ଲୋକେ ତାତିଲେ: ଅଡ଼ବା ଥାନାରେ ପଶି ପିଟିଲେ ୬ ପଞ୍ଚାୟତର ଆଦିବାସୀ

Advertisment

୮ ପୁଲିସ କର୍ମଚାରୀ ଆହତ, ଗଞ୍ଜେଇ ଧରପଗଡ଼ରୁ ଉତ୍ତେଜନା

୮ ପୁଲିସ କର୍ମଚାରୀ ଆହତ, ଗଞ୍ଜେଇ ଧରପଗଡ଼ରୁ ଉତ୍ତେଜନା

ଲୋକେ ତାତିଲେ: ଅଡ଼ବା ଥାନାରେ ପଶି ପିଟିଲେ ୬ ପଞ୍ଚାୟତର ଆଦିବାସୀ

ମୋହନା: ପୁଲିସର ରାତିଅଧିଆ ଗଞ୍ଜେଇ ଧରପଗଡ଼, ମିଥ୍ୟା ମାମଲା ରୁଜୁ ଓ ଜଣେ ଯୁବକଙ୍କୁ ଗିରଫ ପ୍ରତିବାଦରେ ଗଜପତି ଜିଲ୍ଲା ମୋହନା ବ୍ଲକ୍ ଏବଂ ଅଡ଼ବା ଥାନା ଅଧୀନ ୬ଟି ପଞ୍ଚାୟତର ଆଦିବାସୀ ଚରମ ପଦକ୍ଷେପ ନେଇଛନ୍ତି। ପୁଲିସର ଏଭଳି କାର୍ଯ୍ୟକଳାପକୁ ତୀବ୍ର ବିରୋଧ କରିବା ସହ ଉତ୍ତ୍ୟକ୍ତ ଆଦିବାସୀମାନେ ଆଜି ସକାଳେ ଅଡ଼ବା ଥାନାର ଫାଟକ ଭାଙ୍ଗି ଭିତରେ ଧ‌ସେଇ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏହାସହ ପୁଲିସ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ମାଡ଼ ମାରିଛନ୍ତି। ସେମାନଙ୍କ ଆକ୍ରମଣରେ ୮ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ ୩ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଡ଼ବା ଥାନାର ଏସ୍‌ଆଇ ଲକ୍ଷ୍ମଣ ବେହେରାଙ୍କ ନେତୃତ୍ବରେ ଏକ ଟିମ୍ ଗତ ୧୧ ତାରିଖରେ ଚୁଡ଼ଙ୍ଗପୁର ଅଞ୍ଚଳରେ ପା‌ଟ୍ରୋଲିଂ କରୁଥିବା ସମୟରେ ଝରଣପୁର ନିକଟରୁ ୬ଟି ପ୍ଳାଷ୍ଟିକ୍ ବ୍ୟାରେଲ୍‌ରୁ ୨୦୭ କିଲୋ ୫୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଥିଲେ। ଏଥିରେ ସଂପୃକ୍ତ ଗ୍ରାମର ବିଶ୍ବନାଥ ଭୂୟାଁଙ୍କୁ ଗତକାଲି ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହାସହ ବିଶ୍ବନାଥଙ୍କ ଘରେ ମଧ୍ୟ ରାତିଅଧିଆ ଚଢ଼ଉ କରାଯାଇଥିଲା। ଏହା ଜଣାପଡ଼ିବା ପରେ ଅନ୍ତରବା, ଚୁଡ଼ଙ୍ଗପୁର, ବଡ଼ସିନ୍ଧବା, ଯୁବ ଓ ଗୁଲବା ‌ସମେତ ୬ଟି ପଞ୍ଚାୟତରୁ ୨୦୦ରୁ ଅଧିକ ମହିଳା ଓ ପୁରୁଷ ଆଜି ସକାଳ ପ୍ରାୟ ୮ଟାରେ ଅଡ଼ବା ଥାନା ଆଗରେ ପହଞ୍ଚି ଧାରଣାରେ ବସିଥିଲେ। ଆଉ ବିଶ୍ବନାଥଙ୍କୁ ତୁରନ୍ତ ଖଲାସ କରାଯାଉ ବୋଲି ଦାବି କରିଥିଲେ। ଏକଘଣ୍ଟା ଧରି ଧାରଣା ଦେଇଥିଲେ ହେଁ, କୌଣସି ଅଧିକାରୀ ଓ କର୍ମଚାରୀ କେହିବି ଆଲୋଚନା ପାଇଁ ଆସି ନଥିଲେ। ଫଳରେ ସମସ୍ତେ ଏକାଠି ହୋଇ ଥାନା ଫାଟକ ଭାଙ୍ଗି ଭିତରେ ଧ‌‌ସେଇ ପଶିଥିଲେ। ଥାନାରେ ନିୟୋଜିତ ଥିବା ଛତ୍ରପୁର ଅଷ୍ଟମ ବାଟାଲିଅନର ଏକ ପ୍ଲାଟୁନ୍‌ ପୁଲିସ ଏବଂ ଉପସ୍ଥିତ ଅନ୍ୟ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। କିଛି କର୍ମଚାରୀଙ୍କୁ ତଳେ ପକାଇ ନିର୍ଧୁମ୍ ମାଡ଼ ମାରିବା ସହ ଜିନିଷପତ୍ର, ଦସ୍ତାବିଜ୍ ଓ ଚେୟାରଟେବୁଲ୍ ସବୁ ଏଣେତେଣେ ଫୋପାଡ଼ି ଦେଇଥିଲେ। ନିରୁପାୟ କର୍ମଚାରୀମାନେ ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡ଼ିଥିଲେ। ଏକଘଣ୍ଟା ଧରି ଥାନାକୁ ନିଜ ଅକ୍ତିଆରକୁ ନେଇ ଯାଇଥିବା ଆଦିବାସୀଙ୍କ ନିକଟରେ କର୍ମଚାରୀମାନେ ଏକପ୍ରକାର ଅସହାୟ ପାଲଟିଥି‌େଲ। ଶେଷରେ ଜୀବନ ବଞ୍ଚାଇବାକୁ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ। ଥାନା କର୍ମଚାରୀଶୂନ୍ୟ ପାଲଟିଯାଇଥିଲା। ୮ ଜଣ ଆହତ ହୋଇଥିବା ବେଳେ ସିପାହୀ ଅରବିନ୍ଦ ପରିଡ଼ା, ହାବିଲଦାର ପବିତ୍ରମୋହନ ପ୍ରଧାନ ଓ ନିମାଇଁ ଚରଣ ସାହୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଆକ୍ରମଣ ପରେ ଆଦିବାସୀମାନେ ଥାନା ଆଗରେ ସନ୍ଧ୍ୟା ପର୍ଯ୍ୟନ୍ତ ଧାରଣା ଜାରି ରଖିଥିଲେ। ଅଭିଯୁକ୍ତଙ୍କୁ ନଛାଡ଼ିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଆଦିବାସୀମାନେ ଚେତାବନୀ ଦେଇଥିଲେ। ଆର୍‌.ଉଦୟଗିରି ଏସ୍‌ଡିପିଓ ଦିଲ୍ଲୀପ କୁମାର ନାୟକ, ମୋହନା ଥାନାଧିକାରୀ ପ୍ରଶାନ୍ତ କୁମାର ନିସିକା, ମୋହନା ବିଡିଓ ତପସ୍ବିନୀ ହାଁସଦା, ଅତିରିକ୍ତ ତହସିଲଦାର ହିମାଶୁ˚ ଶେଖର ପଲାଇ, ବ୍ଲକ୍‌ ଅଧ୍ୟକ୍ଷ ର˚ଜୀବ ଶବର ଓ ଚନ୍ଦ୍ରଗିରି ଜିଲ୍ଲା ପରିଷଦ ସଭ୍ୟ ସୁନିଲ କୁମାର ବିଷୋୟୀ ପ୍ରମୁଖ ପହଞ୍ଚିଥିଲେ। ଆନ୍ଦୋଳନର ନେତୃତ୍ବ ନେଇଥିବା ଆଦିବାସୀ ନେତା ଆବ୍ରାହମ୍ ଗମାଙ୍ଗ, ଚୁଡ଼ଙ୍ଗପୁର ସରପଞ୍ଚ ସେବତୀ ଗମାଙ୍ଗ, ଅଡ଼ବା ସରପଞ୍ଚ ସୁନନି ଗମାଙ୍ଗ, ଥିଓଫିଲ୍‌ ଗମାଙ୍ଗ ଓ ସିମିୟ ଗମାଙ୍ଗଙ୍କ ସମେତ ଅନ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ। ପ‌ରେ ଗଜପତି ଏସ୍‌.ପି. ଜୟରାମ ଶତପଥୀ ମୋହନାରେ ପହଞ୍ଚିଥିଲେ। ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପକୁ ଆଲୋଚନା ପାଇଁ ଆଦିବାସୀ ନେତାମାନଙ୍କୁ ଡକାଯାଇଥିଲା। ଏସପିଙ୍କ ସହିତ ଆଲୋଚନା ପରେ ସନ୍ଧ୍ୟା ୭ଟାରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe