ପୋଲାଭରମ୍‌ ପ୍ରକଳ୍ପକୁ ନେଇ ଆନ୍ଧ୍ର ତତ୍ପର

Advertisment
ପୋଲାଭରମ୍‌ ପ୍ରକଳ୍ପକୁ ନେଇ ଆନ୍ଧ୍ର ତତ୍ପର

ଭୁବନେଶ୍ବର : ପୋଲାଭରମ୍‌ ପ୍ରକଳ୍ପକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗିରହିଥିବାବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଆଜି ଆକାଶମାର୍ଗରୁ ଗୋଦାବରୀ ନଦୀ ଉପରସ୍ଥ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିଛନ୍ତି। ପୋଲାଭରମ୍‌ ଜାତୀୟ ପ୍ରକଳ୍ପର ମାନ୍ୟତା ପାଇବାପରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ଉତ୍ସୁକତା ଓ ଉଦ୍ୟମ ବଢ଼ିଯାଇଛି। ଅପରପକ୍ଷେ, ଆଗାମୀଦିନରେ ଓଡ଼ିଶାର ଭୂମିକା କ’ଣ ହେବ, ତାହା ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ରହିଛି। ମିଳିଥିବା ସୂଚନା ଅନୁୁଯାୟୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀରେଡ୍ଡୀ ଆକାଶମାର୍ଗରୁ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ପରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ। ବିଭାଗୀୟ ଅଧିକାରୀଙ୍କ ସହିତ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ।

publive-image

ଅପରପକ୍ଷେ, ଏହି ପ୍ରସଙ୍ଗରେ ଓଡ଼ିଶା ପକ୍ଷରୁ କୌଣସି ପଦ‌େକ୍ଷପ ଗ୍ରହଣ କରାନଯିବା ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାଲକାନଗିରି ଜିଲ୍ଲାର ଯେଉଁସବୁ ଗାଁଗୁଡ଼ିକ ଏହି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେବ, ଯେତେ ସବୁ ଜମି ସବୁଦିନ ପାଇଁ ପାଣିରେ ବୁଡ଼ିଯିବ ବା ପ୍ରବଳ ବନ୍ୟା ଆସି ଜଳମଗ୍ନ ହେବ; ତାହାର ପ୍ରଭାବ ସାମଗ୍ରିକ ଭାବେ ରାଜ୍ୟ ଉପରେ ପଡ଼ିବ। ବିଶେଷକରି, ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ମୁଲମଜୁରୀ ଲାଗୁଥିବା ସାଧାରଣ ଲୋକ ଭିଟାମାଟି ଓ ଜୀବିକା ହରାଇବେ।

ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ ଆନ୍ଦୋଳନ ହୋଇଛି। ‌େପାଲାଭରମ୍‌ ପ୍ରକଳ୍ପ ବିରୋଧରେ ଦିଲ୍ଲୀଠାରେ ସାଂସଦମାନେ ଧାରଣା ଦେଇଥିବାବେଳେ ଆନ୍ଧ୍ରଭବନ ସାମ୍‌ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟରୁ ବହୁ ଓଡ଼ିଆ ଲୋକ ବି ଦିଲ୍ଲୀ ଯାଇ ଆନ୍ଦୋଳନରେ ସାମିଲ୍‌ ହୋଇଥିଲେ। ଏହାସତ୍ତ୍ବେ ବି ସବୁ ରାଜନୈତିକ ଦଳ କାହିଁକି ଚୁପ୍‌ ରହିଛନ୍ତି, ତାହା ଜନସାଧାରଣରେ ବିସ୍ମୟ ସୃଷ୍ଟ କରିଛି।

ଏହି ପରିପ୍ରେକ୍ଷୀରେ ତେଜେଶ୍ବର ପରିଡ଼ା ପ୍ରଶ୍ନ କରିଛନ୍ତି, ପୋଲାଭରମ୍‌ ଜାତୀୟ ପ୍ରକଳ୍ପର ମାନ୍ୟତା ପାଇଲା, ସର୍ବୋଚ୍ଚ ନ୍ୟାୟାଳୟରେ ଲଢ଼େଇ ଚାଲିଲା, କିନ୍ତୁ ଯେଉଁଥିପାଇଁ ଓଡ଼ିଆମାନେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରାଗଲା ତା’ର ପରିଣାମ ହେଲା? ଏବେ ସଂସଦ ଅଧିବେଶନ ଚାଲୁଥିବାରୁ ଓଡ଼ିଶାର ସାଂସଦମାନେ ଏହି ପ୍ରସଙ୍ଗ ଉତ୍‌ଥାପନ କରିବା ପାଇଁ ଶ୍ରୀ ପରିଡ଼ା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe