ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ: ଶୋକ ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ, କାଲି ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ

Advertisment
ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ: ଶୋକ ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ, କାଲି ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ

କଟକ: ରାଷ୍ଟ୍ରୀୟ ସମ୍ମାନ ସହ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କର ଶେଷକୃତ୍ୟ ସଂପନ୍ନ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଆସନ୍ତାକାଲି କଟକସ୍ଥିତ କାଳିଆବୋଦା ଶ୍ମଶାନରେ ସ୍ବର୍ଗତଃ ଶ୍ରୀ ରାଓଙ୍କ ପାର୍ଥିବ ଶରୀର ଅନ୍ତିମ ସଂସ୍କାର କରାଯିବ।

ଏହା ପୂର୍ବରୁ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ଜଣାଇଛନ୍ତି। ସେ ଫଟୋ ଟୁଇଟ କରି ଲେଖିଛନ୍ତି, ଡି. ପ୍ରକାଶ ରାଓଙ୍କ ହଠାତ୍‌ ପରଲୋକ ଖବର ଶୁଣି ମୁଁ ମର୍ମାହତ ଅନୁଭବ କରୁଛି। ସଶକ୍ତିକରଣ କ୍ଷେତ୍ରରେ ଶିକ୍ଷାର ଭୂମିକା କ’ଣ ସେ ଭଲ ଭାବରେ ବୁଝିପାରିଥିଲେ। କିଛି ବର୍ଷ ପୂର୍ବରୁ ମୁଁ କଟକରେ ତାଙ୍କୁ ଭେଟିଥିଲି। ଶୋକ ସନ୍ତପ୍ତ ପରିବାରକୁ ‌ସମବେଦନା ଜଣାଉଛି।

ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କର ବି‌ୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ସ୍ବର୍ଗତଃ ରାଓ ତାଙ୍କର ଉତ୍ସର୍ଗୀକୃତ ସମାଜ ସେବା ବି‌ଶେଷ କରି ଗରିବ ଓ ଅବହେଳିତମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ସ୍ମରଣୀୟ ହୋଇରହିବେ। ଶୋକସନ୍ତପ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ।

ଏତଦ ବ୍ୟତୀତ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କର ପ‌ରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ରପ‌୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗଭୀର ଶୋକ ଜଣାଇଛନ୍ତି।

ସୂଚନାଯୋଗ୍ୟ, ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଆଜି ଅପରାହ୍ନରେ ପରଲୋକ ହୋଇଛି। ଅସୁସ୍ଥତା କାରଣରୁ କିଛି ଦିନ ପୂର୍ବରୁ ତାଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ବ୍ରେନ୍‌ ଷ୍ଟୋକ୍‌ ଯୋଗୁଁ ପଦ୍ମଶ୍ରୀ ରାଓଙ୍କର ବିୟୋଗ ହୋଇଥିବା ନେଇ ତାଙ୍କର ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଶ୍ରୀ ରାଓଙ୍କ ଦେହାନ୍ତ ଖବର ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି।

ସ୍ୱତନ୍ତ୍ର ଢଙ୍ଗରେ ଚା’ ବିକ୍ରି କରି ଚର୍ଚ୍ଚାରେ ରହିଥିବା କଟକ ସହରର ବିଶିଷ୍ଟ ସମାଜସେବୀ ଡି. ପ୍ରକାଶ ରାଓ ୨୧୮ ଥର ରକ୍ତଦାନ କରି ଏକ ବିରଳ ରେକର୍ଡର ଅଧିକାରୀ ଥିଲେ । ବକ୍ସିବଜାର ପେନସନ ଲେନର ଡି. କ୍ରିଷ୍ଣମୂର୍ତ୍ତି ଏବଂ ଡି. ଲକ୍ଷ୍ମୀଙ୍କ ୩ ଜଣ ସନ୍ତାନଙ୍କ ମଧ୍ୟରେ ଡି. ପ୍ରକାଶ ରାଓ ଥିଲେ ବଡ । ବକ୍ସି ବଜାରରେ ଥିବା ତାଙ୍କ ଚା’ ଦୋକାନରେ ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ଏବଂ ଖବର କାଗଜ, ମାଗାଜିନ ପଢିବାର ସୁଯୋଗ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ। ୧୯ ବର୍ଷ ପୂର୍ବେ ସେ ‘ଆଶା ଓ ଆଶ୍ୱାସନା’ ନାମରେ ଏକ ସ୍କୁଲ ଗଢ଼ି ବସ୍ତି ପିଲାଙ୍କୁ ମାଗଣା ପଢିବାର ସୁଯୋଗ ଦେଇଥିଲେ। ନିୟମିତ ରକ୍ତଦାନ କରି ଏଯାଏଁ ୨୧୮ ଥର ରକ୍ତଦାନ ଏବଂ ୧୭ ଥର ପ୍ଲେଟଲେଟ୍ସ ଦାନ କରିଥିଲେ ଶ୍ରୀ ରାଓ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮, ମେ’ ୨୬ରେ କଟକ ଆସିଥିବା ସମୟରେ ଶ୍ରୀ ରାଓଙ୍କୁ ସ୍ୱତନ୍ତ୍ର ଭାବେ ସାକ୍ଷାତ ଦେଇ ତାଙ୍କ ସହ ଆଲୋଚନା କରିଥିଲେ । ପୂର୍ବରୁ ଶ୍ରୀ ରାଓ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟସ ଆୱାର୍ଡ, ଆନିବେଶାନ୍ତ ସମ୍ମାନ, ଭାରତ ବିକାଶ ସମ୍ମାନ ଭଳି ବହୁ ସମ୍ମାନ ପାଇଥିଲେ । ୨୦୧୯ରେ ଡି.ପ୍ରକାଶ ରାଓ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe