟରନାଲ୍ ପରୀକ୍ଷାରେ ଛାତ୍ରଛାତ୍ରୀ ପାଇଥିବା ମାର୍କକୁ ୨୦% ୱେଟେଜ୍ ଦିଆଯିବ। ଏଥିପାଇଁ ତିନିଟି ଇଣ୍ଟରନାଲ ପରୀକ୍ଷା ମଧ୍ୟରୁ ସର୍ବାଧିକ ମାର୍କ ପାଇଥିବା ଦୁଇଟି ପରୀକ୍ଷାକୁ ବିଚାରକୁ ନିଆଯିବ। ବୋର୍ଡ ପରୀକ୍ଷାରେ ରଖିଥିବା ନମ୍ବରକୁ ୮୦ ପ୍ରତିଶତ ୱେଟେଜ୍ ଭାବେ ଧରାଯିବ। ଉଭୟ ଇଣ୍ଟରନାଲ୍ ପରୀକ୍ଷା ଓ ଯୁକ୍ତ୨ ବୋର୍ଡ ପରୀକ୍ଷା ୱେଟେଜ୍ ଭିତ୍ତିରେ ଫଳାଫଳ ଚୂଡ଼ାନ୍ତ କରାଯିବ। ଦ୍ୱିତୀୟଟି ହେଲା କେବଳ ବୋର୍ଡ ପରୀକ୍ଷାରେ ରଖିଥିବା ନମ୍ବରକୁ ୧୦୦ ପ୍ରତିଶତ ୱେଟେଜ୍ ଦିଆଯିବ। ଉପରୋକ୍ତ ଦୁଇଟି ପଦ୍ଧତି ମଧ୍ୟରୁ ଯେଉଁଥିରେ ପରୀକ୍ଷାର୍ଥୀଙ୍କର ଅଧିକ ମାର୍କ ରହିଥିବ ତାହାକୁ ସମ୍ପୃକ୍ତ ବିଷୟରେ ମାର୍କ ଭାବେ ବିଚାର କରାଯିବ। ଚଳିତବର୍ଷ ରାଜ୍ୟର ୧୧୩୩ଟି ପରୀକ୍ଷ କେନ୍ଦ୍ରରେ ୩ଲକ୍ଷ ୨୧ହଜାର ୫୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ କିଛି ଜଣ ଅନୁପସ୍ଥିତ ରହିଥିବା ନଜରକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe