ପର୍ଜଙ୍ଗ : ପର୍ଜଙ୍ଗ ଥାନାରେ ନୂତନ ଭାବେ ଯୋଗ ଦେଇଥିବା ଆଇଆଇସି ନମିତା ନାୟକ ଘରେ ନ ପଶୁଣୁ ଚାଳ ବାଜିଲା ଭଳି ସ୍ଥିତି ହେଲାଣି। ଗତକାଲି ରାତି ପ୍ରାୟ ସାଢେ ୯ଟା ବେଳେ ପର୍ଜଙ୍ଗ ବଜାରରେ ପୁଲିସ ପାଟ୍ରୋଲିଂ ସମୟରେ ସେ ଜଣେ ଯୁବ ଇଞ୍ଜିନିୟରଙ୍କୁ ଚାପୁଡ଼ା ମାରିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନବନିଯୁକ୍ତ ଆଇଆଇସିଙ୍କ ଏଭଳି ଆଚରଣ ପ୍ରତିବାଦରେ ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଲାଗି ଡାକରା ଦିଆଯାଇଛି।
ଅଭିଯୋଗ ଅନୁସାରେ, ପର୍ଜଙ୍ଗ ବଜାରରେ ଘର କରି ରହିଥିବା ଅବସରପ୍ରାପ୍ତ ନାଭାଲ୍ ଅଫିସର୍ ନରୋତ୍ତମ ସାହୁଙ୍କ ଇଞ୍ଜିନିୟର ପୁଅ ମଳୟ କୁମାର ସାହୁ (୨୭) ସାଙ୍ଗମାନଙ୍କ ସହ ବଜାରର ଶ୍ରୀ ଗଣେଶ ଭେରାଇଟି ଷ୍ଟୋର୍ ନିକଟରେ ବସିଥିଲେ। ସେ ସମୟରେ ପାଟ୍ରୋଲିଂ ଷ୍ଟାଫ୍ଙ୍କ ସହ ପହଂଚିଥିଲେ ଥାନା ଅଧିକାରିଣୀ ଶ୍ରୀମତୀ ନାୟକ। ଯୁବଗୋଷ୍ଠୀଙ୍କୁ ତୁରନ୍ତ ଘରକୁ ଯିବାକୁ ତାଗିଦ୍ କରିଥିଲେ। ଏପରିକି ସେମାନଙ୍କୁ ଅଶାଳୀନ ବ୍ୟବହାର ଦେଖାଇଥିଲେ। ଆଇଆଇସିଙ୍କ ସହ ଯୁବକମାନଙ୍କର ଯୁକ୍ତିତର୍କ ଚାଲିଥିଲା ବେଳେ ଯୁବ ଇଞ୍ଜିନିଅର ଶ୍ରୀ ସାହୁ ହସି ଦେଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଆଇଆଇସି କୁଆଡ଼େ ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ତେବେ, ଚାପୁଡ଼ା ମାରିବା ଅଭିଯୋଗକୁ ଆଇଆଇସି ଶ୍ରୀମତୀ ନାୟକ ଅସ୍ବୀକାର କରିଛନ୍ତି।
Follow Us