Photo: kashmirobserver
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଭିକାପଡ଼ା ଗ୍ରାମରେ ଜଣେ ଦଳିତ ବର୍ଗର ନାବାଳିକାଙ୍କ ଚରିତ୍ରକୁ ସନ୍ଦେହ କରି ଅକଥନୀୟ ନିର୍ଯାତନା ଦିଆଯାଇଛି। ଏଭଳିକି ତାଙ୍କୁ ଗଛରେ ବାନ୍ଧି ମହିଳା ଓ ପୁରୁଷମାନେ ପିଟିବା ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଗତ ୧୭ ତାରିଖ ରାତିରେ ଏହି ଘଟଣା ଘଟିଥିଲା। ନିର୍ଯାତନା ଓ ଆକ୍ରମଣର ଶିକାର ନାବାଳିକା ଜଣକ ଆଜି ତାଙ୍କ ଆଈଙ୍କ ସହ ଥାନାରେ ଆସି ଏତଲା ଦେବା ପରେ କେସ୍ ନମ୍ବର ୫୨୦/୨୦ ଅନୁସାରେ ମାମଲା ରୁଜୁ ହୋଇଥିଲା। ଏଥିରେ ସଂପୃକ୍ତ ୧୬ ଜଣ ମହିଳାଙ୍କୁ ଆଜି ଗିରଫ କରାଯାଇଥିବାବେଳେ ଗିରଫଦାରି ଭୟରେ ଗାଁ ପୁରୁଷଶୂନ୍ୟ ହୋଇଯାଇଛି।
ମିଳିଥିବା ସୂଚନାନୁସାରେ, ନାବାଳିକାଙ୍କ ବାପାଙ୍କ ପୂର୍ବରୁ ଦେହାନ୍ତ ହୋଇ ଯାଇଥିବା ବେଳେ ମା' ନିଖୋଜ ହୋଇ ଯାଇଛନ୍ତି। ଭିକାପଡ଼ାରେ ନାବାଳିକା ଜଣକ ନିଜ ଆଈଙ୍କ ସହ ରହୁଥିଲେ। ହେଲେ ସାହି ବାହାରର କିଛି ଯୁବକଙ୍କ ସହ ସେ କଥାବାର୍ତ୍ତା କରୁଥିବା ଦେଖି ତାଙ୍କ ଚରିତ୍ରକୁ ସନ୍ଦେହ କରିଥିଲେ ଗ୍ରାମବାସୀ। ଗତ ଶୁକ୍ରବାର ରାତିରେ କିଛି ମହିଳା ଓ ପୁରୁଷ ନାବାଳିକାଙ୍କୁ ତାଙ୍କ ଆଈଙ୍କ ଘରୁ ଟାଣି ଆଣି ଗଛରେ ବାନ୍ଧିଦେବା ସହ ମାଡ଼ ମାରିଥିଲେ। ଏହାସହ ତାଗିଦ୍ କରିଥିଲେ। ଆଜି ନାବାଳିକା ଜଣକ ସାହସ ଜୁଟାଇ ଥାନାରେ ଏତଲା ଦେଥିଲେ। ୨୧ଜଣଙ୍କ ନାମରେ ଏତଲା ଦେବା ପରେ ପୁଲିସ ରାତିରେ ମାମଲା ରୁଜୁ କରି ଗାଁରେ ଚଢ଼ଉ କରି ୧୬ ଜଣ ମହିଳାଙ୍କୁ ଗିରଫ କରିଛି। କରୋନା ଟେଷ୍ଟ୍ ପରେ ମହିଳା ମାନଙ୍କୁ ବ୍ରହ୍ମପୁରସ୍ଥିତ ପୋକ୍ସୋ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ଅନ୍ୟ ମାନେ ଫେରାର୍ ଅଛନ୍ତି।
Follow Us