ପୁଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ରୁଣ୍ଡୁଙ୍କ ମୃତ୍ୟୁ

ଆକ୍ରମଣରେ ଗୋପାଳପୁର ଫାଣ୍ଡି ଅଧିକାରୀ ଗୁରୁତର

ପୁଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ରୁଣ୍ଡୁଙ୍କ ମୃତ୍ୟୁ

YouTube

ବାହାନଗା/ ଗୋପାଳପୁର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ବରିପଦା ପଞ୍ଚାୟତରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର କରିଛି ପୁଲିସ। ମୃତ ଅପରାଧୀ ଜଣକ ବରିପଦା ଗ୍ରାମର ଭରତ ମଳିକଙ୍କ ପୁଅ ଲକ୍ଷ୍ମୀଧର ଓରଫ ରୁଣ୍ଡୁ(୩୦) ବୋଲି ଜଣାଯାଇଛି।

ସୂଚନା ଅନୁସାରେ, ରୁଣ୍ଡୁ ଆଜି ଖନ୍ତାପଡ଼ା ଥାନା ଅଞ୍ଚଳର ୩ଟି ସ୍ଥାନରେ ଛିନତାଇ କରିଥିଲା। ଖବର ପାଇ ଅପରାହ୍ନରେ ଗୋପାଳପୁର ଫାଣ୍ଡି ଅଧିକାରୀ କ୍ରିଷ୍ଣା ପିଙ୍ଗୁଆ ଓ ସହଯୋଗୀ ତାକୁ ଧରିବା ପାଇଁ ବରିପଦା ଗ୍ରାମରେ ଚଢ଼ଉ କରିଥିଲେ। ଏହି ସମୟରେ ଗ୍ରାମର କଙ୍କଡ଼ା ଛକଠାରେ ରୁଣ୍ଡୁ ପୁଲିସକୁ ଦେଖି ନଈବନ୍ଧ ଆଡ଼କୁ ଦୌଡ଼ିଥିଲା। ଫାଣ୍ଡି ଅଧିକାରୀ ଶ୍ରୀ ପିଙ୍ଗୁଆ ତାକୁ ପିଛାକରି ମାଡ଼ି ବସିଥିଲେ। ଏହି ସମୟରେ ରୁଣ୍ଡୁ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ପୁଣି ଦୌଡ଼ିଥିଲା। ଫଳରେ ଶ୍ରୀ ପିଙ୍ଗୁଆ ବାଧ୍ୟ ହୋଇ ରୁଣ୍ଡୁ ଉପରକୁ ଗୁଳି ଚଳାଇଥିଲେ। ଗୁଳିଟି ରୁଣ୍ଡୁର ଛାତିରେ ବାଜି ସେ ଗୁରୁତର ହୋଇଥିଲା। ସେଠାରୁ ତାକୁ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନା ନିଆ ଯାଇଥିଲା। ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ସେପଟେ ଫାଣ୍ଡି ଅଧିକାରୀ ଶ୍ରୀ ପିଙ୍ଗୁଆଙ୍କୁ ଗୁରୁତର ଅବସ୍ଥାରେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

publive-image

ଗୋପାଳପୁର ଫାଣ୍ଡିରେ ବାଲେଶ୍ବର ସିଟି ଡିଏସପି ଅମୂଲ୍ୟ ଧର, ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ଆଇଆଇସି ବିମଳ କୁମାର ନାୟକଙ୍କ ସହ ତିନିଜଣ ଏଏସଆଇ ଓ ଫୋର୍ସ ପହଞ୍ଚିଛନ୍ତି। ଅଞ୍ଚଳରେ ଉତ୍ତେଜନା ଲାଗିରହିଛି। ରୁଣ୍ଡୁ ନାଁରେ ବାଲେଶ୍ବର ଜିଲ୍ଲାର ବିଭିନ୍ନ ଥାନାରେ ୩୦ରୁ ଅଧିକ ଅପରାଧିକ ମାମଲା ରହିଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe