କବି କମଳ ଭୋରା ପାଇବେ ଗଙ୍ଗାଧର ଜାତୀୟ ସମ୍ମାନ

କବି କମଳ ଭୋରା ପାଇବେ ଗଙ୍ଗାଧର ଜାତୀୟ ସମ୍ମାନ

ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟର ମର୍ଯ୍ୟାଦାଜନକ ଗଙ୍ଗାଧର ଜାତୀୟ ସମ୍ମାନ ଏଥର ଗୁଜୁରାଟି ଭାଷାର ପ୍ରଖ୍ୟାତ କବି ତଥା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ କମଳ ଭୋରା ମନୋନୀତ ହୋଇଛନ୍ତି। ଚଳିତ ବର୍ଷ ଜ୍ୟୋତିବିହାରଠାରେ ହେବାକୁ ଥିବା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ କବି ଭୋରାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ପୁରସ୍କାର ସ୍ୱରୂପ ତାଙ୍କୁ ନଗଦ ଏକ ଲକ୍ଷ ଟଙ୍କା, ପ୍ରଶସ୍ତିପତ୍ର, ସ୍ମାରିକା ଓ ଅଂଗବସ୍ତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ନୃପରାଜ ସାହୁ ସୂଚନା ଦେଇଛନ୍ତି।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୯୯୧ ମସିହାରୁ ଭାରତୀୟ ଭାଷାର କବିତା ପାଇଁ ପ୍ରଖ୍ୟାତ କବି ସ୍ୱଭାବକବି ଗଂଗାଧର ମେହେରଙ୍କ ନାମରେ ନାମିତ ଏହି ଗଙ୍ଗାଧର ଜାତୀୟ ସମ୍ମାନ ପ୍ରଦାନ କରାଯାଉଛି। ୧୯୫୦ ମସିହାରେ ଜନ୍ମିତ କବି କମଳ ଭୋରା ଜଣେ ସୃଜନଶୀଳ କବି ଏବଂ ସଂପାଦକ ଭାବରେ ପରିଚିତ । ୨୦୧୬ରେ ସେ ତାଙ୍କ ସଂକଳନ ‘ଅନେକାନେକ୍‌’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ହାସଲ କରିଥିଲେ। ତାଙ୍କ ଅନ୍ୟ ଏକ ପୁସ୍ତକ ‘ଅର୍ଭ’ ପାଇଁ ଉମାଶଙ୍କର ଯୋଶୀ ପୁରସ୍କାର ପାଇଥିଲେ। କବିତା ସହିତ ଗଳ୍ପ ରଚନା କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା କବି କମଳ ଯୋଶୀ କେନ୍ଦ୍ର ସାହିତ୍ୟ ଏକାଡେମୀର ଗୁଜୁରାଟୀ ପରାମର୍ଶଦାତା ବୋର୍ଡର ସଦସ୍ୟ ଭାବରେ ମଧ୍ୟ କାମ କରିଥିଲେ। ସେ ୧୯୭୧ ମସିହାରୁ କବିତା ରଚନା ଆରମ୍ଭ କରିଥିଲେ। ତାଙ୍କ ଅନେକ କୃତି ଇଣ୍ଡିଏନ୍ ଲିଟ୍‌ରେଚର, ଚିକାଗୋ ରିଭ୍ୟୁ, ଅନ୍ଥୋଲୋଜି ଅଫ୍ ଏସିଏନ୍ ପଏଟସ୍‌ରେ ସ୍ଥାନ ପାଇଛି। ସେହିଭଳି ତାଙ୍କର ଅନେକ କବିତା ହିନ୍ଦୀ, ମରାଠୀ, ବଙ୍ଗଳା, କନ୍ନଡ଼, ଇଂରାଜୀ ପ୍ରଭୃତି ଭାଷାରେ ଅନୁବାଦିତ ହେବା ସହିତ ପ୍ରକାଶ ପାଇଛି ।

ସେ ୨୦୧୦ ମସିହାରୁ ଗୁଜୁରାଟୀ ପତ୍ରିକା ‘ଇତଦ୍‌’ର ସଂପାଦନା କରୁଛନ୍ତି । ତାଙ୍କର ସଂକଳନମାନଙ୍କ ମଧ୍ୟରେ ‘ଅନେକ ଏକ୍‌’ ମଧ୍ୟ ପାଠକୀୟ ଆଦୃତି ହାସଲ କରିଛି । ସେ ମହାରାଷ୍ଟ୍ର ରାଜ୍ୟ ଗୁଜୁରାଟୀ ସାହିତ୍ୟ ଏକାଡ଼େମୀ, ଗୁଜୁରାତ ସାହିତ୍ୟ ଏକାଡ଼େମୀ ପକ୍ଷରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି । ଆଧୁନିକ ଭାରତୀୟ କବିତା ସଂକଳନକୁ ମଧ୍ୟ ସେ ସଂପାଦନା କରିଥିଲେ। ଏପର୍ଯ୍ୟନ୍ତ ୨୯ ଜଣ ପ୍ରଖ୍ୟାତ କବି ଗଂଗାଧର ଜାତୀୟ ସମ୍ମାନ ପାଇଛନ୍ତି। ଅଲ୍ଲୀ ସର୍ଦାର ଜାଫ୍ରି, ଡ. ରମାକାନ୍ତ ରଥ, ଗୁଲ୍‌ଜାର, ପଦ୍ମଶ୍ରୀ ବଲରାଜ କୋମଲ, ନିରୁପମ କୌର, ବାସ୍‌ଦେବ ମୋହି, ଡ. ରାଜେନ୍ଦ୍ର କିଶୋର ପଣ୍ଡା, ସୁରଜିତ ପତ୍ତର, ଶଙ୍ଖ ଘୋଷ, ଡ. ସୀତାକାନ୍ତ ମହାପାତ୍ର, ନୀଳମଣି ଫୁକନ, ଡ. ଜୟନ୍ତ ମହାପାତ୍ର, କେ. ସଚ୍ଚିଦାନନ୍ଦନ, ଅୟପ୍ପା ପାନିକର, ଏଏମକେ ସାହରିଆର, ଦିଲ୍ଲୀପ ଚିତ୍ରେ, ଡ. ସୌଭାଗ୍ୟ କୁମାର ମିଶ୍ର, ସୁବୋଧ ସରକାର, ନବକାନ୍ତ ବରୁଆ, ଶକ୍ତି ଚଟ୍ଟୋପାଧ୍ୟାୟ, କେଦାରନାଥ ସିଂହ, ବିନ୍ଦା କାରିନ୍ଦିକର୍‌, ସୀତାଂଶୁ ୟସସ୍ ଚନ୍ଦ୍ର, ହରପ୍ରସାଦ ଦାସ, ପଦ୍ମଶ୍ରୀ ଲୀଲାଧର ଜାଗୁଡ଼ି, କେ. ଶିବା ରେଡ଼ି, ଚନ୍ଦ୍ରଶେଖର କମ୍ବାର, ବିଶ୍ୱନାଥ ପ୍ରସାଦ ତିୱାରୀ, ସୀନ କାଫ ନିଜାମଙ୍କୁ ଗଙ୍ଗାଧର ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe