ପୁଲିସ ଜୁଲମ: ଆଦିବାସୀ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

ପୁଲିସ ଜୁଲମ: ଆଦିବାସୀ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

News Track Live, NewsTrack

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଜାମଜୁରୀ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ପୁଲିସ ଜୁଲମରେ ଭୟଭୀତ ହୋଇ ଆଜି ଜଣେ ଆଦିବାସୀ ନାବାଳକ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଛାତ୍ରଜଣକ ଡାକ୍ତରଖାନାରେ ଚିକିତ୍ସା ପରେ ବିପଦମୁକ୍ତ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଶନିବାର ସକାଳ ସାଦା ପୋଷାକରେ ଏକ ପୁଲିସ ଦଳ ହଠାତ୍‌ ଗାଁର ପ୍ରଦୀପ ଓରାମଙ୍କ ଘରେ ପହଞ୍ଚି ତାଙ୍କୁ ଖୋଜିଥିଲେ। ସେତେବେ‌ଳେ ସେ ଘରେ ନ ଥିବାରୁ ତାଙ୍କର ବାଇକ୍‌ଟିକୁ ଘରେ ଥିବା ନାବାଳକ ପୁଅକୁ ମାଗିଥିଲେ।
ଉକ୍ତ ବାଇକ୍‌ଟି ଦୁଇ ମାସ ତଳେ ସଂଘଟିତ ଏକ ଅପରାଧିକ ମାମଲାରେ ବ୍ୟବହୃତ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ସେ ସମୟରେ ପ୍ରଦୀପଙ୍କ ଦୁଇ ନାବାଳକ ପୁଅଝିଅ ଘରେ ଏକାକୀ ଥିଲେ। ସେମାନେ ବାଇକ୍‌ ଚାବି ନ ଦେବାରୁ ପୁଲିସ ନାନା ଧମକଚମକ ଦେଇ ଭୟଭୀତ କରିବା ସହ ପୁଅକୁ ଚାପୁଡ଼ା ମଧ୍ୟ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ଭୟଭୀତ ହୋଇ ପ୍ରଦୀପଙ୍କ ପୁଅ ପୁଲିସକୁ ଗାଡ଼ି ଚାବିଟି ଧରାଇ ଦେଇଥିଲେ। ପୁଲିସ କବଳରୁ ବର୍ତ୍ତିବା ପାଇଁ ସିନା ସେ ବାଇକ୍‌ ଚାବିଟି ପୁଲିସକୁ ଦେଇଦେଲେ, ହେଲେ ବାପା ଘରକୁ ଫେରି ଏକଥା ଜାଣିବା ପରେ ତାଙ୍କୁ ମାଡ଼ମାରିବେ ବୋଲି ଆଶଙ୍କା କରି ସେ ଭୟଭୀତ ହୋଇପଡ଼ିଥିଲେ। ଏଥିରେ ନାବାଳ କଜଣକ ମାନସିକ ଭାରସାମ୍ୟ ହରାଇ ବାରିପଟେ ଥିବା କରଡ଼ାଗଛର ଚେର ଖାଇ ଦେଇଥିଲେ। ଫଳରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ।

କିଛି ସମୟ ପରେ ପ୍ରଦୀପ ଘରେ ପହଞ୍ଚି ପୁଅର ଅବସ୍ଥା ଦେଖି ବିବ୍ରତ ହୋଇ ପଡ଼ିଥିଲେ। ସେ ଘଟଣା ସମ୍ପର୍କରେ ଝିଅକୁ ପଚାରି ବୁଝିଥିଲେ। କାଳେ ସେ ଗାଡ଼ିଚାବି ଦେଇ ଦେଇଥିବାରୁ ରାଗିବେ, ସେଥିପାଇଁ ପୁଅ ଆତ୍ମହତ୍ୟା ଉଦ୍ୟମ କରିଛି ବୋଲି ଝିଅ କହିଥିଲା। ସେ ତୁରନ୍ତ ପୁଅକୁ ନେଇ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ପ୍ରଦୀପଙ୍କ ପୁଅ ସପ୍ତମ ଶ୍ରେଣୀ‌ରେ ପଢୁଥିଲା ବେଳେ ଝିଅ ଷଷ୍ଠ ଶ୍ରେଣୀରେ ପ‌ଢେ। ଉଭୟେ ଆଜି ନବୋଦୟ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା ଦେବାର ଥିଲା। ତେବେ ଏଭଳି ଘଟଣା ଘଟିବାରୁ ସେମାନେ ଆଉ ପରୀକ୍ଷା ମଧ୍ୟ ଦେଇ ପାରିନାହାନ୍ତି। ଏଥିପାଇଁ ପୁଲିସ ଦାୟୀ ହେବ କି ବୋଲି ଗଣମାଧ୍ୟମ ଆଗରେ ପ୍ରଦୀପ ପ୍ରଶ୍ନ କରିଛନ୍ତି। ଏହାପରେ ସେ ରେଢ଼ାଖୋଲ ଏସଡିପିଓଙ୍କୁ ଭେଟି ଘଟଣା ସଂପର୍କରେ ଜଣାଇବା ପାଇଁ ଉଦ୍ୟମ କରିଥିଲେ। ତେବେ ସେ ଅନୁପସ୍ଥିତ ଥିବାରୁ ତାଙ୍କର ଦେଖା ହୋଇପାରି ନ ଥିବା ପ୍ରକାଶ।

ପ୍ରଦୀପଙ୍କ ଏଭଳି ଅଭିଯୋଗ ସମ୍ପର୍କରେ ନାକଟିଦେଉଳ ଥାନାଧିକାରୀ କୃପା ବାଗଙ୍କୁ ଯୋଗାଯୋଗ କରିବାରୁ ସେ ନାବାଳକ ଛାତ୍ରଙ୍କୁ ଜୁଲମ କିମ୍ବା ଅତ୍ୟାଚାର କରିବା ଘଟଣାକୁ ଅସ୍ବୀକାର କରିଥିଲେ। କହିଥିଲେ, ‘ପ୍ରଦୀପ ଓରାମଙ୍କ ବାଇକ୍‌ଟି ସିଜ୍ କରାଯାଇଛି। କାରଣ ଏହା ଏକ ଅପରାଧିକ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ଥିଲା। ତେବେ ତାଙ୍କ ପୁଅ ଅନ୍ୟ କୌଣସି କାରଣରୁ ଆତ୍ମହତ୍ୟା ଉଦ୍ୟମ କରିଥାଇ ପାରନ୍ତି। ବୋଲି ଶ୍ରୀ ବାଗ କହିଥିଲେ। ପୁଲିସର ଏ ସଫେଇକୁ କିନ୍ତୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe