ଡି. ପ୍ରକାଶ ରାଓଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ଡି. ପ୍ରକାଶ ରାଓଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

କଟକ : ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କୁ ପୁଣି ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରବିବାର ପୂର୍ବାହ୍ନରେ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ବର୍ଗତ ପ୍ରକାଶ ରାଓଙ୍କ କାର୍ଯ୍ୟ ଓ ଆଦର୍ଶକୁ ପ୍ରଶଂସା କରିଥିଲେ। ପ୍ରକାଶ ରାଓ ନିଜ ଚା ଦୋକାନରୁ ଉପାର୍ଜିତ ଅର୍ଥରୁ ପରିବାର ଚଳାଇବା ସହିତ ବସ୍ତିପିଲାଙ୍କ ଶିକ୍ଷାର ବିକାଶ ପାଇଁ ଏକ ବିଦ୍ୟାଳୟ ପ୍ରତିଷ୍ଠା କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ, ୨୦୧୮ରେ କଟକ ଗସ୍ତରେ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମାଜସେବୀ ଡି. ପ୍ରକାଶ ରାଓଙ୍କୁ ଭେଟିଥିଲେ। ବାଲିଯାତ୍ରା ଉପରେ ପଡ଼ିଆରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବାପୂର୍ବରୁ ​ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସମାଜସେବୀ ଶ୍ରୀ ରାଓଙ୍କୁ ଭେଟି ୧୦ମିନିଟ୍‌ ଧରି ଚା ଦୋକାନ, ବସ୍ତି ପିଲାଙ୍କ ବିଦ୍ୟାଳୟ ଆଦି ବିଷୟରେ ଆଲୋଚନା କରିଥିଲେ। ଡି. ପ୍ରକାଶ ରାଓଙ୍କ ଉତ୍ତରରେ ପ୍ରଧାନମନ୍ତ୍ରୀ ମୋଦୀ ବିଶେଷ ପ୍ରଭାବିତ ହୋଇଥିଲେ। ୨୦୧୯ରେ ଡି. ପ୍ରକାଶ ରାଓଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା ଓ ୨୦୨୧ରେ ଡି. ପ୍ରକାଶ ରାଓଙ୍କ ଦେହାନ୍ତ ହୋଇଥିଲା। ଏବେ ପ୍ରକାଶ ରାଓଙ୍କ ଝିଅ ଡି. ଭାନୁପ୍ରିୟା ବାପାଙ୍କ ପ୍ରତିଷ୍ଠିତ ‘ଆଶା ଓ ଆଶ୍ବାସନା ବିଦ୍ୟାଳୟ ପରିଚାଳନା କରୁଛନ୍ତି। ସ୍ବର୍ଗତ ପ୍ରକାଶ ରାଓ ବସ୍ତିପିଲାଙ୍କ ବିଦ୍ୟାଳୟ ପରିଚାଳନା ସହିତ ୨ଶହରୁ ଅଧିକ ଥର ରକ୍ତଦାନ କରି ବିରଳ କୀର୍ତ୍ତମାନ ସ୍ଥାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe