୧୨ ଘଣ୍ଟା ପଡ଼ିରହିଲା କୋଭିଡ୍‌ ଯୋଦ୍ଧା ପୁଲିସ୍ ଏଏସଆଇଙ୍କ ମୃତଦେହ, ଶେଷରେ ସାମାଜିକ କର୍ମୀ ଓ ସାମ୍ବାଦିକଙ୍କ ସହଯୋଗରେ ଉଠିଲା

୧୨ ଘଣ୍ଟା ପଡ଼ିରହିଲା କୋଭିଡ୍‌ ଯୋଦ୍ଧା ପୁଲିସ୍ ଏଏସଆଇଙ୍କ ମୃତଦେହ, ଶେଷରେ ସାମାଜିକ କର୍ମୀ ଓ ସାମ୍ବାଦିକଙ୍କ ସହଯୋଗରେ ଉଠିଲା

ବ୍ରହ୍ମପୁର/ବେଗୁନିଆପଡ଼ା: କରେନା ଯୋଦ୍ଧାଙ୍କୁ ସମ୍ମାନ ଓ ସମବେଦନା ଜଣାଇବା ଲାଗି ଗଞ୍ଜାମ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ଆହ୍ବାନ କରିବାର ୨୪ ଘଣ୍ଟା ନପୂରୁଣୁ କୋଦଳା ହସ୍ପିଟାଲ୍‌ ସାମ୍ନାରେ ଅରକ୍ଷ ଭାବେ ଜଣେ କୋଭିଡ୍‌ ‌ଯୋଦ୍ଧାଙ୍କ ମୃତଦେହ ପଡ଼ି ରହିଥିବା ଭଳି ସମ୍ବେଦନଶୀଳ ଘଟଣା ଆଜି ସାମ୍ନାକୁ ଆସିଛି। ଜଣେ ପୁଲିସ୍‌ ଏଏସ୍‌ଆଇଙ୍କର କୋଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା ପରେ ତାଙ୍କର ମରଶରୀର ଦୀର୍ଘ ୧୨ ଘଣ୍ଟା ଧରି ହସ୍ପିଟାଲ୍‌ ସମ୍ମୁଖରେ ପଡ଼ି ରହିଥିଲା। ତାଙ୍କର ସଂପର୍କୀୟ, ପରିଚିତ କିମ୍ବା ପୁଲିସ୍‌ ବିଭାଗର କୌଣସି କର୍ମଚାରୀ ଶବ ନିକଟକୁ ଆସି ନଥିଲେ। ଗତକାଲି ରାତି ୧୧.୩୦ରୁ ଏଭଳି ଅବସ୍ଥାରେ ପଡ଼ି ରହିଥିଲା ମୃତଦେହ। ଆଜି ମଧ୍ୟାହ୍ନ ୧୨ଟା ପରେ ମୃତକଙ୍କ ପୁଅ, ୨ ଜଣ ପୁଲିସ୍‌ କନ୍‌ଷ୍ଟେବଳ‌, ୨ ଜଣ ସ୍ଥାନୀୟ ସାମ୍ବାଦିକ ଏବଂ ଜଣେ ସାମାଜିକ କର୍ମୀଙ୍କ ଉଦ୍ୟମରେ ଶବ ସେଠାରୁ ଉଠିଥିଲା।

publive-image

ମିଳିଥିବା ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ ଏଏସ୍‌ଆଇଙ୍କୁ ଗତ ୪ ଦିନ ତଳେ ଜ୍ବର ହେବାରୁ ସେ ତାଙ୍କ ବେଗୁନିଆପଡ଼ାସ୍ଥିତ ଘରକୁ ପଳାଇ ଆସିଥିଲେ। ଗତକାଲି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକ ତାଙ୍କୁ ନିକଟସ୍ଥ କୋଦଳା ଡାକ୍ତରଖାନାକୁ ନେଇଥିଲେ। କୋଦଳା ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା। କରୋନା ଆକ୍ରାନ୍ତ ଥିବା ସନ୍ଦେହରେ ତାଙ୍କ ମୃତଦେହକୁ ଡାକ୍ତରଖାନା ବାହାରେ ପକାଇ ଦିଆଯାଇଥିଲା। ମୃତଦେହକୁ ଭୟରେ କେହି ଉଠାଇବାକୁ ଆସି ନଥିଲେ। ରାତି ସାରା ସେମିତି ପଡ଼ି ରହିବା ପରେ ଆଜି ମଧ୍ୟାହ୍ନରେ ରଶ୍ମୀ ପଣ୍ଡା ଓ ଲକ୍ଷ୍ମୀ ବେହେରା ନାମକ ଦୁଇ ଜଣ ପୁଲିସ୍‌ କନ୍‌ଷ୍ଟେବଳ‌, ସାମାଜିକ କର୍ମୀ ଗୁରା ଅଲ୍ଲୀ ଓ ଦୁଇ ସ୍ଥାନୀୟ ସାମ୍ବାଦିକ ଭଗବାନ ପାଢ଼ୀ ଓ ସନ୍ତୋଷ ପତି  ଓ ମୃତ ଏଏସ୍‌ଆଇଙ୍କ ପୁଅ ସନ୍ତୋଷ ସେଠୀ ମୃତଦେହକୁ ସେଠାରୁ ଉଠାଇଥିଲେ।

publive-image

ଏହାପରେ ଘଟଣା ସଂପର୍କରେ ଖବର ପାଇ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ କୋଦଳାରେ ପହଞ୍ଚିଥିଲେ। ଇତି ମଧ୍ୟରେ ମୃତ ଏଏସ୍‌ଆଇଙ୍କର ସ୍ବାବ୍ ନମୁନା କରୋନା ପଜିଟିଭ୍‌ ବାହାରିବାରୁ କୋଦଳା ଡାକ୍ତରଖାନା ପରିସରରେ ତାଙ୍କ ମରଶରୀରକୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇ ଅନ୍ତିମ ସଂସ୍କାର ନିମନ୍ତେ ବ୍ରହ୍ମପୁର ନିଆଯାଇଥିଲା। କୋଭିଡ୍‌ ଯୋଦ୍ଧା ରବୀନ୍ଦ୍ର ବହେରାଙ୍କ ଘର ଛତ୍ରପୁର ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ଓ ଏହା ପୂର୍ବରୁ କୋଦଳାରେ ଅବସ୍ଥାପିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe