ବାତିଲ୍‌ ହୋଇପାରେ ଯୁକ୍ତ୨ ପରୀକ୍ଷା, ଆଜି ଗଣଶିକ୍ଷା ବିଭାଗ ଓ ପରିଷଦ ଅଧିକାରୀଙ୍କ ବୈଠକ

Advertisment

ଏସପ୍ତାହରେ ଚୂଡ଼ାନ୍ତ ନିଷ୍ପତ୍ତି, ବିକଳ୍ପ ମୂଲ୍ୟାୟନ ଖୋଜା ଚାଲିଛି

ଏସପ୍ତାହରେ ଚୂଡ଼ାନ୍ତ ନିଷ୍ପତ୍ତି, ବିକଳ୍ପ ମୂଲ୍ୟାୟନ ଖୋଜା ଚାଲିଛି

ସାମସ୍‌ ପାଇଁ ନଷ୍ଟ ହେଉଛି ପ୍ରଥମ ସେମିଷ୍ଟର!

India TV

ଭୁବନେଶ୍ବର: ସିବିଏସ୍‌ଇ, ସିଆଇଏସ୍‌ସିଇ ବୋର୍ଡର ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ୍‌ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚକ୍ଷମତା ସମ୍ପର୍ଣ୍ଣ ମନ୍ତ୍ରୀସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯିବା ପରେ ଏବେ ଓଡ଼ିଶା ସରକାରଙ୍କ ଉପରେ ନଜର କେନ୍ଦ୍ରୀଭୂତ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ପରୀକ୍ଷାର ଭାଗ୍ୟ କ’ଣ ହେବ? ବିଗତ ଦିନଗୁଡ଼ିକରେ ସିବିଏସ୍‌ଇ ଯେଉଁ ନିଷ୍ପତ୍ତି ନେଇଛି, ରାଜ୍ୟ ସରକାର ତାହାକୁ ଅନୁକରଣ କରିଛନ୍ତି। ସେହି ଦୃଷ୍ଟିରୁ ଦେଖିଲେ ରାଜ୍ୟ ସରକାର ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ୍‌ ହେବା ଏକପ୍ରକାର ଥୟ।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସିବିଏସ୍‌ଇ ନିଷ୍ପତ୍ତି ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଆଜି ସନ୍ଧ୍ୟାରେ ଉଚ୍ଚସ୍ତରୀୟ ଅଧିକାରୀମାନଙ୍କ ମଧ୍ୟରେ ଆଲୋଚନା ହୋଇଛି। ଯେଉଁଥିରେ ବିଭାଗୀୟ ଅଧିକାରୀଙ୍କ ସମେତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କର୍ମକର୍ତ୍ତା ସାମିଲ ହୋଇଥିଲେ। ଯଦି ଯୁକ୍ତ୨ ପରୀକ୍ଷା ବାତିଲ୍‌ କରାଯାଏ ତେବେ ବିକଳ୍ପ ମୂଲ୍ୟାୟନ ପଦ୍ଧତି କ’ଣ ହୋଇପାରିବ ତାହାକୁ ନେଇ ଆଲୋଚନା କରାଯାଇଛି। ମୂଲ୍ୟାୟନ ତଥା ମାର୍କ ପ୍ରଦାନ ନେଇ ସିବିଏସ୍‌ଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦେଇ ନ ଥିବାରୁ ଗଣଶିକ୍ଷା ବିଭାଗ ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିପାରି ନାହିଁ। ବୁଧବାର ପୂର୍ବାହ୍ନରେ ଗଣଶିକ୍ଷା ବିଭାଗର ଅଧିକାରୀମାନେ ସିବିଏସ୍‌ଇ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିବା ପରେ ଅପରାହ୍ନରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଚଳିତ ସପ୍ତାହରେ ହିଁ ପରୀକ୍ଷା ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

ସିବିଏସ୍‌ଇ ଯେଉଁ ପଦ୍ଧତି ଆପଣାଇବ ରାଜ୍ୟ ସରକାର ତାହାକୁ ଗ୍ରହଣ କରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପୂର୍ବରୁ ବାରମ୍ବାର କହିଛନ୍ତି। ତେଣୁ ଯୁକ୍ତ୨ ପରୀକ୍ଷା ବାତିଲ୍‌ ହେବାର ସମ୍ଭାବନା ଅଧିକ ରହିଛି। ତେବେ ସମସ୍ୟା ଭାବେ ଉଭା ହୋଇଛି ବିକଳ୍ପ ମୂଲ୍ୟାୟନକୁ ନେଇ। ସିବିଏସ୍‌ଇ କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଏକାଦଶ ଶ୍ରେଣୀ ମାର୍କ ଓ ଦ୍ବାଦଶ‌ ଶ୍ରେଣୀରେ ବିଭିନ୍ନ ସମୟରେ ହୋଇଥିବା ମାର୍କ ଆଧାରରେ ରେଜଲ୍ଟ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇପାରନ୍ତି। ଏଭଳି ଯଦି ହୁଏ ତେବେ ରାଜ୍ୟ ସରକାରଙ୍କ ପାଖରେ ସମାନ ପନ୍ଥା ଆପଣାଇବା କଷ୍ଟକର ହୋଇପଡ଼ିବ। କାରଣ ଅଧିକାଂଶ ଯୁକ୍ତ୨ କଲେଜରେ ପ୍ରଥମ ବର୍ଷ ପରୀକ୍ଷା ହୋଇନାହିଁ। ଦ୍ବିତୀୟ ବର୍ଷରେ ବି ଆଦୌ ପରୀକ୍ଷା କରାଯାଇ ନ ଥିବାରୁ ସମସ୍ୟା ଦେଖାଦେବ। ଏଭଳି ସ୍ଥିତିରେ ରାଜ୍ୟ ସରକାର କେଉଁ ପନ୍ଥା ଆଣାଇବେ ତାହାକୁ ନେଇ ମାନସମନ୍ଥନ ଆରମ୍ଭ ହୋଇଛି।
ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯୁକ୍ତ୨ ପରୀକ୍ଷା ବାତିଲ୍‌ ହେବ। ଏଥିରେ ଦୁଇ ମତ ନାହିଁ। ଜୁନ୍‌ ୩ରେ ସୁପ୍ରିମ୍‌କୋର୍ଟଙ୍କ ରାୟ ଆସିବାର ରହିଛି। ସେପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ନଜରରେ ରଖି କେନ୍ଦ୍ର ସରକାର ରିସ୍କ ନେବାକୁ ଚାହୁଁ ନାହାନ୍ତି। ତେଣୁ ଆମେ ବି ଏତେ ବଡ଼ ରିସ୍କ ନେବା ସମ୍ଭବପର ନୁହେଁ। ଆମ ପାଖରେ ଦୁଇ ପ୍ରକାର ବିକଳ୍ପ ମୂଲ୍ୟାୟନ ପ୍ରସ୍ତାବ ରହିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଏହା ଉପରେ ବିଚାରବିମର୍ଶ କରାଯାଇ ଛାତ୍ରଛାତ୍ରୀଙ୍କୁ ଚୂଡ଼ାନ୍ତ ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe