ଅନୁଗୁଳରେ ପୁଲିସ ଡିଜିଙ୍କ ସମୀକ୍ଷା ବୈଠକ : ପ୍ରମାଣ ଅଭାବରୁ ଅଭିଯୁକ୍ତ ଖସିଯାଉଥିବାରୁ ଉଦ୍‌ବେଗ

ଅନୁଗୁଳରେ ପୁଲିସ ଡିଜିଙ୍କ ସମୀକ୍ଷା ବୈଠକ : ପ୍ରମାଣ ଅଭାବରୁ ଅଭିଯୁକ୍ତ ଖସିଯାଉଥିବାରୁ ଉଦ୍‌ବେଗ

Fresherslive

ଅନୁଗୁଳ : ପ୍ରମାଣ ଅଭାବରୁ ଅଧିକାଂଶ ମାମଲାର ଅଭିଯୁକ୍ତ ଖସି ଯାଉଛନ୍ତି। ଏହାକୁ ନେଇ ପୁଲିସ ମହାନିର୍ଦ୍ଦେଶକ(ଡିଜି) ଅଭୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। କୋର୍ଟରେ ମାମଲାର ବିଚାର ବେଳେ ଅଭିଯୁକ୍ତମାନେ ଯେମିତି ଖସି ଯାଇପାରିବେ ନାହିଁ, ସେ ଦିଗରେ ପଦକ୍ଷେପ ନେବାକୁ ଆଜି ଏଠାରେ ପୁଲିସ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ମାମଲାର ତଦନ୍ତ ବେଳେ ବୈଜ୍ଞାନିକ ପଦ୍ଧତିର ସହାୟତା ନେଲେ ନିଶ୍ଚିତ କାରାଦଣ୍ଡ ହାର ବୃଦ୍ଧି ପାଇବ ବୋଲି ପୁଲିସ ଡିଜି ଶ୍ରୀ ଅଭୟ କହିଛନ୍ତି।

ଆଜି ଅନୁଗୁଳ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାର ଆଇନ ଶୃଙ୍ଖଳା, ଅପରାଧ ଦମନ ଆଦିର ସମୀକ୍ଷା କରିଥିଲେ। ମୋ ସରକାର କାର୍ଯ୍ୟକ୍ଷମ ହେବା ପରେ ପୁଲିସ୍‌ ଅଧିକାରୀମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ। ନିଶା କାରବାର, ଗଂଜେଇ ଚାଷ, ସାଇବର୍ ଅପରାଧ ଆଦି ଉପରେ ଅଙ୍କୁଶ ଲଗାଇବା ଉପରେ ପୁଲିସ ଡିଜି ଅଭୟ ଗୁରୁତ୍ବାରୋପ କରିଥିଲେ। ସଂଗଠିତ ଅପରାଧ ଓ ସାଇବର୍‌ ଅପରାଧର ପ୍ରଭାବଶାଳୀ ତଦନ୍ତ ପାଇଁ ପୁଲିସ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ନେଇ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜିଙ୍କୁ ସେ ପ୍ରଶଂସା କରିଥିଲେ। କୋଇଲା ଓ କଳା ପଥର ମାଫିଆଙ୍କ ଉପରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ଭଳି ଅନ୍ୟ ଅପରାଧ ଦମନ ପାଇଁ ବି ଅଭିନବ ଉପାୟ ଅବଲମ୍ବନ କରିବାକୁ ଅନୁଗୁଳ ଓ ଢେଙ୍କାନାଳ ଏସ୍‌ପିଙ୍କୁ ପରାମର୍ଶ ଦେଇଥିଲେ। ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ମାଓବାଦୀ ଗତିବିଧି ନିୟନ୍ତ୍ରଣରେ ରହିଛି। ତଥାପି, ମାଓବାଦୀ ଦମନ ଅଭିଯାନ ଜୋର୍‌ଦାର କରିବାକୁ ଅନୁଗୁଳ ଓ ଦେବଗଡ଼ ଏସ୍‌ପିଙ୍କୁ ସେ କହିଥିଲେ। ସକାଳ ସାଢ଼େ ୮ଟାରେ ପହଂଚି ସନ୍ଧ୍ୟା ପର୍ଯ୍ୟନ୍ତ ଅନୁଗୁଳରେ ରହିଥିବା ପୁଲିସ ଡିଜି ଏସବୁ ଜିଲ୍ଲାର ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ପରେ ସେ ପୁଲିସ ‌ଟ୍ରେନିଂ କଲେଜ ପରିଦର୍ଶନ କରିଥିଲେ। ପୁଲିସ ଡିଜିଙ୍କ ସହିତ ଏଡିଜିପି ଆର୍‌.କେ.ଶର୍ମା ଓ ଆଇଜିପି ରେଖା ଲୋହାନୀ ମଧ୍ୟ ଅନୁଗୁଳ ଗସ୍ତରେ ଆସିଥି‌ଲେ। ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଅନୁଗୁଳ ଏସ୍‌ପି ଜଗମୋହନ ମୀନା, ଢେଙ୍କାନାଳ ଏସ୍‌ପି ଅନୁପମା ଜେମ୍‌ସ ଓ ଦେବଗଡ଼ ଏସ୍‌ପି ରାହୁଲ ଜୈନ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe