ନୟାଗଡ଼ : ରାତି ପ୍ରାୟ ୧୨ଟା ୪୫ରେ ନୟାଗଡ଼ କଲେଜ ନିକଟ ବାରମାସୀଦଣ୍ଡାଠାରେ ପୁଲିସ ଏନ୍କାଉଣ୍ଟରରେ କୁଖ୍ୟାତ ଲୁଟେରା ସୁରେଶ ରାଉତ ଗୁରୁତର ଆହତ ହୋଇଛି। ତା’ର ଡାହାଣ ଗୋଡ଼ ଆଣ୍ଠୁ ପାଖରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାକୁ ନୟାଗଡ଼ ସଦର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ତାକୁ ଭୁବନେଶ୍ୱର ପଠାଇ ଦିଆଯାଇଛି। ସୁରେଶ ନାଁରେ ୩୦ରୁ ଅଧିକ ଲୁଟ୍ ଓ ରାହାଜାନି ମାମଲା ରହିଛି। ତା’ର ଘର ଦଶପଲାର ପୋଇବାଡ଼ି ଗାଁରେ।
?ନୟାଗଡ଼ ଥାନା ଆଇଆଇସି ରଶ୍ମିରଂଜନ ପଟ୍ଟନାୟକଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଆଜି ବିଳମ୍ବିତ ରାତ୍ରିରେ ସୁରେଶ ସନ୍ଦେହଜନକ ଅବସ୍ଥାରେ ନୟାଗଡ଼ କଲେଜ ନିକଟରେ ବୁଲୁଥିବା ବେଳେ ପୁଲିସ୍ ପାଟ୍ରୋଲିଂ ଟିମ୍ ହାବୁଡ଼ରେ ପଡ଼ିଥିଲା। ପୁଲିସ କର୍ମଚାରୀମାନେ ତାକୁ ଧରିବାକୁ ଚେଷ୍ଟା କରିବାରୁ ସେ ଗୋଟିଏ ରାଉଣ୍ଡ ଗୁଳି କରି ଖସି ଯିବାକୁ ବସିଥିଲା। ଗୁଳିଟି ପୁଲିସ୍ ଗାଡ଼ିରେ ବାଜିଥିଲା। ଏହାର ଜବାବରେ ପୁଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା। ଏଥିରେ ସୁରେଶ ଆହତ ହୋଇଥିଲା। ତା’ ନିକଟରୁ ଏକ ମାଉଜର ଜବତ ହୋଇଛି।
Follow Us