ନେସ୍କୋ ବିରୋଧରେ ମାମଲା ରୁଜୁ

Advertisment
ନେସ୍କୋ ବିରୋଧରେ ମାମଲା ରୁଜୁ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରାଇସୁଆଁ ପଞ୍ଚାୟତ ଖଣ୍ଡାଧୂଆ ମହାନ୍ତସାହିର ପ୍ରଭାକର ମହାନ୍ତଙ୍କ ୮ ବର୍ଷର ପୁଅ ସିପୁନ ବିଦ୍ୟୁତ୍‌ ଆଘାତରେ ଗୁରୁତର ହୋଇଛନ୍ତି। ଏହି ଘଟଣାରେ ରବିବାର ଦିନ ତାଙ୍କ ପରିବାର ପକ୍ଷରୁ ନେସ୍କୋ ବିରୋଧରେ ତେଲକୋଇ ଥାନାରେ ଅଭିଯୋଗ କରାଯାଇଛି। ସିପୁନଙ୍କ ଅଜା ହିରଣ୍ୟ ମହାନ୍ତ ନେସ୍କୋର ଦାୟିତ୍ୱହୀନତା ତଥା ଅବହେଳା ପାଇଁ ତାଙ୍କ ନାତି ବିଦ୍ୟୁତ୍‌ ଆଘାତର ଶିକାର ହୋଇ ସଂକଟାପନ୍ନ ହୋଇଛନ୍ତି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ଅଭିଯୋଗ ପରେ ପୁଲିସ ନୋସ୍କୋ କର୍ତ୍ତୃପକ୍ଷଙ୍କ ବିରୋଧରେ କେସ୍‌ ନମ୍ବର ୧୮/୨୧ ଦଫା ୨୮୭, ୩୩୭, ୩୩୮ ଓ ୩୪ ଆଇପିସିରେ ମାମଲା ରୁଜୁ କରିଛି।

ଗତ ୪ ତାରିଖରେ ସିପୁନ ସାଙ୍ଗମାନଙ୍କ ସହ ଖେଳି ସାରି ସାଇକଲରେ ଘରକୁ ଫେରିବାବେଳେ ତାଙ୍କ ଉପରେ ଉଚ୍ଚଶକ୍ତି ସମ୍ପନ୍ନ ୧୧ କେଭି ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଥିଲା। ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ରାଇସୁଆଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରେ ଢେ଼ଙ୍କାନାଳ ସେଠାରୁ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ୧୯ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ସିପୁନଙ୍କ ଦେହର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ ବିଦ୍ୟୁତ୍‌ ଆଘାତରେ ଅକାମି ହୋଇଯାଇଥିବା ପରିବାର ପକ୍ଷରୁ କୁହାଯାଇଛି। ତାର ଛିଣ୍ଡିଥିବା ସ୍ଥାନରେ ପୂର୍ବରୁ ସ୍ପାର୍କିଂ ହେଉଥିଲା। ଏନେଇ ସ୍ଥାନୀୟ ଲୋକେ ନେସ୍କୋ କର୍ମଚାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦ‌କ୍ଷେପ ନିଆଯାଇ ନଥିଲା। ଠିକଣା ସମୟରେ ମରାମତି କରାଯାଇଥିଲେ ଏଭଳି ଅଘଟଣକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସିପୁନଙ୍କ ଅଜା ହିରଣ୍ୟଙ୍କ ଅଭିଯୋଗକୁ ଭିର୍ତ୍ତି କରି ପୁଲିସ ମାମଲା ରୁଜୁ କରିବା ପରେ ତଦନ୍ତକା‌ରୀ ଅଧିକାରୀ ଏଏସ୍‌ଆଇ ଚୈତନ୍ୟ ନାୟକ ଆଜି ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe