ବର୍ବରତାର ସୀମା ଟପିଲା ବରଗଡ଼ ପୁଲିସ୍‌: ସାମ୍ବାଦିକଙ୍କୁ ନିର୍ମମ ମାଡ଼

Advertisment
ବର୍ବରତାର ସୀମା ଟପିଲା ବରଗଡ଼ ପୁଲିସ୍‌: ସାମ୍ବାଦିକଙ୍କୁ ନିର୍ମମ ମାଡ଼

ମଥୁରାନଗରୀ: ଧନୁଯାତ୍ରାର ହୀରକ ଜୟନ୍ତୀ ପାଳନ ଫିକା ପଡ଼ିଛି। ଯାତ୍ରାର ଶେଷ ଦିନରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସୁଚାରୁ ଭାବେ ଯାତ୍ରା ଆୟୋଜନରେ ବରଗଡ଼ ପୁଲିସ ସଂପୂର୍ଣ୍ଣ ବିଫଳ ହୋଇଛି। ପ୍ରଥମ ଦିନରୁ ଶେଷ ଯାଏଁ ପୁଲିସ କେବଳ ନିଜ ଦୋଷ ଦୁର୍ବଳତା ଢାଙ୍କିବାକୁ ଉଦ୍ୟମ କରିଥିଲା। କିନ୍ତୁ ଯାତ୍ରା ଦିନରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଖୋଲା ଆକ୍ରମଣ ଆଉ ଏକ କଳଙ୍କିତ ଅଧ୍ୟାୟ ଯୋଡ଼ି ଦେଇଛି। ଯ’ଦ୍ବାରା ରାଜ ଦରବାରରେ ନାଟ୍ୟାଭିନୟରେ ବି କିଛି ସମୟ ବିରାମ ପଡ଼ିଥିଲା। ଧନୁଯାତ୍ରା ଖବର ସଂଗ୍ରହ ପାଇଁ ସୁବିଧା ସକାଶେ ପୁଲିସ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ସ୍ବତନ୍ତ୍ର ପାସ୍‌ ବଣ୍ଟନ କରାଯାଇଛି। ଏହି ପାସ୍‌ ନେଇ ଗଣମାଧ୍ୟମ ପ୍ରତିନିଧି ବଦ୍ରିପ୍ରସାଦ ସାହୁ ବାଇକ୍‌ରେ ରାଜ ଦରବାର ଅଭିମୁଖେ ଯାଉଥିଲେ।

ଉକ୍ତ ପାସ୍‌ ବାଇକ୍‌ ଗମନାଗମନ ପାଇଁ ବି ଉଦ୍ଦିଷ୍ଟ ଥିଲା। କିନ୍ତୁ କଚେରି ଛକ ପାଖରେ କିଛି ପୁଲିସ୍‌ ତାଙ୍କୁ ଅଟକାଇ ଥିଲେ। ଶ୍ରୀ ସାହୁ ପାସ୍‌ ଦେଖାଇଥିଲେ ହେଁ ପୁଲିସ କିଛି ଶୁଣିନଥିଲା। ବରଂ ତାଙ୍କୁ ବିଚ୍‌ ରାସ୍ତାରେ ସର୍ବସମ୍ମୁଖରେ ନିର୍ମମ ଭାବେ ପିଟି ଚାଲିଥିଲା। ଏଥିରେ ଶ୍ରୀ ସାହୁଙ୍କ ମୁଣ୍ଡ, ମୁହଁ ଏବଂ ଛାତିରେ ଗଭୀର କ୍ଷତ ଲାଗିଛି। ଘଟଣା ଜଣାପଡ଼ିବା ପରେ ଗଣମାଧ୍ୟମ ପ୍ରତିନିଧି ଥାନାରେ ପହଞ୍ଚି ଏହି ଆକ୍ରମଣ ମାମଲାକୁ ତୀବ୍ର ନିନ୍ଦା କରିଥିଲେ। ପରେ ଗଣମାଧ୍ୟମ ପ୍ରତିନିଧି ସଂଘବଦ୍ଧ ଭାବେ ରାଜ ଦରବାର ଉପରକୁ ଚଢ଼ି ଯାଇଥିଲେ। ମଞ୍ଚ ଉପରେ ପୁଲିସର ଏଭଳି କାରନାମାକୁ ତୀବ୍ର ବିରୋଧ କରିଥିଲେ। ଫଳରେ ନାଟ୍ୟାଭିନୟରେ କିଛି ସମୟ ବିରାମ ପଡ଼ିଥିଲା। କଂସ ବି ମଂଚରୁ ଅପସରି ଯାଇଥିଲେ।

ରାଜ ଦରବାରରେ ଅଭିନୟ ସାମୟିକ ଠପ୍‌, ମଞ୍ଚ ତଳେ ସାମ୍ବାଦିକଙ୍କ ଧାରଣା

ଦୋଷୀ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ନେଇ ଏସ୍‌ପିଙ୍କ ସୂଚନା

ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆୟୋଜକମାନେ ଅନୁରୋଧ କରିବା ସହ ଧନୁଯାତ୍ରା ଆଗେଇ ନେବାକୁ ଅନୁରୋଧ କରିଥିଲେ। ପରେ ଗଣମାଧ୍ୟମ ପ୍ରତିନିଧି ମଂଚ ତଳେ ଧାରଣାରେ ବସିଥିଲେ। ଏସ୍‌ପି ସେଠାରେ ପହଞ୍ଚି ଦୋଷୀ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ଦେଇଥିଲେ। ଏହାପରେ ଧାରଣା ପ୍ରତ୍ୟାହାର ହୋଇଥିଲା। ବିଧାୟକ ଦେବେଶ ଆଚାର୍ଯ୍ୟ ଧାରଣାସ୍ଥଳରେ ପହଞ୍ଚି ସାମ୍ବାଦିକଙ୍କୁ ସମର୍ଥନ ଜଣାଇଥିଲେ। ତେବେ ପୁଲିସ୍‌ର ଏଭଳି ଆଚରଣ ଧନୁଯାତ୍ରାର ହୀରକ ଜୟନ୍ତୀ ସମା‌ରୋହରେ କଳା ଦାଗ ଲଗାଇ ଦେଇଛି। ଯାତ୍ରା ବେ‌ଳେ ଟ୍ରାଫିକ ସମସ୍ୟାରେ ସୁଧାର, ଆଇନ୍‌ ଶୃଙ୍ଖଳ‌ା‌ରେ ଫେଲ୍‌ ମାରିଥିବା ବରଗଡ଼ ପୁଲିସ୍‌ର ଏହି କାରନାମା ପୁଲିସ୍‌ର ପାରିବାପଣିଆକୁ ପଦାରେ ପକାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe