ବିଶୃଙ୍ଖଳ କାଉଡ଼ିଆଙ୍କୁ ଗୋଡ଼ାଇ ପିଟିଲା ପୁଲିସ

Advertisment

ଆରଡିରେ ଜଳଲାଗି ପାଇଁ ୫୦ ହଜାର ଭକ୍ତ, ଠେ‌ଲାପେଲାରେ ଭାଙ୍ଗିଲା ବ୍ୟାରିକେଡ୍‌

ଆରଡିରେ ଜଳଲାଗି ପାଇଁ ୫୦ ହଜାର ଭକ୍ତ, ଠେ‌ଲାପେଲାରେ ଭାଙ୍ଗିଲା ବ୍ୟାରିକେଡ୍‌

ବିଶୃଙ୍ଖଳ କାଉଡ଼ିଆଙ୍କୁ ଗୋଡ଼ାଇ ପିଟିଲା ପୁଲିସ

ଭଦ୍ରକ / ଆରଡ଼ି : ଶ୍ରାବଣ ସୋମବାର ପାଇଁ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଜଳଲାଗି ପାଇଁ ଗତକାଲି ରାତିରୁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଥିଲା। ସୋମବାର ସକାଳେ ଜଳାଭିଷେକ ପାଇଁ କାଉଡିଆଙ୍କ ଭିତରେ ଠେଲାପେଲା ହେବାରୁ ପୁଲିସ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ଭିଡ଼ ନିୟନ୍ତ୍ରଣ କରିଛି।

ଶ୍ରାବଣ ସୋମବାର ପାଇଁ ଆଜି ଭୋର୍‌ ୪ଟାରୁ ମନ୍ଦିର ଖୋଲାଯିବା​ ପରେ ଠାକୁରଙ୍କ ଦୈନନ୍ଦିନ ପୂଜାର୍ଚ୍ଚନା କରାଯାଇଥିଲା। ପରେ ଆରମ୍ଭ ହୋଇଥିଲା କାଉଡିଆଙ୍କ ଜଳଲାଗି ଉତ୍ସବ। ତେବେ ସିନ୍ଦୁରା ଫିଟିବା ପୂର୍ବରୁ ମନ୍ଦିର ପରିସରରେ ଜମା ହୋଇ ଯାଇଥିଲେ ୫୦ ହଜାରରୁ ଊର୍ଦ୍ଧ୍ବ ଭକ୍ତ। ପ୍ରବଳ ଭିଡ଼ ଭିତରେ ବୋଲବମ୍ ହର୍‌ ହର୍‌ ବମ୍‌, ଭୋଲେ ବାବା ପାର କରେଗା ଆଦି ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପୀଠ। ଶୃଙ୍ଖଳିତ ଦର୍ଶନ ଓ ଜଳାଭିଷେକ ପାଇଁ ମନ୍ଦିରରେ ବ୍ୟାରିକେଡ୍‌ କରାଯିବା ସହିତ ଜଣେ ଅତିରିକ୍ତ ଏସ୍‌ପି, ୨ ଜଣ ଡିଏସ୍‌ପି, ୨ ଜଣ ଇନ୍‌ସପେକ୍ଟର, ୩୮ଜଣ ଏସ୍‌ଆଇ ଓ ଏଏସ୍‌ଆଇଙ୍କ ସମେତ ୧୧ ପ୍ଲାଟୁନ୍‌ ପୁଲିସ ଫୋର୍ସ ବିଭିନ୍ନ ଜାଗାରେ ମୁତୟନ ହୋଇଥିଲେ। ଏହାସତ୍ତ୍ବେ ଜଳଲାଗି ପାଇଁ ହଜାର ହଜାର କାଉଡିଆ ଠେଲାପେଲା ହେବାରୁ ବ୍ୟାରିକେଡ୍‌ ଭାଙ୍ଗି ଯାଇଥିଲା। ପରିସ୍ଥିତିକୁ ବହୁ କଷ୍ଟରେ ନିୟନ୍ତ୍ରଣ କରାଯାଇଥିଲେ ସୁଦ୍ଧା ଭିଡ଼ ନ ହଟିବାରୁ ପୁଲିସ ଲାଠି ଚାଳନା କରିଥିଲା। ଘଟଣାସ୍ଥଳରୁ କେତେକ ଭକ୍ତ ଛତ୍ରଭଙ୍ଗ ଦେଇଥିବା ବେଳେ ଆଉ କେତେକ ପୁଲିସର ମାଡକୁ ପ୍ରତିବାଦ କରିଥିଲେ। ବୋଲବମ୍ ଭକ୍ତଙ୍କୁ ପୁଲିସର ଏପରି ମାଡକୁ ଭକ୍ତ ଓ ବରିଷ୍ଠ ସେବାୟତମାନେ ନିନ୍ଦା କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଭକ୍ତଙ୍କ ଗହଳିକୁ ଲକ୍ଷ୍ୟ କରି ବରିଷ୍ଠ ପୁଲିସ ଅଧିକାରୀମାନେ ରହୁନଥିବାରୁ ପରିସ୍ଥିତି ଅଣାୟତ୍ତ ହେଉଛି ବୋଲି ବରିଷ୍ଠ ସେବାୟତମାନେ କହିଛନ୍ତି। ପୀଠରେ ଅବ୍ୟବସ୍ଥା କାରଣରୁ ଚାନ୍ଦବାଲି ଖରାଖାଇ ଅଂଚଳର କାଉଡିଆ ସୁମନ୍ତ ବେହେରା ବିଦ୍ୟୁତ ଝଟ୍‌କା ଖାଇ ତଳେ ପଡିବାରୁ ତାଙ୍କ ମୁଣ୍ଡ ଫାଟିଯାଇଛି। ସେହିପରି ଅନ୍ୟ ଜଣେ ଭକ୍ତ ଶିବଗଙ୍ଗା ପୁଷ୍କରିଣୀରେ ପଡି ଆହତ ହୋଇଥିଲେ। ଏ ଅବ୍ୟବସ୍ଥା ବାବଦରେ ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କୁ ଯୋଗାଯୋଗ କରିବାରୁ ଆସନ୍ତା ସୋମବାର ବେଳକୁ ସବୁ କିଛି ଠିକ୍‌ଠାକ୍‌ ହୋଇଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe