ଭୁବନେଶ୍ବର: ରାଜ୍ୟରେ ଅପରାଧ ବଢ଼ିଚାଲିଛି। ଅପରାଧୀମାନଙ୍କ ମନରୁ ଭୟ ଛାଡ଼ିଯାଇଛି। ସବୁ ଥାନା ଶାସକ ଦଳ କର୍ମୀଙ୍କ ନିୟନ୍ତ୍ରଣରେ ରହୁଛି। ଜେଲ୍‌ରୁ ଦୁର୍ଦ୍ଦାନ୍ତ ଅପରାଧୀ ଖସି ପଳାଉଛନ୍ତି। ପୁଲିସର ଅପାରଗତା ଜଳଜଳ ହୋଇ ଦେଖାଯାଉଛି। ସରକାର ଆଇନଶୃଙ୍ଖଳା ପରିସ୍ଥିତିକୁ ନ ସଜାଡ଼ି କେବଳ ପୂର୍ବ ସରକାର ଅମଳରେ କ’ଣ ହୋଇଥିଲା, ତାହାକୁ ଦେଖାଉଛନ୍ତି। ଆଜି ବିଧାନସଭାରେ ଗୃହ ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନା ବେଳେ ସରକାରଙ୍କ ଉପରେ ଏମିତି ଆରୋପ ଲଗାଇଛନ୍ତି ବିରୋଧୀ। ଆଲୋଚନା ଆରମ୍ଭ କରି ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଥିଲେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଅତି ଖରାପ ହେବାରେ ଲାଗିଛି। ମହିଳାଙ୍କ ଉପରେ ବର୍ବରୋଚିତ ଆକ୍ରମଣ ହେଉଛି। ଦୁଷ୍କର୍ମ ଘଟଣା ଅଭାବନୀୟ ଭାବେ ବଢ଼ିଚାଲିଛି। କିନ୍ତୁ ପୁଲିସ ହାତବାନ୍ଧି ବସିଛି। ଯଦି ରାଜ୍ୟପାଳଙ୍କ ପୁଅକୁ ଗିରଫ କରାଯାଇଥା’ନ୍ତା, ତେବେ ଅପରାଧୀଙ୍କ ମୁହଁ ବଢ଼ି ନଥା’ନ୍ତା। ଓଡ଼ିଶା ମହିଳା ପର୍ଯ୍ୟଟକଙ୍କ ପାଇଁ ଅସୁରକ୍ଷିତ ବୋଲି ଆମେରିକା ମାର୍ଗଦର୍ଶିକା ଜାରି କଲା। ଯଦି ଆମ ରାଜ୍ୟ ସୁରକ୍ଷିତ, ତେବେ କେନ୍ଦ୍ରକୁ ଚିଠି ଲେଖି ଆମେରିକାର ଏହି ମାର୍ଗଦର୍ଶିକାକୁ ଓଡ଼ିଶା ସରକାର କାହିଁକି ବିରୋଧ କଲେ ନାହିଁ? ବଳଙ୍ଗା ଘଟଣାରେ ପୁଲିସ କିଛି ସ୍ପଷ୍ଟ କଲା ନାହିଁ। ବାଲେଶ୍ବରରେ ସୌମ୍ୟାଶ୍ରୀ ଘଟଣାରେ ଶାସକ ଦଳର ସଂପୃକ୍ତି ରହିଛି। ସେଠାରେ ଆଇଜିଙ୍କୁ ଛୁଟିରେ ଯିବାକୁ ବାଧ୍ୟ କରାଗଲା। ଭୁବନେଶ୍ବରରେ ପୁଲିସ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କୁ ହତ୍ୟା କରି କମିସନରରେଟ୍‌ ପୁଲିସ ଅଫିସ ପାର୍କିଂରେ ଶବ ରହିଲା। ଯେଉଁଠି କନେଷ୍ଟବଳଙ୍କୁ ପୁଲିସ ସୁରକ୍ଷା ଦେଇପାରୁନି, ସେଠି ସାଧାରଣ ଲୋକଙ୍କୁ କି ସୁରକ୍ଷା ଦେବ? ଚୌଦ୍ବାର ଜେଲ୍‌ରୁ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀ ଫେରାର ହୋଇଗଲେ।
Advertisment
ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପାଇଁ ବିଜେପି ବିରୋଧୀ ଦଳରେ ଥିଲା ବେଳେ ଦାବି କରୁଥିଲା। କିନ୍ତୁ ଏବେ ନବ ଦାସଙ୍କ ପରିବାର ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସାରିଲା ପରେ ବି ସିବିଆଇ ତଦନ୍ତ କରାଯାଉ ନାହିଁ କାହିଁକି? ଗତ ୧୭ ମାସରେ ୧୭ଟି ଚୟନ ପରୀକ୍ଷା ବାତିଲ ହୋଇସାରିଲାଣି। ଏହା ସରକାରଙ୍କ ଅପାରଗତାକୁ ପଦାରେ ପକାଉଛି। ରାଜ୍ୟରେ ଦଙ୍ଗା ବଢ଼ୁଛି। ସବୁ ଥାନା ବିଜେପି କର୍ମୀଙ୍କ ନିୟନ୍ତ୍ରଣରେ ରହୁଛି। ତୁଷାରକାନ୍ତି ବେହେରା କହିଥିଲେ, ରାଜ୍ୟରେ ଅପରାଧ ବଢ଼ିବାରେ ଲାଗିଛି। କିନ୍ତୁ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଲେ କୁହାଯାଉଛି ତଥ୍ୟ ସଂଗ୍ରହ କରାଯାଉଛି। ଏଥିରୁ ଜଣାପଡ଼ୁଛି ଗୃହ ବିଭାଗ କେମିତି କାମ କରୁଛି। ସରକାର ବିଭିନ୍ନ ଘଟଣାରେ ବହୁ କମିସନ ଗଠନ କରୁଛନ୍ତି, ହେଲେ ତଦନ୍ତ ରିପୋର୍ଟ ସାମନାକୁ ଆସୁନି। ଲୋକଙ୍କୁ ଜଣାଉନାହାନ୍ତି। ଦିବ୍ୟଶଙ୍କର ମିଶ୍ର କହିଥିଲେ, ଆମେ ଦୋଷ ଖାଲି ଖୋଜୁଛୁ। କିନ୍ତୁ ଅପରାଧ କେମିତି ହେବନି ତା’ର କାରଣ ଖୋଜୁନୁ। ବିଜେପି ବିଧାୟକମାନେ ପରୀ, ବେବିନା, ମମିତା କେସ୍‌ରେ ପୂର୍ବତନ ମନ୍ତ୍ରୀମାନଙ୍କର ସଂପୃକ୍ତି ଥିଲା କହୁଛନ୍ତି। ଯଦି ବିଜେଡି ସରକାରରେ କୌଣସି ମନ୍ତ୍ରୀ, ବିଧାୟକଙ୍କ ନାମରେ ଅପରାଧ ଥିଲା ବୋଲି କହୁଛ, ତେବେ ଶାସକ ଦଳର ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରନ୍ତୁ, ସେ ଏନେଇ ଶ୍ବେତପତ୍ର ଜାରି କରି କୁହନ୍ତୁ ବିଜେଡି ବିଧାୟକମାନେ ଏହି ସବୁ ଅପରାଧରେ ସଂପୃକ୍ତ ଥିଲେ। ବି‌ଜେଡି ପକ୍ଷରୁ ଧ୍ରୁବଚରଣ ସାହୁ ଏହି ଖର୍ଚ୍ଚ ଦାବିକୁ ବିରୋଧ କରି ମନ୍ତବ୍ୟ ରଖିଥିଲେ।
ଖର୍ଚ୍ଚଦାବି ଆଲୋଚନା ବେଳେ ସରକାରଙ୍କୁ ଘେରିଲେ ବିରୋଧୀ
ଗୃହ ବିଭାଗ କାମ କରୁନି: ବିଜେଡି
ଖଣି ଖାଦାନ ଲୁଟ୍ ପାଇଁ ସାହାଣମେଲା: କଂଗ୍ରେସ
ପୁଲିସ ନିରପେକ୍ଷ ଭାବେ କାମ କରୁଛି: ବିଜେପି
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଲେ, ବିଜେପି ସରକାର ଆସିଲା ପରେ ନାରୀ ନିର୍ଯାତନା ବଢ଼ିଛି। ଆଦିବାସୀଙ୍କ ଉପରେ ଜୁଲମ ବଢ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବି ଏହା ଅଧିକ ଘଟୁଛି। ଖଣି, ଖାଦାନ ଲୁଟ୍ ପାଇଁ ସାହାଣମେଲା ହୋଇଛି। ଜଙ୍ଗଲରେ ଗଛ ମାଫିଆ ମାତିଯାଇଛନ୍ତି। ପୁଲିସ ବିଭାଗରେ ମାନବ ସମ୍ବଳ ଅଭାବ ଯୋଗୁ ପୁଲିସ ହାତ ବାନ୍ଧି ବସିଛି। ଥାନାରେ ମହିଳାଙ୍କ ପାଇଁ ହେଲ୍‌ପ ଡେସ୍କ କାମ କରୁନି। ଅଶୋକ ଦାସ କହିଥିଲେ, ଗୃହ ବିଭାଗ ଶାସନ ଓ ପ୍ରଶାସନର ମେରୁଦଣ୍ଡ। ହେଲେ ରାଜ୍ୟରେ ଆଇନଶୃଙ୍ଖଳା ସରକାରଙ୍କ ନିୟନ୍ତ୍ରଣରେ ଥିବାଭଳି ମନେ ହେଉନି। ବିଜେପି ସରକାର ସବୁଥିରେ ୨୪ ବର୍ଷର ବିଜେଡି ସରକାରକୁ ତୁଳନା କରୁଛି। ହେଲେ ୧୮ ମାସରେ କ’ଣ ଘଟିଲାଣି ତା’ର ସମୀକ୍ଷା କରାହେଉନି। ମହିଳାଙ୍କ ଉପରେ ନିର୍ଯାତନା ବଢ଼ିଛି। କଟକରେ ଦଙ୍ଗା ସୃଷ୍ଟି କରାଗଲା, ଏହାକୁ ଏଡ଼ାଯାଇ ପାରିଥା’ନ୍ତା। ସୋଫିଆ ଫିରଦୋସ୍ କହିଥିଲେ, ଗୃହ ଭିତରେ କେତେକ ପ୍ରତିନିଧି ଶସ୍ତା ଓ ବ୍ୟକ୍ତିଗତ ଆକ୍ଷେପ କରି ମନ୍ତବ୍ୟ ଦେଉଛନ୍ତି। ଏଥିରୁ ବିରତ ରହିବାକୁ ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ। ରାଜ୍ୟରେ ଧର୍ଷଣରୁ ଆରମ୍ଭ କରି ମହିଳାଙ୍କ ବିରୋଧରେ ମାମଲା ବଢ଼ିବାରେ ଲାଗିଛି। ରାଜ୍ୟ ସରକାର ସବୁ ଥାନାକୁ ସ୍କର୍ପିଓ ଗାଡ଼ି ଦେଇଛନ୍ତି ବୋଲି କହୁଛନ୍ତି। ହେଲେ ଗାଡ଼ିରେ ତେଲ ପକାଇବାକୁ ପଇସା ଦେଉନାହାନ୍ତି। ଥାନାରେ ବିଜେପି କର୍ମୀଙ୍କର ଉତ୍ପାତ ବଢ଼ିବାରେ ଲାଗିଛି। ଏହାକୁ ରୋକାଯାଉ।
ଶାସକ ଦଳ ପକ୍ଷରୁ ବିଧାୟକ ବାବୁ ସିଂହ କହିଲେ, ପୁଲିସ ବିଭାଗ ଉପରେ କାହାର କୌଣସି ଚାପ ନାହିଁ। ପୁଲିସ ନିରପେକ୍ଷ ଭାବେ କାମ କରୁଛି। ସବୁ ଘଟଣାରେଅପରାଧୀଙ୍କୁ ତତ୍କାଳ ଗିରଫ କରାଯାଇଛି। ପୂର୍ବ wସରକାର ସମୟରେ କୌଣସି ସ୍ଥାନରେ ପୀଡ଼ିତାଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀ କି ମନ୍ତ୍ରୀ ଯାଉ ନଥିଲେ। କିନ୍ତୁ ଆମ ସରକାରରେ ମନ୍ତ୍ରୀ, ବିଧାୟକ ତୁରନ୍ତ ଘଟଣାସ୍ଥଳକୁ ଯାଇ ପୀଡ଼ିତାଙ୍କ ସହ କଥା ହେଉଛନ୍ତି। ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ଅଭିଯୁକ୍ତଙ୍କୁ ଧରାଯାଇଛି। ପୂର୍ବ ସରକାର ସମୟରେ କୌଣସି ଦୁର୍ନୀତିର ପର୍ଦ୍ଦାଫାସ ହେଉ ନଥିଲା। ଇରାଶିଷ ଆଚାର୍ଯ୍ୟ କହିଥିଲେ, ୧୮ ମାସର ସରକାରରେ ଗୃହ ବିଭାଗର ବହୁତ ଉପଲବ୍ଧି ଅଛି। ହତ୍ୟା ମାମଲା ୬%, ଡକାୟତି ୫.୫%, ଦଙ୍ଗା ୨୨.୨%, ଚୋରି ୮.୩% କମିଛି। ପୂର୍ବ ସରକାରରେ ପୁଲିସ ଓ ଓକିଲଙ୍କର ମଧୁଚନ୍ଦ୍ରିକା ଥିଲା। ଯାହା ଏବେ ନାହିଁ। ସବୁଠୁ ବଡ଼ କଥା ହେଉଛି, ଆମ ସରକାରରେ କୌଣସି ଅପରାଧରେ ରାଜନୈତିକ ସଂପୃକ୍ତି ନାହିଁ। ଶାସକ ଦଳ ପକ୍ଷରୁ ସନ୍ତୋଷ ଖଟୁଆ, ଆକାଶଦାସ ନାୟକ ଓ ସିଦ୍ଧାନ୍ତ ମହାପାତ୍ର ଖର୍ଚ୍ଚ ଦାବି ସପକ୍ଷରେ ମନ୍ତବ୍ୟ ରଖିଥିଲେ। 
ସବୁ ଅପରାଧୀଙ୍କ ଗୋଟିଏ ଠିକଣା ‘ଜେଲ୍‌ର ଚାରିକାନ୍ଥ’: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସବୁପ୍ରକାର ରାଜନୈତିକ ଆଲୋଚନା-ସମାଲୋଚନା ଭିତରେ ପୁଲିସର ପ୍ରତ୍ୟେକ ବିଭାଗ ନିଜ ନିଜ କର୍ତ୍ତବ୍ୟ ଠିକ୍‌ ରୂପେ ସମ୍ପାଦନ କରି ଆସୁଛନ୍ତି। ଗତ ପ୍ରାୟ ୧୮ ମାସ ଭିତରେ ରାଜ୍ୟ ପୁଲିସର ଯଦି କେବଳ ଗୋଟିଏ ସଫଳତା ମୋତେ ପଚାରିବେ ତେବେ ମୁଁ କହିବି, ‘କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ନ ହୋଇ ଅପରାଧୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏବଂ କୌଣସି ଅପରାଧୀଙ୍କୁ ରାଜନୈତିକ ସଂରକ୍ଷଣ ଦେଇନାହାନ୍ତି।’ ଆଜି ଗୃହ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଅନୁଦାନ ଦାବି ଆଲୋଚନାର ଉତ୍ତର ରଖି ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 
ବିରୋଧୀଙ୍କ ସବୁ ଅଭିଯୋଗର ଜବାବ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ସରକାରଙ୍କ ପାଇଁ ଅପରାଧୀର କେବଳ ଗୋଟିଏ ପରିଚୟ, ଆଇନ ଆଗରେ ସମସ୍ତେ ସମାନ। ସେ ସାଧାରଣ ଅପରାଧୀଟିଏ ହେଉ କିମ୍ବା ବାହୁବଳୀ ପୂର୍ବତନ ବିଧାୟକ। ଆଇନ ତା’ ବାଟରେ ଯିବ। ଅପରାଧୀ ଯେତେ ବଡ଼ ପ୍ରଭାବଶାଳୀ ହେଲେ ବି ତା’ର ଗୋଟିଏ ଠିକଣା, ‘ଜେଲ୍‌ର ଚାରି କାନ୍ଥ’। ଓଡ଼ିଶାବାସୀ ସରକାରଙ୍କ ଏହି ଅପରାଧ ନିୟନ୍ତ୍ରଣ ପ୍ରତିବଦ୍ଧତା ବିଷୟରେ ହୃଦୟଙ୍ଗମ କରି ସାରିଲେଣି ଏବଂ ତାର ପ୍ରତିଫଳନ ନୂଆପଡ଼ା ଉପନିର୍ବାଚନରେ ଦେଖିବାକୁ ମିଳିଛି। ସାମଗ୍ରିକ ଭାବରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି, ଶାନ୍ତିପୂର୍ଣ୍ଣ ଅଛି। ଯେଉଁଥିପାଇଁ ରାଜ୍ୟରେ ପୁଞ୍ଜିନିବେଶ ବଢ଼ୁଛି। ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିର ରହିଲେ ଓ ରାଜ୍ୟ ଶାନ୍ତିପ୍ରିୟ ହେଲେ, ରାଜ୍ୟବାସୀ ସୁଖରେ ଜୀବନ ଯାପନ କରିବେ ଏବଂ ନିବେଶ ପାଇଁ ଉଦ୍ୟୋଗପତି ଆସିବେ। ଆମ ଦେଶରେ ଏହାର ଯଥେଷ୍ଟ ପ୍ରମାଣ ରହିଛି। ଆଜି ଦେଶରେ ଯେଉଁ ସବୁ ରାଜ୍ୟ ବିକଶିତ ଏବଂ ଉଦ୍ୟୋଗ କ୍ଷେତ୍ରରେ ଆଗୁଆ, ସେ ସବୁ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ଅପେକ୍ଷାକୃତ ଭାବେ ନିୟନ୍ତ୍ରଣାଧୀନ। ତେଣୁ ଆମ ସରକାର ଆସିବାର ପ୍ରଥମ ଦିନରୁ ହିଁ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦେଇଆସୁଛି। ମୁଁ ବ୍ୟକ୍ତିଗତ ଭାବେ ପୁଲିସ ପ୍ରଶାସନକୁ ନିର୍ଭୀକ, ନିରପେକ୍ଷ ଏବଂ ଆଇନର ମର୍ଯ୍ୟାଦା ମଧ୍ୟରେ ରହି ଅପରାଧୀଙ୍କ ବିରୋଧ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲି। ଏହାର ଫଳାଫଳ ଆଜି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିରେ ପ୍ରତିଫଳିତ ହେଉଛି। ଓଡ଼ିଶାରେ ଆଇନକାନୁନର ରାଜୁତି ରହିବ, କୌଣସି ରାଜନୈତିକ ଦଳର ନୁହେଁ। ପୂର୍ବରୁ ରାଜ୍ୟର ଥାନାଗୁଡ଼ିକୁ କିପରି ଭାବେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପାର୍ଟି ଅଫିସ୍‌ ଭାବେ ବ୍ୟବହାର କରାଯାଉଥିଲା, ତାହା ଓଡ଼ିଶାବାସୀ ଜାଣିଛନ୍ତି। ଯାହାର ଶାସନ ସମୟରେ ପ୍ରଭାବଶାଳୀ ମନ୍ତ୍ରୀ ବି ସୁରକ୍ଷିତ ନ ଥିଲେ, ସେପରି ସରକାରଙ୍କ ପାରିବାପଣିଆ ବିଷୟରେ ଯେତେ କମ୍ କୁହାଯିବ, ସେତେ ଭଲ। 
ମହିଳା ହିଂସା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ସମାଲୋଚନା କରି କହିଥିଲେ, ଗୃହର ଅନେକ ସଦସ୍ୟ ମହିଳା ହିଂସା ଉପରେ ଚିନ୍ତା ପ୍ରକଟ କରିଛନ୍ତି। ମୁଁ ବି ତାଙ୍କ କଥାରେ ସହମତ। ବ୍ୟକ୍ତିଗତ ଭାବେ ମୋ ପାଇଁ ମହିଳାଙ୍କ ବିରୋଧରେ ହିଂସା ଅତ୍ୟନ୍ତ ଉଦ୍‌ବେଗଜନକ। ମୁଁ ବ୍ୟକ୍ତିଗତ ଭାବେ ଚାହିଁବି ଯେ ମହିଳାଙ୍କ ବିରୋଧରେ ଗୋଟିଏ ବି ଘଟଣା ନ ହେଉ। ସବୁପ୍ରକାର ପ୍ରଚେଷ୍ଟା ସତ୍ତ୍ୱେ କିଛି ଦୁର୍ଭାଗ୍ୟଜନକ ଘଟଣା ଘଟୁଛି। କିନ୍ତୁ ସେପରି କ୍ଷେତ୍ରରେ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି। ଯେଉଁମାନେ ଆଜି ମହିଳା ସୁରକ୍ଷା ପ୍ରସଙ୍ଗରେ ସରକାରଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି, ମୁଁ ତାଙ୍କୁ ଗତ ବଜେଟ୍‌ ଅଧିବେଶନରେ ଗୋଟିଏ ଛୋଟିଆ ପ୍ରଶ୍ନ ପଚାରିଥିଲି, ଆଜି ପର୍ଯ୍ୟନ୍ତ କେହି ଜଣେ ବି ବିରୋଧୀ ଦଳର ନେତା କିମ୍ବା ନେତ୍ରୀ, ତାହାର ଉତ୍ତର ଏପର୍ଯ୍ୟନ୍ତ ଦେଲେ ନାହିଁ କିମ୍ବା ଦେବାର ମଧ୍ୟ ସାହସ ଜାହିର କରିପାରିଲେ ନାହିଁ। ତେଣୁ ମୁଁ ପୁଣି ଥରେ ପ୍ରଶ୍ନକୁ ଦୋହରାଇବା ପାଇଁ ବାଧ୍ୟ ହେଉଛି। ମୋତେ କେବଳ ଗୋଟିଏ ଏପରି ମହିଳା ହିଂସା ଘଟଣା କୁହନ୍ତୁ, ଯେଉଁ ମାମଲାରେ ଅଭିଯୁକ୍ତକୁ ଉଦ୍ଦେଶ୍ୟମୂଳକ ଭାବେ ଗିରଫ କରାଯାଇନାହିଁ କିମ୍ବା ତାକୁ ରାଜନୈତିକ ସୁରକ୍ଷା ଦିଆଯାଇଛି। ମୁଁ ଏମିତି ଅନେକ ଘଟଣା ଉଲ୍ଲେଖ କରିପାରିବି, ଯେଉଁଥିରେ ବିଗତ ସରକାର ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିଲେ। 
ପୁଲିସ, ଅଗ୍ନିଶମ ବିଭାଗର ଭିତ୍ତିଭୂମି ସୁଦୃଢ଼ କରାଯାଉଥିବା ନେଇ ସୂଚନା ଦେବା ସହ କହିଥିଲେ, ମାଲକାନଗିରି, ଦେବଗଡ଼ ଏବଂ ସୋନପୁର ଜିଲ୍ଲାରେ ସ୍ବତନ୍ତ୍ର ଫାଷ୍ଟଟ୍ରାକ୍ ପୋକ୍‌ସୋ କୋର୍ଟ ପ୍ରତିଷ୍ଠା ପାଇଁ ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଖୁବ୍‌ଶୀଘ୍ର ଏହା ଅନୁମୋଦନ ହେବ। ଜିଲ୍ଲାଗୁଡ଼ିକରେ ଜଣେ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ମହିଳା ସମ୍ପର୍କିତ ସମ୍ବେଦନଶୀଳ ମାମଲାଗୁଡ଼ିକର ତଦନ୍ତ ପାଇଁ ଜିଲ୍ଲାସ୍ତରରେ ୨୯ଟି ଆଇୟୁସିଏଡବ୍ଲ୍ୟୁ କାର୍ଯ୍ୟ କରୁଛି। ନିକଟରେ ରାଜ୍ୟ ସରକାର ଏକ ନୂତନ ୟୁନିଟ୍‌ ମଞ୍ଜୁର କରିଥିବାବେଳେ ଆଉ ୫ଟି ଆଇୟୁସିଏଡବ୍ଲ୍ୟୁ ୟୁନିଟ୍‌ ସୃଷ୍ଟି ପାଇଁ ପ୍ରସ୍ତାବ ବିଚାରାଧୀନ ଅଛି। ଗୃହ ବିଭାଗରେ ମାନବସମ୍ବଳ ବୃଦ୍ଧିକୁ ଗୁରୁତ୍ବ ଦିଆଯାଉଛି। ମୋଟ୍ ୧୫,୩୨୬ ଟି ନୂତନ ପଦବି ସୃଷ୍ଟି କରାଯାଇଛି। ୩,୫୫୭ଟି ବିଭିନ୍ନ ବର୍ଗର ପଦବିର ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ସେହିପରି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସମ୍ପର୍କରେ ସେ କହିଥିଲେ, ଗତ ଦେଢ଼ ବର୍ଷ ମଧ୍ୟରେ ଆମ ସରକାର ରାଜ୍ୟବାସୀଙ୍କୁ ଏକ ସ୍ବଚ୍ଛ, ପାରଦର୍ଶୀ ଏବଂ ଦକ୍ଷ ପ୍ରଶାସନ ଦେବାରେ ନିରନ୍ତର ଭାବେ ସାହାଯ୍ୟ କରି ଆସୁଛି। ଦେଢ଼ବର୍ଷରେ ୩୭,୩୭୧ ଜଣଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ଖୁବ୍‌ଶୀଘ୍ର ଆଉ ୪୩,୪୪୭ଟି ପଦ ପୂରଣ କରାଯିବ। ରାଜ୍ୟବାସୀ ତଥା ସମସ୍ତ ଅଧିକାରୀଙ୍କୁ ଜଣାଇ ଦେବାକୁ ଚାହେଁ ଯେ ଆମ ସରକାର ଦୁର୍ନୀତି ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଅବଲମ୍ବନ କରୁଛନ୍ତି। ଏଥିପାଇଁ ଭିଜିଲାନ୍ସ ବିଭାଗ ହାଇପର ଆକ୍ଟିଭ୍‌ ମୋଡ୍‌ରେ କାମ କରୁଛି। ଯାହାର ପ୍ରତିଫଳନ ଦେଖିବାକୁ ମିଳୁଛି । 
ଆମ ସରକାର ଆସିବାର ଦେଢ଼ ବର୍ଷ ମଧ୍ୟରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ୫୫୪ ଜଣଙ୍କ ବିରୋଧରେ ୩୨୪ଟି ମାମଲା ରୁଜୁ କରାଯାଇଛି। ତନ୍ମଧ୍ୟରେ ୯୪ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ, ୬୩ ଜଣ ଦ୍ବିତୀୟ ଶ୍ରେଣୀ ଅଧିକାରୀ, ୩୯୭ ଜଣ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଓ ସାଧାରଣ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି। ଏହି ତାଲିକାରେ ଆଇଏଏସ୍ ଅଧିକାରୀଙ୍କଠାରୁ ଆରମ୍ଭ କରି ମୁଖ୍ୟଯନ୍ତ୍ରୀ, ବରିଷ୍ଠ ଓଏଏସ୍ ଅଧିକାରୀ, ଉପଜିଲ୍ଲାପାଳ, ବିଡିଓଙ୍କଠାରୁ ଆରମ୍ଭ କରି ଆର୍‌ଆଇ, ପିଅନ ପର୍ଯ୍ୟନ୍ତ ପଦାଧିକାରୀ ଅଛନ୍ତି। ମୋର କହିବାର ତାତ୍ପର୍ଯ୍ୟ ହେଉଛି, ଆମ ସରକାର ସମସ୍ତ ଦୁର୍ନୀତିଖୋର ଅଧିକାରୀଙ୍କୁ କେବଳ ଗୋଟିଏ ଆଖିରେ ଦେଖେ, ‘ଦୁର୍ନୀତିଖୋର’।