ଅପରାଧରେ ସଂପୃକ୍ତ ଶାସକ ଦଳ ନେତାଙ୍କୁ ପୁଲିସ ସୁରକ୍ଷା ଦେଉଛି: ପାରଳା ବିଧାୟକ

ଅପରାଧରେ ସଂପୃକ୍ତ ଶାସକ ଦଳ ନେତାଙ୍କୁ ପୁଲିସ ସୁରକ୍ଷା ଦେଉଛି: ପାରଳା ବିଧାୟକ

ପାରଳାଖେମୁଣ୍ତି : କାଶୀନଗର କାଜୁ ବ୍ୟବସାୟୀଙ୍କ ପୁଅ ହାର୍ଦ୍ଦିକ ଅପହରଣ ଘଟଣାରେ ମାଷ୍ଟର୍‌ମାଇଣ୍ତ୍‌ କାଶୀନଗର ବଡ଼ମାଜଲା ସାହିର କାରିମ ତିରୁପତି ରାଓଙ୍କ ପୁଅ କାରିମ ଚୈତନ୍ୟ ଗିରଫ ହୋଇଛି। ଗତ ନଭେମ୍ବର ମାସରେ ଚୈତନ୍ୟଙ୍କୁ କାଶୀନଗର ଏନଏସି ଛାତ୍ର ବିଜେଡି ସଭାପତି ଭାବେ ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ମନୋନୀତ କରିଥିଲେ। ଏ ଘଟଣା ନେଇ ପାରଳାଖେମୁଣ୍ତି ବିଧାୟକ ତଥା ଗଜପତି ଜିଲ୍ଲା ବିଜେପି ସଭାପତି କେ.ନାରାୟଣ ରାଓ କହିଛନ୍ତି, ବିଜେଡିର ଅସଲ ଚେହେରା ଏହି ଘଟଣା ପରେ ପଦାରେ ପଡ଼ିଛି। ଏକ ସାମ୍ବାଦିକ ସମ୍ମିଳନୀ ଡାକି ଶ୍ରୀ ରାଓ କହିଛନ୍ତି, ଶାସକ ଦଳର ସମର୍ଥକଙ୍କୁ ପୁଲିସ ସୁରକ୍ଷା ଦେଉଛି। ଫଳରେ ଗଜପତିରେ ଅପରାଧ ବୃଦ୍ଧି ପାଇ ଚାଲିଛି। ରାଜନୈତିକ ଅଭିସନ୍ଧି ରଖି ପୁଲିସର ଦୁର୍ବଳ ତଦନ୍ତ କାରଣରୁ ତାଙ୍କ ନିଜ ଘରେ ପଶି ତାଙ୍କ ମାଉସୀଙ୍କୁ ଯେଉଁ ଦୁର୍ବୃତ୍ତ ଆକ୍ରମଣ କରିଥିଲେ ସେମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ ଜାମିନ ମିଳିଗଲା ବୋଲି ସେ ଅଭିଯୋଗ କରିଛନ୍ତି।

ବେଆଇନ ବାଲି ଚାଲାଣ ଘଟଣାରେ ଜିଲ୍ଲା ବିଜେଡି ଯୁବ ସଭାପତିଙ୍କ ବିରୋଧରେ ଆନ୍ଧ୍ରରେ ମାମଲା ରୁଜୁ ହୋଇଛି। କିନ୍ତୁ ତାଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ନ ନେବା ଦଳ ମୁଖିଆ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ବାର୍ତ୍ତାକୁ ଭୁଲ ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି। କାଶୀନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ସିଏଚ. ସୀମାଦ୍ରି ଅଭିଯୋଗ କରିଥିଲେ, ଗୁରାଣ୍ତି ପୁଲିସର ଜାଣତରେ ଗୋଷାଣୀ ବ୍ଲକର ଘୋରଣୀ ଏବ˚ ମଧୁସୂଦନପୁର ପଞ୍ଚାୟତରେ ଦୈନିକ ବଡ଼ ଜୁଆ ଆଡ଼ା ଚାଲୁଛି। ଏଠାରେ ଲକ୍ଷ ଲକ୍ଷ ଟଙ୍କାର ଖେଳ ହେଉଥିବା ବେଳେ ପଡ଼ୋଶୀ ରାଜ୍ୟରୁ ମଧ୍ୟ ଜୁଆଡ଼ି ଆସୁଛନ୍ତି। ଏଣୁ, ପୁଲିସ ଓ ପ୍ରଶାସନ ଘଟଣା ଚପାଇଦେବାକୁ ଯେଉଁ ପ୍ରୟାସ କରୁଛନ୍ତି, ତାହା ବିରୋଧରେ ଭାଜପା ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe