ରାୟଗଡ଼ା: ସବୁଜ ଜହର ଚାଷର ମୂଳୋତ୍ପାଟନ ପାଇଁ ଅଣ୍ଟା ଭିଡ଼ିଛି ରାୟଗଡ଼ା ପୁଲିସ। ପୂର୍ବରୁ ଜିଲ୍ଲାର ପଦ୍ମପୁର, ପୁଟାସିଂ, ମୁନିଗୁଡ଼ା ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଗଛ ପୁଲିସ ନଷ୍ଟ କରିଥିବା ବେଳେ ପୁଣି ଏହାକୁ ତ୍ବରାନ୍ବିତ କରାଯାଇଛି। ବ୍ୟାପକ ମାତ୍ରାରେ ଏହି ବେଆଇନ ଚାଷ ହେଉଥିବା ସୂଚନା ମିଳିବା ପରେ ଚଢ଼ଉ ଜୋର୍ଦାର ହୋଇଛି। ଏହିକ୍ରମରେ ପୁଟାସିଂ ଓ ପଦ୍ମପୁର ଅଞ୍ଚଳରେ ପ୍ରାୟ ଦେଢ଼ କୋଟି ଟଙ୍କାର ଗଛ ନଷ୍ଟ କରାଯାଇଥିବା ଜଣାପଡ଼ିଛି। ଏସ୍ପି ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶରେ ପଦକ୍ଷେପ ନିଆଯାଉଛି। ପୁଟାସିଂ ଥାନା ଅଧୀନ ପିଣ୍ଡାଗୁଡ଼ି ଅଞ୍ଚଳରେ ଏକରଏକର ଜମିରେ ହୋଇଥିବା ଗଛକୁ ନଷ୍ଟ କରାଯାଇଛି। ପୁଟାସିଂ ଥାନା କର୍ମଚାରୀ ଏଥିରେ ସାମିଲ ହୋଇ ପ୍ରାୟ ୫ଏକର ଜମିରେ ଲଗାଯାଇଥିବା ୫ହଜାର ଗଛକୁ ନଷ୍ଟ କରିଛି। ପଦ୍ମପୁର ଥାନା ଅଧୀନ କିଣ୍ଡିରିଗୁଡ଼ା ଅଞ୍ଚଳରେ ୫ଏକର ଜମିରେ ଲାଗିଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି। ଏଠାରେ ମଧ୍ୟ ଗଛ ସଂଖ୍ୟା ୫ହଜାରରୁ ଅଧିକ ହେବ ବୋଲି ପୁଲିସ କହିଛି। ଏହି ଦୁଇଟି ସ୍ଥାନରେ ମୋଟ ଦେଢ଼ କୋଟି ଟଙ୍କାର ଗଛ ନଷ୍ଟ କରାଯାଇଥିବା ସୂଚନା ମିଳିଛି। ଜିଲ୍ଲା ଗଞ୍ଜେଇ ଚାଲାଣର ପେଣ୍ଠସ୍ଥଳୀ ହୋଇଥିବା ବେଳେ ଏଠାରୁ ଅନ୍ୟ ଜିଲ୍ଲା ସମେତ ବାହାର ରାଜ୍ୟ ଏପରିକି ବିଦେଶକୁ ମଧ୍ୟ ରପ୍ତାନି ହେଉଥିବା ଜଣାପଡିଛି। ଏଥିରେ ରୋକ୍ ଲଗାଇବା ପାଇଁ ରାୟଗଡ଼ା ପୁଲିସ ନେଇଥିବା ପଦକ୍ଷେପରେ ସଫଳତା ମିଳୁଥିବା କୁହାଯାଉଛି।
ଦେଢ଼କୋଟିର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ
Advertisment
Follow Us