ସାହିତ୍ୟିକଙ୍କ ସହରରେ କବିବରଙ୍କୁ ଅସମ୍ମାନ

Advertisment

ଜାଣିଲା ପରେ ବି ହଟୁନି ତ୍ରୁଟିପୂର୍ଣ୍ଣ ଫଳକ, ପ୍ରତିମୂର୍ତ୍ତି ଆଗରେ ଗଦା ହେଉଛି ବାଲି, ଚିପ୍‌ସ

ଜାଣିଲା ପରେ ବି ହଟୁନି ତ୍ରୁଟିପୂର୍ଣ୍ଣ ଫଳକ, ପ୍ରତିମୂର୍ତ୍ତି ଆଗରେ ଗଦା ହେଉଛି ବାଲି, ଚିପ୍‌ସ

ସାହିତ୍ୟିକଙ୍କ ସହରରେ କବିବରଙ୍କୁ ଅସମ୍ମାନ

ବାଲେଶ୍ବର: ବାଲେଶ୍ବର ସହରର ଐତିହାସିକ ଗଡ଼ଗଡ଼ିଆ ପୋଖରୀଆଡ଼ିରେ ସ୍ଥାପନ କରାଯାଇଛି କବିବର ରାଧାନାଥ ରାୟଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି। ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଗତ ଡିସେମ୍ବର ମାସ ୨୩ ତାରିଖରେ ଏହି ପ୍ରତିମୂର୍ତ୍ତିର ଉନ୍ମୋଚନ କରାଯାଇଥିଲା। ହେଲେ ପ୍ରତିମୂର୍ତ୍ତି ସ୍ତମ୍ଭରେ ଲାଗିଥିବା ଫଳକରେ ରାଧାନାଥଙ୍କ ତିରୋଧାନ ଦିବସ ଏପ୍ରିଲ ୧୭ ତାରିଖ ବଦଳରେ ୨୭ ତାରିଖ ଉଲ୍ଲେଖ ‌ଥିଲା।

ଏନେଇ ସାହିତ୍ୟିକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଜାନୁଆରି ୩ ତାରିଖରେ ‘ସମ୍ବାଦ’ରେ ଏକ ଖବର ପ୍ରକାଶ ପାଇଥିଲା। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଇତିମଧ୍ୟରେ ୩ ମାସରୁ ଅଧିକ ସମୟ ବିତିଯାଇଥିବା ବେଳେ ନା ପୌରପାଳିକା ନା ଜିଲ୍ଲା ସଂସ୍କୃତି ବିଭାଗ କେହି ଏଥିପ୍ରତି ଦୃଷ୍ଟି ଦେଲେ ନାହିଁ। ଏବେ ବି ସେହି ତ୍ରୁଟିପୂର୍ଣ୍ଣ ଫଳକଟି ପ୍ରତିମୂର୍ତ୍ତିରେ ଲାଗିଛି। ଫଳରେ ସାଧାରଣ ଲୋକ, ଛାତ୍ରଛାତ୍ରୀ ଏବଂ ସାହିତ୍ୟିକଙ୍କ ମହଲରେ କବିବର ରାଧାନାଥଙ୍କ ତିରୋଧାନ ଦିବସକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେଉଛି।

ଏବେ କିଛିଦିନ ହେଲା ପ୍ରତିମୂର୍ତ୍ତି ଆଗରେ ବାଲି ଓ ପଥର ଗଦା ହୋଇ ରହୁଥିବାରୁ ସେପାଖକୁ କେହି ଯାଇ ପାରୁନାହାନ୍ତି। ରାଧାନାଥଙ୍କ ଭଳି ଜଣେ ବରପୁତ୍ରଙ୍କୁ ସାହିତ୍ୟିକଙ୍କ ସହର କୁହାଯାଉଥିବା ବାଲେଶ୍ବରରେ ଏହା ଏକପ୍ରକାର ଅପମାନ ଓ ଅସମ୍ମାନ ଅଟେ। କିନ୍ତୁ ସମସ୍ତେ ଏ ବିଷୟରେ ଜାଣିଥିଲେ ହେଁ କେହି ପ୍ରତିବାଦ କରୁନାହାନ୍ତି। ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ହେଁ ସେ ମଧ୍ୟ ଏଥିପ୍ରତି ଅବହେଳା ତଥା ବେଖାତିର ମନୋଭାବ ପୋଷଣ କରିଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ତ୍ରୁଟିପୂର୍ଣ୍ଣ ଫଳକଟି ସଂଶୋଧନ କରିବାକୁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe