ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା : ୫୪୩ ରାସ୍ତା, ୭୭ ପୋଲ ପ୍ରକଳ୍ପକୁ ଅନୁମୋଦନ

Advertisment
ଆରଡି ଜାରକା ଡିଭିଜନ୍ କେଳେଙ୍କାରୀ: ୩ କୋଟିର ରାସ୍ତାରେ ୧୯ଲକ୍ଷର ଗୁପ୍ତ ଟେଣ୍ଡର୍

ksrrda.kerala.gov.in

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) କାର୍ଯ୍ୟାନ୍ୱୟନରେ ଓଡ଼ିଶା ଦ୍ରୁତ ଅଗ୍ରଗତି ବଜାୟ ରଖିଛି। କୋଭିଡ୍- ୧୯ କଟକଣା ଅନୁପାଳନ ମଧ୍ୟରେ ବି ଓଡ଼ିଶା ଏହି ଯୋଜନାର ତୃତୀୟ ପର୍ଯ୍ୟାୟର ପ୍ରଥମ ଦଫାରେ ଅନୁମୋଦିତ ହୋଇଥିବା ୩୪୦ ରାସ୍ତା ପ୍ରକଳ୍ପର କ୍ଷେତ୍ର ସ୍ତରୀୟ କାର୍ଯ୍ୟ ଆରମ୍ଭ କରିଛି।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଷ୍ଟାଣ୍ଡିଂ କମିଟି ବୈଠକର ଆଲୋଚନାରୁ ଏହା ଜଣାପଡ଼ିଛି। ଲୋକସେବା ଭବନରୁ 'ଡିଜିଟାଲ୍ ମୋଡ୍'ରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିସନର୍‌ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ପ୍ରଶାସନିକ, ଆର୍ଥିକ ଓ ବୈଷୟିକ ବିଷୟ ସହ ନୂଆ ୫୪୩ଟି ରାସ୍ତା ଓ ୭୭ ଟି ପୋଲ ପ୍ରକଳ୍ପ ପ୍ରସ୍ତାବ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ। ପ୍ରକଳ୍ପଗୁଡ଼ିକର ଗୁରୁତ୍ବକୁ ବିଚାର କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସେଗୁଡିକୁ ନୀତିଗତ ଅନୁମୋଦନ ଦେଇଥିଲେ।

ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶକ ସୁଦର୍ଶନ ପରିଡ଼ା କହିଥିଲେ ଯେ ବୈଠକରେ ପିଏମ୍‌ଜିଏସ୍‌ୱାଇ-ତୃତୀୟ ପର୍ଯ୍ୟାୟର ଦ୍ବିତୀୟ ଦଫା ନିମନ୍ତେ ଅନୁମୋଦିତ ପ୍ରକଳ୍ପଗୁଡ଼ିକ ୯ ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଏହି ଜିଲ୍ଲାଗୁଡ଼ିକ ହେଲା ବଲାଙ୍ଗୀର, ଭଦ୍ରକ, ଗଞ୍ଜାମ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀ। ଏହି ସବୁ ଜିଲ୍ଲାରେ ୩୪୩୫ କିମି ରାସ୍ତାର ପ୍ରଶସ୍ତୀକରଣ ଓ ବିକାଶ କରାଯିବା ସହ ୭୭ଟି ପୋଲ ନିର୍ମାଣ କରାଯିବ। ଏହି ସବୁ ପ୍ରକଳ୍ପରେ ପ୍ରାୟ ୨,୨୨୯ କୋଟି ଟଙ୍କା ବିନିଯୋଗ କରାଯିବ। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ପ୍ରାୟ ୬୨ ହଜାର କିମି ରାସ୍ତା ଏବଂ ୪୧୨ଟି ପୋଲ ନିର୍ମାଣ ସରିଛି।

ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା, ପୂର୍ତ୍ତ ବିଭାଗ ସଚିବ କ୍ରିଷନ୍ କୁମାର, ପିଏମ୍‌ଜିଏସ୍‌ୱାଇର ମୁଖ୍ୟ ଯନ୍ତ୍ରୀ ଅକ୍ଷୟ କୁମାର ପ୍ରଧାନ ଓ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe