ଆର୍‌ଏସି-୧୩ରେ ଚିତ୍ରକୋଣ୍ଡା ପୁଲିସର ବର୍ବରତା: ରାତି ଅଧରେ ଘରେ ପଶି ମହିଳାଙ୍କୁ ଆକ୍ରମଣ

Advertisment
ଆର୍‌ଏସି-୧୩ରେ ଚିତ୍ରକୋଣ୍ଡା ପୁଲିସର ବର୍ବରତା: ରାତି ଅଧରେ  ଘରେ ପଶି ମହିଳାଙ୍କୁ ଆକ୍ରମଣ

ଗଞ୍ଜେଇ ଧରପଗଡ଼ରେ ଗାଁକୁ ଯାଇଥିଲା ପୁଲିସ
ଅଭିଯୋଗକୁ ଖଣ୍ଡନ କଲେ ମାଲକାନଗିରି ଏସ୍‌ପି

ମାଲକାନଗିରି : ଗ‌ଞ୍ଜେଇ ଧରପଗଡ଼ କରିବାକୁ ଯାଇ ରାତିଅଧରେ ମହିଳାଙ୍କ ଉପରେ ଆକ୍ରମଣ କରିଛି ଚିତ୍ରକୋଣ୍ଡା ପୁଲିସ୍। କାହାର ମୁଣ୍ଡ ଫାଟିଛି ତ ଆଉ କାହା ଶରୀରର ଏକାଧିକ ସ୍ଥାନରେ ମାଡ଼ ବାଜିଛି। ଆକ୍ରମଣରେ ୪ଜଣ ମହିଳା ଆହତ ହୋଇଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାକୁ ନେଇ ଚତ୍ରକୋଣ୍ଡା ଥାନା ଅନ୍ତର୍ଗତ ଆରଏସି-୧୩ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମାଲକାନଗିରି ଏସ୍‌ପି।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ସାଦା ପୋଷାକରେ ୫୦ରୁ ଅଧିକ ପୁଲିସ କର୍ମଚାରୀ ଆରଏସି-୧୩ ଗାଁରେ ପଶିଥିଲେ। ସେହି ସମୟରେ ଗାଁର ଅଧିକାଂଶ ପୁରୁଷ ଘରେ ନ ଥିଲେ। ପୁଲିସ ଏକାଧିକ ଘରେ ଏକାସଙ୍ଗରେ କବାଟ ବାଡ଼େଇଥିଲା। ଘରେ ଥିବା ମହିଳାମାନେ ଭୟଭୀତ ହୋଇ କବାଟ ଖୋଲି ନଥିଲେ। ଶେଷରେ ପୁଲିସ କର୍ମଚାରୀ ନିଜ ପରିଚୟ ଦେଇଥିଲେ। ତେବେ, କୌଣସି ମହିଳା ପୁଲିସ କର୍ମଚାରୀ ସେଠାରେ ନଥିବା ବେଳେ ଘରେ ପୁରୁଷ ସଦସ୍ୟ ନଥିଲେ। ତେଣୁ ମହିଳାମାନେ କବାଟ ଖୋଲିବାକୁ ସଫାସଫା ମନା କରିଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ପୁଲିସର ବର୍ବରତା। କବାଟ ଭାଙ୍ଗି ପୁଲିସ ‌ଧସେଇ ପଶିବାକୁ ଉଦ୍ୟମ କରିବାରୁ ମହିଳାମାନେ ବାଧ୍ୟହୋଇ କବାଟ ଖୋଲିଥିଲେ। କିନ୍ତୁ, କୌଣସି କଥା ଶୁଣିବା ଅବସ୍ଥାରେ ନଥିଲା ପୁଲିସ। କେବଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲକ୍ଷ୍ୟରେ ଯାଇଥିବାରୁ ଆଦୌ କଥାବାର୍ତ୍ତା କରି ନଥିଲା। ମହିଳାଙ୍କୁ ଗଞ୍ଜେଇ ମାଫିଆ ଆଖ୍ୟା ଦେଇ ଅତର୍କିତ ଆକ୍ରମଣ କରିଥିଲା। ସ୍ଥାନ, କାଳ ଏବଂ ପାତ୍ର ଦେଖି ନଥିଲା। ଆଖି ବୁଜି ପିଟିବା ଆରମ୍ଭ କରିଥିଲା।

publive-image

ଗଞ୍ଜେଇ ଧରପଗଡ଼ ଆଳରେ ପୁଲିସ ଏଭଳି ଜଘନ୍ୟକାଣ୍ଡ ଘଟାଇଥିବା ଆହତ ମହିଳାମାନେ ଅଭିଯୋଗ କରିଛନ୍ତି। ଆଜି ସକାଳେ ଆହତ ମହିଳାମାନେ ଚତ୍ରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ। ଅଧିକାଂଶ ମହିଳାଙ୍କ ଜଂଘ, ପିଠିରେ ପୁଲିସର ଲାଠି ବାଜି ଫୁଲି ଯାଇଥିବା ସ୍ପଷ୍ଟ ରୂପେ ଦେଖିବାକୁ ମିଳିଛି। ଏପରିକି ୪ଜଣ ମହିଳା ସବିତା ଖିଲ, ଚନ୍ଦ୍ରା ଖିଲ, ସହିତା ଖିଲ ଏବଂ ମାମିନା ଖିଲଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ସେମାନେ ବିଛଣାରୁ ବି ଉଠିପାରୁ ନାହାନ୍ତି। ସବିତା ଖିଲଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଶରୀରର ଏକାଧିକ ସ୍ଥାନରେ ମାଡ଼ ବାଜିଥିବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଏ ନେଇ ମାଲକାନଗିରି ଏସ୍‌ପି ନୀତିଶ ଵାଧଵାନିଙ୍କୁ ପଚାରିବାରୁ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି। ୧୫ଶହ କିଲୋରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରାଯାଇଛି। କୌଣସି ମହିଳାଙ୍କୁ ମାଡ଼ ମରାଯାଇ ନାହିଁ ବୋଲି ଏସ୍‌ପି ସଫା ସଫା ମନା କରିଛନ୍ତି।

ଅନ୍ୟପକ୍ଷରେ, ମହିଳାଙ୍କ ଶରୀରରେ ଲାଗିଥିବା କ୍ଷତ ବହୁ କଥା କହୁଛି। ଜଣେ ବି ମହିଳା ପୁଲିସ କର୍ମଚାରୀ କାହିଁକି ଚଢ଼ଉରେ ଯାଇ ନଥିଲେ ବୋଲି ବି ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe