DNA India
ଭୁବନେଶ୍ବର: ୨୦୨୨-୨୩ ଶିକ୍ଷାବର୍ଷରେ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲର ଏକାଦଶ(+୨ ପ୍ରଥମ ବର୍ଷ) ଶ୍ରେଣୀରେ ଗୁରୁବାରଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଅନଲାଇନ୍ ମୋଡରେ ହେବାକୁ ଥିବାବେଳେ ନାମଲେଖା ପ୍ରକ୍ରିୟା ଲାଗି ଛାତ୍ରଛାତ୍ରୀ www.samsodisha.gov.in ୱେବସାଇଟ୍ ମାଧ୍ୟମରେ ଅଗଷ୍ଟ ୧୦ ସୁଦ୍ଧା ଆବେଦନ କରିପାରିବେ। ଅଗଷ୍ଟ ୧୭ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ ଏବଂ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଅଗଷ୍ଟ ୧୯ରୁ ୨୫ ମଧ୍ୟରେ ହେବ। ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଯଦି ଅପ୍ସନ ଦେଇଥିବା ଅନ୍ୟ କଲେଜରେ ନାମ ଲେଖାଇବାକୁ ଚାହୁଁଥିବେ ତେବେ ୧୯ରୁ ୨୭ ତାରିଖ ମଧ୍ୟରେ ସ୍ଲାଇଡ୍ ଅପ୍ ଅନୁରୋଧ ଦେଇପାରିବେ। ସେପ୍ଟେମ୍ବର ୨ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୫ରୁ ୭ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କର ନାମଲେଖା ହେବ। ସେପ୍ଟେମ୍ବର ୧୩ରେ ସ୍ପଟ୍ ସିଲେକ୍ସନ ତାଲିକା ପ୍ରକାଶ ପାଇବ ଏବଂ ୧୩ ଓ ୧୪ ତାରିଖରେ ଏହି ଛାତ୍ରଛାତ୍ରୀ ଚୟନ ହୋଇଥିବା ସ୍କୁଲରେ ନାମ ପଞ୍ଜୀକରଣ କରିବେ। ସେପ୍ଟେମ୍ବର ୧୫ ପୂର୍ବାହ୍ନ ୧୧ଟାରେ ସ୍କୁଲରେ ନାମ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ସେହିଦିନ ମଧ୍ୟାହ୍ନ ୧୨ଟାରୁ ୧୬ତାରିଖ ଅପରାହ୍ନ ୫ଟା ମଧ୍ୟରେ ସ୍ପଟ୍ ସିଲେକ୍ସନ୍ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
Follow Us