ଅପରାଧୀଙ୍କ ବନ୍ଧୁକରେ ପୁଲିସ ଗୁଳି! ଧଳସାମନ୍ତ କାରବାର ତଦନ୍ତରେ ପୁଲିସ ମୁଣ୍ଡ ଗୋଲ୍

Advertisment
ଅପରାଧୀଙ୍କ ବନ୍ଧୁକରେ ପୁଲିସ ଗୁଳି! ଧଳସାମନ୍ତ କାରବାର ତଦନ୍ତରେ ପୁଲିସ ମୁଣ୍ଡ ଗୋଲ୍

କଟକ : ବନ୍ଧୁକ ଆସୁଛି ବିହାରର ମୁଙ୍ଗେରରୁ। ହେଲେ ପୁଳାପୁଳା ଗୁଳି ଆସୁଛି କେଉଁଠୁ? ଗ୍ୟାଙ୍ଗଷ୍ଟର୍ ସୁଶାନ୍ତ ଓ ସଶୀଲ ଧଳସାମନ୍ତଙ୍କ ବନ୍ଧୁକ କାରବାରର ତଦନ୍ତ କରୁଥିବା ପୁଲିସ ପାଇଁ ଏବେ ପ୍ରଶ୍ନ ମୁଣ୍ଡ ଘୂରାଇଲା ଭଳି ସ୍ଥିତି ସୃଷ୍ଟି କରିଛି। ତଦନ୍ତରୁ ମିଳୁଥିବା ତଥ୍ୟ ଯେଉଁ ଆଡ଼କୁ ଆଙ୍ଗୁଠି ଦେଖାଉଛି, ସେଥିରେ ନିଜେ ପୁଲିସ ବିଭାଗ ବି ଫସି ଯିବାର ଆଶଙ୍କା ସୃଷ୍ଟି ହୋଇଛି। ବନ୍ଧୁକ ବିହାରରୁ ଆସିଛି ବୋଲି ପୁଲିସ ଯେଭଳି ଜୋର୍ କରି କହି ପାରୁଛି, ଏତେ ଗୁଳି କେଉଁଠୁ ଆସିଛି, ସେ ସଂପର୍କରେ କୌଣସି ଠୋସ୍ ସୂଚନା ଦେଇ ପାରୁନାହିଁ। ବରଂ ଏ ସଂପର୍କରେ ଅଧିକ ତଦନ୍ତ ଚାଲିଛି, ଆଗକୁ ସ୍ଥିତି ସ୍ପଷ୍ଟ ହେବ ବୋଲି କୁହାଯାଉଛି। ୨୦୧୬ ମସିହାରେ ଯେବେ ଧଳସାମନ୍ତ ଦୁଇ ଭାଇଙ୍କୁ ପୁଲିସ ଗିରଫ କରିଥିଲା, ସେତେବେଳେ ବି ସେମାନଙ୍କ ନିକଟରୁ ବନ୍ଧୁକ ଆଉ ଗୁଳି ଜବତ ହୋଇଥିଲା। କିନ୍ତୁ ବନ୍ଧୁକ ସଂପର୍କରେ ତଥ୍ୟ ମିଳି ଯାଇଥିବା ବେଳେ ସେତେବେଳେ ବି ଗୁଳି ଚାଲାଣ ସଂପର୍କିତ ତଥ୍ୟ ସ୍ପଷ୍ଟ ହୋଇ ନଥିଲା। ସେତେବେଳେ ଯାହା ଆଶଙ୍କା କରାଯାଉଥିଲା, ଏବେ ବି ସେହି ଆଶଙ୍କା ତଦନ୍ତକାରୀ ଅଧିକାରୀଙ୍କୁ ଅକଳରେ ପକାଇଛି।

ଗଲା ମାସକ ଭିତରେ ଧଳସାମନ୍ତ ଭାଇଙ୍କ ସହଯୋଗୀ କୁହାଯାଉଥିବା ୧୨ ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଜଗତସିଂହପୁର ଅଞ୍ଚଳର ୯ ଜଣ ଓ କଟକର ୩ ଜଣ। ଏହି ଖୋଳତାଡ଼ରେ ପୁଲିସ ୨୫ଟି ବନ୍ଧୁକ ‌ଓ ଗୋଟିଏ ଖେଳଣା ବନ୍ଧୁକ ଜବତ କରିଥିବା ବେଳେ ୧୨୦୫ଟି ଗୁଳି ଜବତ କରିଛି। ଅର୍ଥାତ ବନ୍ଧୁକ ସଂଖ୍ୟାର ପାଖାପାଖି ୫୦ ଗୁଣା ଗୁଳି ଜବତ ହୋଇଛି। ବିହାରରୁ ମୁଙ୍ଗେରରୁ ଧଳସାମନଙ୍କ ଭଳି ଗ୍ୟାଙ୍ଗ‌ଷ୍ଟର ଯେଉଁ ଧରଣର ବନ୍ଧୁକ ଆଣି ଯୋଗାଉଛନ୍ତି ତାହା ୪୦/୪୫ ହଜାର ଟଙ୍କ‌ାରେ ବିକ୍ରି ହେଉଛି। ପ୍ରତି ବନ୍ଧୁକରେ ୫/୬ଟି ଗୁଳି ମାଗଣାରେ ଦିଆଯାଉଛି। ଅଧିକ ଗୁଳି ନେବାକୁ ଚାହିଁଲେ ଗୁଳି ପିଛା ଦେଢ ଶହରୁ ଦୁଇ ଶହ ଟଙ୍କା ଅଧିକ ଦାବି କରାଯାଉଛି। ଏସବୁ କାରବାରରେ ସଂପୃକ୍ତ ଗ୍ୟାଙ୍ଗଷ୍ଟରଙ୍କ ସହଯୋଗୀ ପ୍ରତି ବନ୍ଧୁକ କିଣାବିକାରେ ୫ରୁ ୧୦ ହଜାର ଟଙ୍କା ଲାଭ କରୁଛନ୍ତି। କିନ୍ତୁ ଏତେ ପରିମାଣର ଗୁଳି ବିହାରରୁ ଆସିବାର ପ୍ରମାଣ ନ ଥିବାବେଳେ ଏହି ଗୁଳି ଏବେ ରାଜ୍ୟ ଭିତରୁ କାରବାର ହେଉଥିବା ସନ୍ଦେହ ବଢିବାରେ ଲାଗିଛି। ପୁଲିସ, ଅର୍ଦ୍ଧସାମରିକ ବାହିନୀ ଓ ସାମରିକ ବାହିନୀକୁ ଅଭ୍ୟାସ ପାଇଁ ମିଳୁଥିବା ଗୁଳି ଏବେ ଅପରାଧୀଙ୍କ ବନ୍ଧୁକ ପାଇଁ ଚୋରାଚାଲାଣ ହେଉଥିବା ଆଶଙ୍କା କରାଯାଉଛି। ଅର୍ଥାତ ପୁଲିସ ଯେଉଁ ଅପରାଧୀ ମାନଙ୍କର ପିଛାରେ ରାତିଦିନ ଏକ କରି ଜୀବନକୁ ଅନେକ ସମୟରେ ବାଜି ‌ଲଗାଉଛି, ସେହି ପୁଲିସ ଅଧିକାରୀଙ୍କ ଜୀବନ ପ୍ରତି ବିପଦ ହୋଇ ରହୁଛି, ସେମାନଙ୍କ ବିଭାଗରୁ ଅପରାଧୀଙ୍କ ପାଇଁ ଚାଲାଣ ହେଉଥିବା ଗୁଳି। ଏଭଳି କାରବାର ପଛରେ ବାସ୍ତବରେ କିଏ ସଂପୃକ୍ତ ରହୁଛନ୍ତି, ନିର୍ଦ୍ଦିଷ୍ଟ ଭାବେ କେଉଁଠୁ କିଭଳି ଢଙ୍ଗରେ ପୁଲିସ ଗୁଳି ଅପରାଧୀଙ୍କ ନିକଟରେ ପହଞ୍ଚୁଛି, ସେ ସଂପର୍କରେ ଅନେକ ତଥ୍ୟ ରହିଥିଲେ ବି ସେ ଦିଗରେ ତଦନ୍ତକାରୀ ପୁଲିସ ବିଶେଷ ଆଗେଇ ନ ପାରି ଅଧା ବାଟରେ ଅଟକି ରହୁଥିବା କୁହାଯାଉଛି।

ଏ ସଂପର୍କରେ ପୁଲିସ ଏଯାଏ ମୁହଁ ଖୋଲି ନଥିଲେ ବି ଏ ଚେର ବହୁ ଗଭୀରକୁ ମାଡ଼ିଥିବା ସନ୍ଦେହ କରାଯାଉଛି। ଧଳସାମନ୍ତଙ୍କ ବନ୍ଧୁକ କାରବାରର ସହଯୋଗୀ ଭାବେ ଜଗତସିଂହପୁର ଜଣେ ହୋମଗାର୍ଡକୁ ପୁଲିସ ଗିରଫ କରିଛି। କିନ୍ତୁ ସଂପୃକ୍ତ ହୋମଗାର୍ଡ ଏ ରୢାକେଟର ଜଣେ ସାଧାରଣ ସଦସ୍ୟ ହୋଇଥିବା ବେଳେ ବାସ୍ତବରେ ବଡମୁଣ୍ଡଙ୍କ ପାଖରେ ପୁଲିସ ପହଞ୍ଚି ପାରି ନାହିଁ ଅଥବା ପହଞ୍ଚିବାକୁ ଉଦ୍ୟମ କରୁ ନାହିଁ ବୋଲି ଅଭିଯୋଗ ହେଉଛି। ଅନ୍ୟପଟେ ପୁଲିସ ଅଥବା ଅନ୍ୟ ବିଭାଗକୁ ବନ୍ଧୁକ ଅଭ୍ୟାସ ପାଇଁ ଯେଉଁ ଗୁଳି ଇସ୍ୟୁ କରାଯାଉଛି, ତାହା ବାସ୍ତବରେ କେତେ ବ୍ୟବହାର ହେଉଛି, ତାହାର କୌଣସି ନିର୍ଦ୍ଦିଷ୍ଟ ରେକର୍ଡ ରହୁ ନାହିଁ। କିନ୍ତୁ ଯେଉଁ ଗୁଳି ଜବତ ହୋଇଛି, ତାହା ନିର୍ଦ୍ଦିଷ୍ଟ ଭାବେ କେଉଁଠୁ ଆସିଛି, ତାହାର ତଦନ୍ତରେ ବିଶେଷ ସମସ୍ୟା ନଥିଲେ ବି ଏ ଦିଗରେ ତଦନ୍ତ କିନ୍ତୁ ଆଗେଇ ପାରୁ ନାହିଁ। ୧୨ ଜଣଙ୍କୁ ଗିରଫ ପରେ ଯେଉଁ ପରିମାଣର ବନ୍ଧୁକ, ଗୁଳି ଜବତ ହେଲ, ଆଉ କାରବାର ସଂପର୍କରେ ଯେଉଁଭଳି ସୂଚନା ମିଳିଲା, ତାହାର ଯାଞ୍ଚ ଆଉ ଅଧିକ ତଥ୍ୟ ପ୍ରମାଣ ପାଇଁ ପୁଲିସ ଧଳସାମନ୍ତ ଭାଇଙ୍କୁ ତିନି ଦିନିଆ ରିମାଣ୍ଡରେ ଆଣିଲା। ରାତିଦିନ ଜେରା କରି ସେମାନଙ୍କ ସିଡିଏ ଘରୁ ବି ବନ୍ଧୁକ, ଗୁଳି ଆଇ ଲକ୍ଷାଧିକ ଟଙ୍କା ଜବତ କଲା। କିନ୍ତୁ ସେମାନଙ୍କ ଠାରୁ ଏହି କାରବାର ସଂପର୍କରେ ଯେଉଁ ତଥ୍ୟ ପୁଲିସ ହାସଲ କରିଛି, ‌ସେ ଦିଗରେ ପୁଲିସ ଆଗକୁ ବଢି ପାରିବ କି ନାହିଁ, ତାହାକୁ ନେଇ ଏବେ ସନ୍ଦେହ ବଢିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe