କଟକ: ରାଜ୍ୟରେ ଆଗାମୀ ଦିନରେ ଏକାଧିକ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହେବ। ଏଥିପାଇଁ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଆଜି ଆଭାସୀ ମାଧ୍ୟମରେ ପୁଲିସ ଡିଜି ୱାଇ.ବି.ଖୁରାନିଆ ସ୍ଥିତି ସମୀକ୍ଷା କରିବା ସହିତ ଶାନ୍ତିପୂର୍ଣ୍ଣ ବାତାବରଣ ଯେଭଳି ବଜାୟ ରହିବ ସେଥିପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩ ତାରିଖରେ ଦୋଳ ପୂର୍ଣ୍ଣିମା, ୪ ତାରିଖରେ ହୋଲି, ୨୧ ତାରିଖରେ ଇଦ୍‌-ଉଲ୍‌-ଫିତର, ୨୭ ତାରିଖରେ ରାମନବମୀ, ଏପ୍ରିଲ ୧୪ ତାରିଖରେ ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ପାଳିତ ହେବାକୁ ଯାଉଛି। ପ୍ରତ୍ୟେକ ଜିଲ୍ଲାରେ ସୁରକ୍ଷା ବନ୍ଦୋବସ୍ତ କଡ଼ାକଡ଼ି କରିବାକୁ ଡିଜିପି ଗୁରୁତ୍ବ ଦେବା ସହିତ ସୋସିଆଲ୍‌ ମିଡିଆରେ ଗୁଜବ, ବିଭ୍ରାନ୍ତିକର ଓ ଉତ୍ତେଜନାମୂଳକ ପ୍ରଚାର ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

fsfshfhfh

ଜିଲ୍ଲାଗୁଡ଼ିକରେ କାର୍ଯ୍ୟ କରୁଥିବା ସାଇବର୍‌ ସେଲ୍‌ ଦ୍ୱାରା ବିଭିନ୍ନ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ ଡିଜିପି ପରାମର୍ଶ ଦେଇଛନ୍ତି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୁଲିସ ପାଟ୍ରୋଲିଂ, କଡ଼ାକଡ଼ି ଚେକିଂ, ଶୋଭାଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା, ସହରର ସ୍ପର୍ଶକାତର ସ୍ଥାନଗୁଡ଼ିକରେ ସିସିଟିଭି ସ୍ଥାପନ, ଗୁଇନ୍ଦା ସୂଚନା ସଂଗ୍ରହ, ଶାନ୍ତି କମିଟି ଗଠନ ସହ ବିଭିନ୍ନ ଗୋଷ୍ଠୀମାନଙ୍କ ସହିତ ବୈଠକ, ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କ ସହ ସୁସମ୍ପର୍କ ସ୍ଥାପନ, ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ଜିଲ୍ଲା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ନିଶାସକ୍ତ ଗାଡ଼ିଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଟ୍ରାଫିକ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଡିଜେ ଶବ୍ଦ ପ୍ରଦୂଷଣ ଉପରେ କଟକଣା, ଗୁଜବକାରୀଙ୍କୁ ଚିହ୍ନଟ, ପଦଯାତ୍ରା ଏବଂ ବାଇକ୍‌ ରାଲି ସମୟରେ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ଏହି ବୈଠକରେ ଏଡିଜି (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି (ଆଇନଶୃଙ୍ଖଳା) ସଞ୍ଜୟ କୁମାର, ଆଇଜିପି (ପର୍ସୋନେଲ୍‌) ଏସ. ପ୍ରବୀଣ କୁମାର, ଡିଆଇଜିପି (ପ୍ରୋଭିଜନିଂ) ଚରଣ ସିଂ ମିନା, ଡିଆଇଜିପି (ପର୍ସୋନେଲ୍‌) ଯୁଗଳ କିଶୋର କୁମାର ବନୋଥଙ୍କ ସମେତ ସମସ୍ତ ରେଞ୍ଜର ଆଇଜି, ଡିଆଇଜି ଓ ଜିଲ୍ଲା ଏସ୍‌ପି ଉପସ୍ଥିତ ଥିଲେ।