କାହା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା; ଲାଭରେ କମ୍ପାନି, କ୍ଷତିରେ ଚାଷୀ ଓ ସରକାର

Advertisment

୧୩୭୮ କୋଟି ନେଇ ବି ଦେଉନି ୪୭ କୋଟି, ୨୩ ପ୍ରତିଶତ ବୀମାଭୁକ୍ତ ଜମିକୁ ମିଳିବ ଟଙ୍କା

୧୩୭୮ କୋଟି ନେଇ ବି ଦେଉନି ୪୭ କୋଟି, ୨୩ ପ୍ରତିଶତ ବୀମାଭୁକ୍ତ ଜମିକୁ ମିଳିବ ଟଙ୍କା

କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣାକୁ ମାସେ ବିତିଲା: ପ୍ରଧାନମନ୍ତ୍ରୀ ଫସଲ ବୀମା, ୩୦ କୋଟି ଏବେ ବି ବାକି

ଭୁବନେଶ୍ବର : କାହା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା। ବୀମା କମ୍ପାନି ନା ଚାଷୀ?; ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ଚଳିତ ବର୍ଷ ୩ ବୀମା କମ୍ପାନି ପ୍ରିମିୟମ୍‌ ବାବଦରେ ୧୩୭୮କୋଟି ଟଙ୍କା ପାଇଛନ୍ତି। କିନ୍ତୁ ଏଥିରୁ ସେମାନଙ୍କୁ ମାତ୍ର ୨୭୪କୋଟି ଟଙ୍କା ଦେବାକୁ ଥିଲେ ମଧ୍ୟ ସେଥିରୁ ମଧ୍ୟ ବକେୟା ୪୭କୋଟି ଟଙ୍କା ନ ଦେଇ ଚାଷୀଙ୍କ ସହ ଖେଳୁଛନ୍ତି।

ସୂଚନା ଅନୁଯାୟୀ, ୨୦୨୧ ମସିହାରେ ୮୪ ଲକ୍ଷ ଜମିର ପ୍ରଧାନମନ୍ତ୍ରୀ ଫସଲ ବୀମା କରାଯାଇଥିଲା। ଏଥିପାଇଁ ଚାଷୀ ୧୪୧କୋଟି ଟଙ୍କା ପ୍ରିମିୟମ୍‌ ଦେଇଥିଲେ। ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାକି ଟଙ୍କା ଏଚ୍‌ଡିଏଫ୍‌ସି ଏର୍ଗୋ, ଏଆଇସି ଏବଂ ରିଲାଏନ୍ସ ଜିଆଇସି ଭଳି ବୀମା କମ୍ପାନିକୁ ପ୍ରଦାନ କରାଯାଇଥିଲା। ସମୁଦାୟ ୮୪ଲକ୍ଷ ମଧ୍ୟରୁ ୨୦ ଲକ୍ଷ ୫୬ ହଜାର ୮୮୨ ପ୍ଲଟ୍‌ ବୀମା ରାଶି ପାଇବା ପାଇଁ ଯୋଗ୍ୟ ବିବେଚିତ। ଅର୍ଥାତ ମାତ୍ର ୨୩ ପ୍ରତିଶତ ବୀମାଭୁକ୍ତ ଜମି ହିଁ ପ୍ରଧାନମନ୍ତ୍ରୀ ଫସଲ ବୀମାର ଲାଭ ନେଇପାରିବେ। କିନ୍ତୁ ସେଥିରୁ ସବୁ ଟଙ୍କା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଦାନ କରାଯାଇନାହିଁ। ଅର୍ଥାତ ୨୦୨୧ ମସିହାରେ ୨୦ ଲକ୍ଷ ୫୬ ହଜାର ୮୮୨ ପ୍ଲଟ ପାଇଁ ୧୩୬୩.୨୬ କୋଟି ଟଙ୍କାର ବୀମା ଟଙ୍କା ପ୍ରଦାନ ପାଇଁ ମଞ୍ଜୁର ହୋଇଛି। ଏଥିରୁ ୭୩୫.୨୪ କୋଟି ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯାଇଛି। ୬୨୮.୦୩ କୋଟି ଟଙ୍କା ବାକି ରହିଛି।

publive-image kaliaportal.odisha.gov.in

ମାଲକାନଗିରି, ବୌଦ୍ଧ ଏବଂ ରାୟଗଡ଼ା ଜିଲ୍ଲାର ଜଣେ ମଧ୍ୟ ଚାଷୀ ବୀମା ଟଙ୍କା ପାଇବେ ନାହିଁ। ମୟୂରଭଞ୍ଜ ଜିଲ୍ଲା ନାମମାତ୍ର ୦.୨୦ କୋଟି, ଗଜପତି ୦.୦୨, କୋରାପୁଟ ୦.୦୧, କନ୍ଧମାଳ ୦.୦୬ କୋଟି ଟଙ୍କା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ବୀମା କମ୍ପାନିଗୁଡ଼ିକ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯଥାଶୀଘ୍ର ଟଙ୍କା ନଦେଇ ଚାଷୀଙ୍କ ଆବେଦନ ତ୍ରୁଟିପୂର୍ଣ୍ଣ ରହିଥିବା ଦର୍ଶାଇଛି। କ୍ଷତି ନହୋଇ ମଧ୍ୟ ଚାଷୀ ବୀମା ଟଙ୍କା ପାଇଁ ଆବେଦନ କରିଥିବା କହିଛି। ଏଥିଯୋଗୁଁ କିଛି ଦିନ ପୂର୍ବରୁ ରାଜ୍ୟ ସରକାର ଏବଂ ବୀମା କମ୍ପାନି ବୈଠକରେ କ୍ଷତିଗ୍ରସ୍ତ ଚାଷୀଙ୍କ ସଂପର୍କରେ ଆଉ ଥରେ ଆକଳନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।

୨୦୧୬ ଫେବ୍ରୁଆରି ୧୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଆରମ୍ଭ କରିଥିଲେ। ଏଥି ଅନ୍ତର୍ଗତରେ ମରୁଡ଼ି ସମେତ ବିଭିନ୍ନ କାରଣରୁ ଫସଲ ନଷ୍ଟ ହେଉଥିବା ଚାଷୀଙ୍କୁ ଏହି ବୀମାରେ ସାମିଲ କରାଯାଇଥିଲା। ପୂର୍ବରୁ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଥିବା ଜାତୀୟ କୃଷି ବୀମା ଯୋଜନା ଏବଂ ରୂପାନ୍ତରିତ କୃଷି ବୀମା ଯୋଜନା ଥିଲା। ଏଥିରେ ସମବାୟ ସମିତିରୁ ଋଣ ନେଉଥିବା ଚାଷୀଙ୍କୁ ଏହି ବୀମାରେ ସାମିଲ କରାଯାଉଥିଲା। ଏଥିରେ ଚାଷୀ, କେନ୍ଦ୍ର ଏବଂ ରାଜ୍ୟ ସରକାର ଅଂଶୀଦାର ଥିଲେ। ବ୍ଲକକୁ ୟୁନିଟ୍‌ ଭାବେ ନିଆଯାଉଥିବାରୁ ଚାଷୀଙ୍କୁ ବୀମା ଟଙ୍କା ପାଇବା ପାଇଁ ସମସ୍ୟା ହେଉଥିଲା। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀ, କେନ୍ଦ୍ର, ରାଜ୍ୟ ସରକାର ପ୍ରିମିୟମ ବୀମା କମ୍ପାନିକୁ ଦେଲେ, କମ୍ପାନି ପକ୍ଷରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଟଙ୍କା ଦିଆଯିବାର ବ୍ୟବସ୍ଥା ରହିଥିଲା। ମାତ୍ର କମ୍ପାନିଗୁଡ଼ିକର ମନମାନି ଯୋଗୁଁ ପ୍ରତିବର୍ଷ ଟଙ୍କା ପାଇବାରେ ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି। ସେମାନେ ନିଜ ହକରୁ ବଞ୍ଚିତ ହୋଇଛନ୍ତି। ପ୍ରିମିୟମ ଦାଖଲ କରି ମଧ୍ୟ ସେମାନେ କ୍ଷତି ସହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe