କନ୍ଧମାଳ ଓ ଗଂଜାମ ସୀମାନ୍ତରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ

ମାସକରେ ପୁଲିସ ଓ ମାଓବାଦୀ ୩ ଥର ମୁହାଁମୁହିଁ

କନ୍ଧମାଳ ଓ ଗଂଜାମ ସୀମାନ୍ତରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ

India Today

ଫୁଲବାଣୀ: ପୁଣି କନ୍ଧମାଳରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ। କନ୍ଧମାଳ ଓ ଗଂଜାମ ସୀମାନ୍ତ ଚାହାଳି ପାଖ ଜଙ୍ଗଲରେ ଆଜି ସକାଳେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରିଥିବା ଖବର ପାଇ ପୁଲିସ ସଂପୃକ୍ତ ଜଙ୍ଗଲରେ ଅପରେସନକୁ ଜୋରଦାର କରିଥିଲା। ଅପରେସନ ସମୟରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ। ପ୍ରାୟତଃ ଅଧଘଣ୍ଟାଏ ଧରି ଗୁଳି ବିନିମୟ ହୋଇଥିବା ସ୍ଥାନୀୟ ଗ୍ରାମବାସୀଙ୍କ ସୁତ୍ରରୁ ଜଣା ପଡିଛି। ହେଲେ ଏହି ଗୁଳି ବିନିମୟରେ କ୍ଷୟକ୍ଷତି ହୋଇଛି କି ନାହିଁ ତାହା ଜଣା ପଡି ନାହିଁ। ଏ ନେଇ ସବିଶେଷ ଖବର ଜାଣିବା ପାଇଁ ଏସପିଙ୍କ ସହ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ବି ସେ ମୋବାଇଲ ଉଠାଇ ନଥିଲେ।

ଉଲ୍ଲେଖଯୋଗ୍ୟ, ଗତ ମାସ ୧୧ ତାରିଖରେ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ପାଦରପଡା ଜଙ୍ଗଲରେ ଗୁଳି ବିନିମୟରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ୨୫ ଜଣ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ। ତାପରେ ଗତ ୧୭ ତାରିଖରେ ପୁଣି ପାଦରପଡା ନିକଟ ବିରେଣି ଜଙ୍ଗଲରେ ପୁଣି ଥରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ପୁଲିସ ଉପରକୁ ମାଓବାଦୀ ଗୁଳି ସହ ଗ୍ରେନେଡ ମାଡ କରିଥିଲେ। ଏଥିରେ ପୁଲିସର କିଛି କ୍ଷତି ହୋଇ ନଥିଲା। ୮ରୁ ୧୦ ଜଣ ମାଓବାଦୀ କ୍ୟାମ୍ପରେ ଥିବା ବେଳେ ସେଥିରେ କ୍ୟାଡର ମାଓନେତା ଦସୁର ବି ଥିଲା। ଗତଥର ଭଳି ଏଥର ବି ଦସୁର ଖସି ଯିବାରେ ସକ୍ଷମ ହୋଇଛି। ପୁଲିସ କ୍ୟାମ୍ପରୁ ୨ଟି ଦେଶୀ ବନ୍ଧୁକ, ଗୋଟିଏ ରେଡିଓ, ଔଷଧ, ଡ୍ରେସ ପତ୍ର ଏବଂ ରାସନ ସାମଗ୍ରୀ ଠାବ କରାଯାଇଛି। ୬ ମାସ ମଧ୍ୟରେ ପୁଲିସ ଗୁଳିରେ ୧୩ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ଏବେ ପୁଣି ମାସକ ମଧ୍ୟରେ କନ୍ଧମାଳରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରୁ ସ୍ପଷ୍ଟ ଯେ ପ୍ରତିଶୋଧ ନେବାକୁ କନ୍ଧମାଳରେ ଏବେ ବି ମାଓବାଦୀ ବେଶ ସକ୍ରିୟ ଅଛନ୍ତି। ଆଉ ମାଓ ନେତା ଦାସୁର୍ ନେତୃତ୍ବ ନେଉଥିବା ଜଣା ପଡିଛି। ଏ ଦିଗରେ ପୁଲିସ ଆହୁରି ଅଧିକ ସତର୍କ ଓ ସଜାଗ ହେବା ଜରୁରୀ ହୋଇ ପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe