ଭଦ୍ରକ : କରୋନା କଟକଣା ପାଇଁ ଭଦ୍ରକ ସହର ଏବେ ଶୂନଶାନ୍। ଧୁ'ଧୁ' ଖରାବେଳେ ଯେଉଁ ବାଟୋଇମାନେ ରାସ୍ତାରେ ଯାଉଛନ୍ତି, ସେମାନଙ୍କୁ ପାଣି ଟୋପାଏ ଦେବାକୁ କି ଆହା ପଦେ କହିବାକୁ କେହିନାହାନ୍ତି। ସମସ୍ତେ ନିଜ ଘରେ କବାଟ କିଳି ରହିଛନ୍ତି। ଏପରି ସମୟରେ ମାନବିକତା ଦେଖାଇବାକୁ ଭୁଲିନାହାନ୍ତି ଆଇନଶୃଙ୍ଖଳା କାର୍ଯ୍ୟରେ ନିୟୋଜିତ ପୁଲିସ କର୍ମଚାରୀ।
ସୂଚନା ଅନୁସାରେ, ସୋମବାର ଦ୍ବିପ୍ରହର ସମୟରେ କିଛି ଶ୍ରମିକ ଶ୍ରେଣୀର ଲୋକ ୧୬ ନମ୍ବର ଜାତୀୟ ରାଜପଥରେ ଭଦ୍ରକ ସହର ଅଭିମୁଖେ ଆସୁଥିଲେ। ସେମାନଙ୍କୁ ଦେଖି ବାଟ ଓଗାଳିଥିଲେ ପୁଲିସ କର୍ମଚାରୀ। ଏତେ ଖରା ସମୟରେ ଯାଉଛ କୁଆଡେ ବୋଲି ପଚାରିଥିଲେ। ପୁଲିସ କର୍ମଚାରୀଙ୍କ ଚଢାଗଳା କଥା ଶୁଣି ଶ୍ରମିକମାନେ ଭୟରେ କାନ୍ଦି ପକାଇଥିଲେ। କହିଥିଲେ, କାମ କରିବାକୁ ଯାଇଥିଲୁ, ହେଲେ ସାହୁକାର ଫେରାଇ ଦେଲେ। ଭୋକଉପାସରେ ଘରକୁ ଫେରୁଥିବା ଶୁଣିବା ପରେ ପୁଲିସ କର୍ମଚାରୀଙ୍କ ମନ ବି ତରଳି ଯାଇଥିଲା। ସଙ୍ଗେ ସଙ୍ଗେ ଅସହାୟ ଭୋକିଲାଙ୍କ ପାଇଁ ଖାଦ୍ୟପଦାର୍ଥ ବ୍ୟବସ୍ଥା କରିଥିଲେ। ସୋସିଆଲ୍ ମିଡିଆରେ ଆଜି ଏହି ଦୃଶ୍ୟ ଭାଇରାଲ୍ ହେବା ପରେ ପୁଲିସ କର୍ମଚାରୀଙ୍କ ମାନବିକତାକୁ ସମସ୍ତେ ପ୍ରଶଂସା କରିଛନ୍ତି। ବାଟୋଇଙ୍କୁ ଖାଇବାକୁ ଦେବା ପରେ ସେମାନଙ୍କୁ ନେଇ କ୍ବାରାଣ୍ଟିନ୍ ଗୃହରେ ରଖିଥିବା ଜଣାପଡ଼ିଛି।
Follow Us