ଜନପଥ ପ୍ରସ୍ତୁତ: ମୋଦୀଙ୍କ ରୋଡ ସୋ’ ଆଗେଆଗେ ଚାଲିବେ ଶତାଧିକ ମହିଳା

Advertisment

ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ ପାଇଁ ପୁଲିସ ଓ ଏସପିଜି ମୁତୟନ

ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ ପାଇଁ ପୁଲିସ ଓ ଏସପିଜି ମୁତୟନ

ଜନପଥ ପ୍ରସ୍ତୁତ: ମୋଦୀଙ୍କ ରୋଡ ସୋ’ ଆଗେଆଗେ ଚାଲିବେ ଶତାଧିକ ମହିଳା

ଭୁ‌ବନେଶ୍ବର: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ରାଜଧାନୀ ଭୁବନେଶ୍ବରର ଅନ୍ୟତମ ବ୍ୟସ୍ତବହୁଳ ରାସ୍ତା ‘ଜନପଥ’କୁ ଏବେ ଖାଲି କରିଦିଆଯାଇଛି। ସାଧାରଣ ଲୋକଙ୍କର ଯାତାୟତ ଉପରେ ରୋକ ଲଗାଇ ଦିଆଯାଇଛି। ଜନତାଙ୍କର ଏହି ପଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ରୋଡ ସୋ’ ହେବ। ମୋଦୀ ପଥରେ ପରିଣତ ହୋଇଯିବ ଜନପଥ। ମୋଦୀଙ୍କୁ ଭଲ ପାଉଥିବା ଲୋକେ ଜନପଥର ପାର୍ଶ୍ବରେ ଛିଡ଼ା ହୋଇ ଦର୍ଶକ ସାଜିବେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜନପଥକୁ ଗେରୁଆର ରଂଗରେ ସଜାଇ ଦିଆଯାଇଛି। ଜନପଥ ବ୍ୟତୀତ ବିମାନବନ୍ଦର ଠାରୁ ମାଷ୍ଟରକ୍ୟାଣ୍ଟିନ ଯାଏଁ ମୋଦୀଙ୍କ ଫଟୋ, ବିଜେପିର ପତାକା ଲଗାଇ ଦିଆଯାଇଛି। ରାଜଧାନୀ ମୋଦୀମୟ ଲାଗୁଛି। ଚଳିତ ସାଧାରଣ ନିର୍ବାଚନରେ ନିର୍ବାଚନୀ ପ୍ରଚାର ପାଇଁ ମୋଦୀଙ୍କର ଏହା ହେଉଛି ଦ୍ୱିତୀୟ ଓଡ଼ିଶା ଗସ୍ତ। ସେ ରାତି ୮ଟା ୧୦ରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିିବେ। ଏଥିପାଇଁ ଟ୍ରାଫିକ କଟକଣା ଆରମ୍ଭ ହୋଇଯାଇଛି। ଦିନ ୨ଟାରୁ ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ବନ୍ଦ ରଖାଯାଇଛି। ସେହିପରି ୪ଟା ବେଳୁ ବାଣୀବିହାରରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିଛି। ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ ପାଇଁ ଓଡ଼ିଶା ପୁଲିସ ଓ ଏସପିଜି ସଜାଗ ରହିଛି।

ସେହିପରି ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପହଂଚିବା ଠାରୁ ଆରମ୍ଭ କରି ରାଜଭବନରେ ରାତ୍ରିଯାପନ ପର୍ଯ୍ୟନ୍ତ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଶେଷକରି ରୋଡ୍ ସୋ’ ପାଇଁ ଜନପଥରେ ଟ୍ରାଫିକ କଟକଣା ଲଗାଇଛି କମିସନରେଟ୍ ପୁଲିସ। ରୋଡ୍ ସୋ’ରେ ଆଗେ ଆଗେ ଚାଲି ଚାଲି ଯିବେ ପାଖାପାଖି ଶହେ ଜଣ ମହିଳା। ମହିଳାଙ୍କ ଏହି ଗ୍ରୁପ୍‌ ୫୦ ମିଟର ପଛରେ ଯିବ ମୋଦୀଙ୍କ କାରକେଡ୍। ସେହିପରି ଜନପଥର ଦୁଇ ପାଶ୍ୱର୍ରେ ପୁଲିସ ମୁତୟନ ରହିବେ। ସପିଂ ମଲ, ବଡ଼ବଡ଼ କୋଠାରେ ବନ୍ଧୁକଧାରୀ ପୁଲିସ ସଜାଗ ରହିବେ। ବମ୍ ସ୍କ୍ୱାର୍ଡ, ଡଗ୍ ସ୍କ୍ୱାଡ ପଇଁତରା ମାରିବେ। ମୋଦୀଙ୍କ ସୁରକ୍ଷା ପାଇଁ ଏସପିଜି ସହ ମିଶି ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛି କମିସନରେଟ୍ ପୁଲିସ। ରୋଡ୍ ସୋ’ ପାଇଁ ମୋଟ ୫୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବ। ସେହିପରି ୫ ଡିସିପି, ୧୦ ଅତିରିକ୍ତ ଡିସିପି, ୨୭ଜଣ ଏସିପି ଓ ୪୧ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ। ଏହାସହ ତିନୋଟି ଆଂଟି ଟେରର ଗ୍ରୁପ୍ ମଧ୍ୟ ରୋଡ୍ ସୋ’କୁ ଜଗିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe