ନିର୍ବାଚନୀ ହିଂସା ରୋକିବାରେ ପୁଲିସ୍‌ ଫେଲ୍‌

Advertisment
ନିର୍ବାଚନୀ ହିଂସା ରୋକିବାରେ ପୁଲିସ୍‌ ଫେଲ୍‌

Deccan Herald

ବରଗଡ଼: ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନାରେ ବରଗଡ଼ ପୁଲିସ୍‌ ସଂପୂର୍ଣ୍ଣ ଫେଲ୍‌ ମାରିଛି। ଇତିମଧ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ସରିଛି। ପ୍ରତି ପର୍ଯ୍ୟାୟରେ କିଛି ନା କିଛି ହିଂସା ଘଟୁଛି। ଅମ୍ବାଭୋନା, ଭଟଲି ଏବଂ ବରପାଲିରେ ନିର୍ବାଚନୀ ହିଂସା, ବରଗଡ଼ ପୁଲିସ୍‌ର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏସ୍‌ପି ପ୍ରତି ପର୍ଯ୍ୟାୟରେ କୌଣସି ନା କୌଣସି ବୁଥ୍‌ ପରିଦର୍ଶନ କରିବାକୁ ଯାଉଛନ୍ତି। ଯାହା ତାଙ୍କର ଔପଚାରିକତା। ହେଲେ ହିଂସା ରୋକିବାରେ ଏହା କାମ ଦେଉନାହିଁ। ନିର୍ବାଚନ ପୂର୍ବରୁ ପୁରୁଖା ଅପରାଧୀଙ୍କୁ ଗିରଫ କରାଯାଏ।

ଛୋଟମୋଟ ଅପରାଧୀଙ୍କୁ ନୋଟିସ୍‌ ଦିଆଯାଏ। ଲାଇସେନ୍ସପ୍ରାପ୍ତ ବନ୍ଧୁକର ସବୁ ତଥ୍ୟ ପୁଲିସ୍‌ ହାସଲ କରିଥାଏ। ଆବଶ୍ୟକସ୍ଥଳେ ନିର୍ବାଚନ ସରିବା ଯାଏଁ ବନ୍ଧୁକଗୁଡ଼ିକ ପୁଲିସ୍‌ ନିଜ ହେଫାଜତରେ ରଖୁଥିବା ବି ନଜିର ରହିଛି। କିନ୍ତୁ ନିର୍ବାଚନ ପୂର୍ବରୁ ବରଗଡ଼ ପୁଲିସ୍‌ ଏଭଳି କିଛି ପଦକ୍ଷେପ ନେଲା ନାହିଁ। ପୁରୁଣା ମାମଲାରେ ଗିରଫ ହୋଇଥିବା ଅପରାଧୀମାନେ ଖୋଲାମେଲା ବିଚରଣ କରୁଛନ୍ତି। ଯାହାର ଫଳ ନିର୍ବାଚନ ବେ‌ଳେ ଜଳଜଳ ଦିଶୁଛି। ବରପାଲି ବ୍ଲକ୍‌  ଲେଣ୍ଡା ପଞ୍ଚାୟତ ମହୁଲପାଲି ଗାଁରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଘର ସମ୍ମୁଖରେ ତାଙ୍କ ପ୍ରତିନ୍ଦ୍ବନ୍ଦ୍ବୀ ଗୋଷ୍ଠୀ ତିନି ରାଉଣ୍ଡ  ଗୁଳି ଫୁଟାଇଲେ। ହେଲେ, ଏଯାଏଁ କେହି ଗିରଫ ହେଲେ ନାହିଁ। ଅମ୍ବା‌େଭାନା ବ୍ଲକ୍‌ ଭୁକ୍ତାଠାରେ  ମଧ୍ୟ ନିର୍ବାଚନୀ ହିଂସା ଦେଖା ଦେଇଥିଲା।

ଭୁକ୍ତାର ଚାତ ପାତିକର ଏବଂ ପୁଅ ଚାଁଟି ପାତିକରଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ବି ଆକ୍ରମଣକାରୀ ଧରାପଡ଼ିନାହାନ୍ତି। ଉଭୟ ମାମଲାକୁ ପୁଲିସ୍‌ ହାଲୁକା ଭାବେ ନେଇଛି। କିନ୍ତୁ ଗାଇସିଲାଟ୍‌ ବ୍ଲକ୍‌ରେ ପୁଲିସ୍‌ କ'ଣ ପାଇଁ ଦବଂଗଗିରି ଦେଖାଇଲା, ତାହା ବୁଝାପଡ଼ୁନି। ଗାଇସିଲାଟ୍‌ ଥାନାଧିକାରୀ ଫିରିଙ୍ଗିମାଲଠାରେ ମତଦାନ କେନ୍ଦ୍ର ପରିସରରେ ଜଣେ ବ୍ୟକ୍ତିଙ୍କୁ କେଉଁ ଦୋଷରେ ନିସ୍ତୁକ ପିଟି ଚାଲିଥିଲେ, ତାହା କଳ୍ପନା ବାହାରେ। ଜଣେ ସଂପର୍କୀୟଙ୍କୁ ମତଦାନ କରିବାକୁ ଧାଡ଼ିରେ ଛିଡ଼ା ହେବା ପାଇଁ ସହାୟତା କରିବାକୁ ଆସିଥିବା ଯୁବକଙ୍କୁ ଥାନା ବାବୁ ଯେଉଁ ଭଳି ପିଟିଲେ, ପୁଲିସ୍‌ ଉପରୁ ଲୋକଙ୍କ ଭରସା ଉଠିଯିବ।

ସେହିପରି ଗାଇସିଲାଟ୍‌ ଥାନା ବାବୁ ଜ‌ଣେ ମହିଳାଙ୍କୁ ମାଡ଼ ମାରିବାରୁ ଜନଆକ୍ରୋଶର ଶିକାର ବି ହେଲେ। ଥାନା ବାବୁ ଏଭଳି ରୂପ ଦେଖାଇ କ'ଣ ପ୍ରମାଣ କରିବାକୁ ଚାହୁଁଥିଲେ? ତାଙ୍କୁ ବିଭିନ୍ନ ମହଲରୁ ନିଲମ୍ବନ କରିବାକୁ ଦାବି ହେଉଛି। ଏନେଇ ବି କିଛି ପଦକ୍ଷେପ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe