ଦଶପଲ୍ଲା : ପୁଲିସ ବାରାକ୍‌ ଏବେ ପାଲଟିଛି ଅସାମାଜିକଙ୍କ ଆଡ଼ାସ୍ଥଳ

Advertisment
ଦଶପଲ୍ଲା : ପୁଲିସ ବାରାକ୍‌ ଏବେ ପାଲଟିଛି ଅସାମାଜିକଙ୍କ ଆଡ଼ାସ୍ଥଳ

ଦଶପଲ୍ଲା : ଦିନ ଥିଲା ମାଓବାଦୀ ନିୟନ୍ତ୍ରଣ ତଥା ସେମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବୃତଙ୍ଗ ଜଳସେଚନ ବିଭାଗର କିଛି ଗୃହକୁ ମରାମତି କରାଯାଇ ପୁଲିସ୍‌ ବାରାକ୍‌ ନିର୍ମାଣ କରାଯାଇଥିଲା। କିନ୍ତୁ ଏହି ବାରାକ୍‌ ଆଜି ଭୂତକୋଠି ପାଲଟି ଥିବାବେଳେ ଏହା ଅସାମାଜିକ ବ୍ୟକ୍ତିଙ୍କ ଆଡ଼ାସ୍ଥଳ ପାଲଟିଛି। ଚାରିପାଖ ଲଟାବୁଦାରେ ପରିପୂର୍ଣ୍ଣ। ଦିନ ହେଉ କି ରାତି, କିଛି ଅସାମାଜିକ ବ୍ୟକ୍ତି ଏଠାରେ ଆଡ଼ା ଜମାଇ ନିଶା ସେବନ କରୁଥିବା ଦେଖିବାକୁ ମି‌ଳିଥାଏ। ଘରର କବାଟ ଓ ଚଉକାଠ ସହ ବିଭିନ୍ନ ଆସବାବପତ୍ର ସେମାନେ ତାଡ଼ି ନେଲେଣି। କର୍ମଚାରୀମାନେ ପାଟି କଲେ ସେମାନଙ୍କୁ ବିଭିନ୍ନ ଧମକ ଚମକ ମିଳୁଛି। ତେଣୁ କୁଆଁରିଆ ଜଳସମ୍ପଦ ବିଭାଗ କଲୋନିବାସୀ ନିଜକୁ ଅସୁରକ୍ଷିତ ମଣୁଥିବା ଅଭିଯୋଗ ଆଣିଛନ୍ତି।

publive-image

୨୦୦୮ ମସିହାରେ ନୟାଗଡ଼ ଜିଲ୍ଲା ସମେତ ଦଶପଲ୍ଲା, ନୂଆଗାଁ ଓ ମହିପୁର ଥାନା ଉପରେ ମାଓବାଦୀଙ୍କ ହମ୍‌ଲା ହୋଇଥିଲା। ଫୋର୍ସ ମୁତୟନ କରାଯାଇ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏହି ସ୍ଥାନକୁ ଚିହ୍ନଟ କରାଯାଇ ଏ ସବୁ ଗୃହକୁ ମରାମତି କରାଯାଇଥିଲା। ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏସବୁ ଘରର ମରାମତି କାର୍ଯ୍ୟ ହୋଇଥିଲା। ପୂର୍ବରୁ ଏଠାରେ ବୃତଙ୍ଗ ସବ୍‌ଡିଭିଜନ କାର୍ଯ୍ୟାଳୟ ଚାଲି ଆସୁଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ଏହି କାର୍ଯ୍ୟାଳୟ ଅନ୍ୟ ଏକ ଗୃହକୁ ସ୍ଥାନାନ୍ତର କରା ଯାଇଥିଲା। ମାଓବାଦୀ ଆକ୍ରମଣ ପରେ ଦଶପଲ୍ଲା-ଭଞ୍ଜନଗର ରାସ୍ତାଟି ମାଓବାଦୀଙ୍କ ସୁଗମ ପଥ ହୋଇଥିବା ବେଳେ କିଛିଦିନ ପାଇଁ ଏଠାରେ ଫୋର୍ସ ମଧ୍ୟ ମୁତୟନ ହୋଇଥିଲେ। ମାତ୍ର କିଛିଦିନ ଫୋର୍ସ ରହି ଚାଲିଯିବା ପରେ ଏହାର କୌଣସି ରକ୍ଷଣାବେକ୍ଷଣ କରାଯାଉ ନାହିଁ। ଏହି ଗୃହଗୁଡ଼ିକ ବୃତଙ୍ଗ ଜଳସେଚନ ବିଭାଗ ଅଧୀନରେ ଥିବାବେଳେ କର୍ମଚାରୀଙ୍କ ଖାମ୍‌ଖିଆଲ ମନୋଭାବ ଓ ଅବହେଳା ଯୋଗୁ ଏଥିପ୍ରତି ଦୃଷ୍ଟି ଦିଆଯାଉ ନଥିବା କଲୋନିବାସୀ ଅଭିଯୋଗ ଆଣିଛନ୍ତି। ସମ୍ମୁଖରେ ମହିଳା ମହାବିଦ୍ୟାଳୟ ଥିବାବେଳେ ଛାତ୍ରୀମାନେ ମଧ୍ୟ ବିଭିନ୍ନ ସମୟରେ ଅସାମାଜିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ୁଥିବା ଅଭିଯୋଗ ଆସିଛି। ବିଶେଷକରି ବୃତଙ୍ଗ କାର୍ଯ୍ୟାଳୟରେ କାଁ ଭାଁ ହାତଗଣତି କିଛି କର୍ମଚାରୀଙ୍କୁ ଛାଡ଼ି ଦେଲେ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଏଠାରେ ରହୁ ନ ଥିବା ଏବଂ ଏହାର ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ଏହା ଧ୍ବଂସ ହେବାକୁ ବସିଛି। ଅପରାଧୀମାନେ ଏଠାରେ ବିଭିନ୍ନ ଅନୈତିକ କାର୍ଯ୍ୟ କରିବା ସହ ଅପରାଧ ଘଟାଇବା ପାଇଁ ଏଠାରେ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରୁଥିବା କୁହାଯାଉଛି। ଯାହାକୁ ନେଇ କଲୋନୀରେ ରହୁଥିବା ଜଳସମ୍ପଦ ବିଭାଗର କର୍ମଚାରୀମାନେ ନିଜକୁ ଅସୁରକ୍ଷିତ ମଣୁ ଥିବା ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ କଲୋନିବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe