Photo: Scroll.in
ଭୁବନେଶ୍ୱର: ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ପ୍ରକାଶକ ଓ ସଂପାଦକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ସୋନି ମେହେଟ୍ଟାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଆଜି ସନ୍ଧ୍ୟାରେ ଫୋନ୍ରେ କଥା ହୋଇ ସମବେଦନା ଜଣାଇଛନ୍ତି । ନବୀନଙ୍କ ସହ ଫୋନ୍ରେ କଥା ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି। ଟୁଇଟ୍ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ସୋନି ମେହେଟ୍ଟାଙ୍କୁ ବିଶ୍ୱର ଅଗଣିତ ପାଠକ ମନେ ରଖିବେ। ସୋନି ମେହଟ୍ଟା ଥିଲେ ଜଣେ ଜ୍ଞାନୀ ବ୍ୟକ୍ତିତ୍ବ । ସୋନି ମେହେଟ୍ଟାଙ୍କ ପରଲୋକ ନେଇ ମୁଁ ମର୍ମାହତ ବୋଲି ମୋଦୀ କହିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ସୋନି ମେହେଟ୍ଟାଙ୍କ ବିୟୋଗରେ ନବୀନଙ୍କ ଭଉଣୀ ତଥା ସୋନିଙ୍କ ପତ୍ନୀ ଗୀତା ମେହେଟ୍ଟାଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି।
ସୂଚନାଯୋଗ୍ୟ ଯେ, ଅନ୍ତର୍ଜାତୀୟସ୍ତରରେ ଖ୍ୟାତିଅର୍ଜନ କରିଥିବା ପ୍ରକାଶନ ସଂସ୍ଥା ଆଲଫ୍ରେଡ୍ ଏ ନଫ୍ ଡବଲଡେ ପବ୍ଲିସିଂ ଗ୍ରୁପର ଅଧ୍ୟକ୍ଷ ତଥା ମୁଖ୍ୟ ସଂପାଦକ ଥିବା ସୋନି ମେହେଟ୍ଟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କୁ ବିବାହ କରିଥିଲେ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜାମାତା ତଥା ନବୀନ ପଟ୍ଟନାୟକଙ୍କର ଭିଣୋଇ ସୋନି ମେହେଟ୍ଟାଙ୍କର ସୋମବାର ୭୭ ବର୍ଷ ବୟସରେ ପରଲୋକ ଘଟିଥିଲା।
ପ୍ରକାଶନ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ଲାଗି ଭାରତ, ଇଂଲଣ୍ଡ ଓ ଆମେରିକାର ବହୁ ସଂସ୍ଥା ଦ୍ଵାରା ସେ ଜୀବନବ୍ୟାପି ଅବଦାନ ଲାଗି ସମ୍ମାନିତ ହୋଇଥିଲେ। ଆମେରିକାର ବ୍ରାଡ କଲେଜ ପକ୍ଷରୁ ତାଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍ ପ୍ରଦାନ କରାଯାଇଥିଲା। ସେହିପରି ଅନ୍ତର୍ଜାତୀୟ ପତ୍ରିକା ଭାନିଟି ଫେୟାର ତାଙ୍କୁ ବିଶ୍ୱର ଶ୍ରେଷ୍ଠ ପରିଚ୍ଛଦ ପରିଧାନ କରୁଥିବା ବ୍ୟକ୍ତିଙ୍କ ସୂଚୀରେ ସ୍ଥାନୀତ କରିଥିଲା। ଅନ୍ତର୍ଜାତୀୟ ପରିସରରେ ଜଣେ ଦକ୍ଷ ସଂପାଦକ ଭାବେ ଜଣାଶୁଣା ମେହେଟା କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ଓ ଇତିହାସରେ ଡିଗ୍ରି ହାସଲ କରିଥିଲେ।
Follow Us